ରାଉରକେଲା: ରାଉରକେଲା-କୋଲକାତା ଭାୟା ଭୁବନେଶ୍ବର ଦେଇ ବିମାନ ଉଡ଼ାଣ ନଭେମ୍ବର ୧ ତାରିଖରୁ ଆରମ୍ଭ ହୋଇଯାଇଛି। ୬ ତାରିଖରୁ ପରିବର୍ତ୍ତିତ ସମୟ ସହ ଏହି ବିମାନ ସେବା ଆରମ୍ଭ ହୋଇଛି। ତେବେ ସେବା ଯୋଗାଣକାରୀ ସଂସ୍ଥା ଆଲିଆନ୍ସ ଏୟାର୍‌ ପାଖରେ ପର୍ଯ୍ୟାପ୍ତ ସଂଖ୍ୟକ ବିମାନର ଅଭାବ ହେଉ ଅବା ଅପେକ୍ଷାକୃତ୍‌ କମ୍‌ ଯାତ୍ରୀ କାରଣରୁ ଏହି ବିମାନ ଚଳାଚଳର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତେବେ ଏଥର କମ୍‌ ଯାତ୍ରୀ ହେଲେ ମଧ୍ୟ ବିମାନ ସେବା ବ୍ୟାଘାତ ହେବନି। କାରଣ, ଏହି ସମସ୍ୟା ଦୂର କରିବାକୁ ରାଜ୍ୟ ସରକାର ଆଗେଇ ଆସିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଲିଆନ୍ସ ଏୟ‌ାର୍‌କୁ ଭାଏବଲ୍‌ ଗ୍ୟାପ୍‌ ଫଣ୍ଡିଂ(ଭିଜିଏଫ୍‌) ଦେବାକୁ ଘୋଷଣା କରାଯାଇଛି। ରାଜ୍ୟରେ ବିମାନ ସେବାକୁ ବ୍ୟାପକ କରିବା ସହ ଅର୍ଥନୈତିକ ସମୃଦ୍ଧିକୁ ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। ରାଉରକେଲା-କୋଲକାତା ଏବଂ ଭୁବନେଶ୍ବର-ଝାରସୁଗୁଡ଼ା ପାଇଁ ସପ୍ତାହକୁ ୭ଟି ଫ୍ଲାଇଟ୍‌ ପାଇଁ ଏହି ଭିଜିଏଫ୍‌ ଲାଗୁ ହେବ। ଅର୍ଥାତ୍‌, ଯେତିକି ଟିକଟ୍‌ ଖାଲି ରହିବ, ତା’ର ଅର୍ଥ ଭରଣା କରିବେ ରାଜ୍ୟ ସରକାର। ଆଗାମୀ ୬ ମାସ ପର୍ଯ୍ୟନ୍ତ ରାଜ୍ୟ ପରିବହନ ବିଭାଗ ଶତ ପ୍ରତିଶତ ଭିଜିଏଫ୍‌ ପ୍ରଦାନ କରିବେ। ରାଜ୍ୟ ସରକାରଙ୍କ ଏହି ଘୋଷଣା, ସହରବାସୀଙ୍କୁ ବହୁମାତ୍ରାରେ ଆଶ୍ବସ୍ତ କରିଛି। କାରଣ, ରାଉରକେଲାରୁ ଭୁବନେଶ୍ବରକୁ ସଂଯୋଗ କରୁଥିବା ବିମାନରେ ଯାତ୍ରୀ ସଂଖ୍ୟା ଆଶାନୁରୂପ ରହୁଥିବାବେଳେ କୋଲକାତାକୁ ଯାତ୍ରୀ ହେବେ ନା ନାହିଁ, ସେନେଇ ସନ୍ଦେହ ପ୍ରକାଶ ପାଇଥିଲା। ଯାତ୍ରୀ ସଂଖ୍ୟା ଅତି ନଗଣ୍ୟ ହେଲେ ବିମାନ ସେବା ବାତିଲ ହେବାର ଆଶଙ୍କା ପ୍ରକାଶ ପାଇଥିଲା। ଏବେ ଏହି ସମସ୍ୟା ପ୍ରାୟତଃ ସମାଧାନ ହୋଇସାରିଥିବାବେଳେ ଅନ୍ତତଃ କମ୍‌ଯାତ୍ରୀ ସେବାରେ ବାଧକ ହେବନାହିଁ।

ରାଉରକେଲାକୁ ଆସିପାରିଲାନି ବିମାନ
ମଙ୍ଗଲବାର ରାଉରକେଲାକୁ ବିମାନ ସେବା ଅଘୋଷିତ ବାତିଲ କରାଯାଇଛି। ନିର୍ଦ୍ଧାରିତ ସମୟରେ ରାଉରକେଲାରେ ପହଞ୍ଚି ପାରିନଥିବାରୁ ଶେଷ‌ ମୂହୁର୍ତ୍ତରେ ସେବା ବାତିଲ କରାଯାଇଥିବା ନେଇ ଯାତ୍ରୀଙ୍କୁ ସୂଚନା ଦିଆଯାଇଛି। ଫଳରେ ଭୁବନେଶ୍ବର ଯିବାକୁ ଥିବା ୩୨ ଜଣ ଓ କୋଲକାତା ଯିବାକୁ ଥିବା ୩୬ ଜଣ ଯାତ୍ରୀ, ମୋଟ୍‌ ୬୮ ଜଣ ଯାତ୍ରୀଙ୍କୁ ନିରାଶ ହେବାକୁ ପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ପୂର୍ବରୁ ଏହି ବିମାନଟି କୋଲକାତାରୁ ବାହାରି ଭୁବନେଶ୍ବର ଓ ଝାରସୁଗୁଡ଼ାକୁ ସଂଯୋଗ କରୁଥିବାରୁ ରାଉରକେଲାରେ ପହଞ୍ଚିବାରେ ବିଳମ୍ବ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ଏହି ରୁଟ୍‌ରୁ ଝାରସୁଗୁଡ଼ାକୁ ବାଦ୍‌ ଦେଇ ନଭେମ୍ବର ୧ ତାରିଖରୁ କୋଲକାତା-ଭୁବନେଶ୍ବର-ରାଉରକେଲା ଏବଂ ରାଉରକେଲା-ଭୁବନେଶ୍ବର-କୋଲକାତା ମାର୍ଗରେ ଉଡ଼ିବ ବୋଲି ସୂଚୀ ଜାରି କରାଯାଇଥିଲା। ପୂର୍ବ ସୂଚୀ ଅନୁସାରେ ବିମାନଟି ରାଉରକେଲାରୁ ସନ୍ଧ୍ୟା ୫ଟା ୦୫ ମିନିଟ୍‌ରେ ଛାଡ଼ିବାକୁ ସମୟ ନିର୍ଦ୍ଧାରଣ କରାଯାଇଥିଲା। ତେବେ ଏଥିରେ ପୁନର୍ବାର ପରିବର୍ତ୍ତନ କରି ୬ ତାରିଖରୁ ନୂଆ ସମୟ, ଅର୍ଥାତ୍‌ ବିମାନଟି ରାଉରକେଲାରେ ଅଢ଼େଇଟାରେ ପହଞ୍ଚି ଅପରାହ୍ନ ୨.୫୫ ଘଣ୍ଟାରେ ଭୁବନେଶ୍ବରକୁ ଅଭିମୁଖେ ବାହାରିବ ବୋଲି ସ୍ଥିର କରାଯାଇଥିଲା। ପ୍ରଥମ ଦିନ, ଅର୍ଥାତ୍‌ ୬ ତାରିଖରେ ବିମାନ ପ୍ରାୟ ୩୦ ମିନିଟ୍‌ ବିଳମ୍ବରେ ରାଉରକେଲା ଛାଡ଼ିଥିଲା। ତେବେ ଏହି ବିଳମ୍ବରୁ ଆଲିୟାନ୍ସ ଏୟାର୍‌ କିଛି ଶିକ୍ଷା ଲାଭ କରିନଥିବା ପରି ମନେ ହୁଏ। ରାଉରକେଲା ପାଇଁ ଉଦ୍ଦିଷ୍ଟ ଏଟିଆର-୭୨ ବିମାନଟି ପୂର୍ବାହ୍ନରେ କୋଲକାତାରୁ ଗୌହାଟିକୁ ଉଡ଼ିବାରୁ ଭୁବନେଶ୍ବରରେ ନିର୍ଦ୍ଧାରିତ ସମୟରେ ପହଞ୍ଚିପାରିନଥିଲା। ରାଉରକେଲା ବିମାନବନ୍ଦରରେ ଇନ୍‌ଷ୍ଟ୍ରୁମେଣ୍ଟ୍‌ ଲ୍ୟାଣ୍ଡିଂ ସିଷ୍ଟମ୍‌(ଆଇଏଲ୍‌ଏସ୍‌)ର ଅଭାବ ଯୋଗୁଁ ଏଠାରେ ବିମାନ ଅବତରଣ ଅସମ୍ଭବ ହେବାରୁ, ଶେଷରେ ଏହାକୁ ବାତିଲ କରାଯାଇଥିବା କୁହାଯାଉଛି।