ସରକାର ବୟନିକାକୁ ଦେବେ ୧୫କୋଟି

ଭୁବନେଶ୍ବର : ମହାମାରୀ କରୋନା ସମୟରେ ବୁଣାକାରଙ୍କ ପାଇଁ ସାହା ହୋଇଛି ବୟନିକା। ଏଭଳି ପରିସ୍ଥିତିରେ ବୁଣାକାରମାନେ ଯେପରି ନିଜ ବୃତ୍ତି ତଥା ଜୀବିକାକୁ ବଞ୍ଚାଇ ଜୀବିକା ଅର୍ଜନ କରିପାରିବେ ସେନେଇ ବୟନିକା ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ଏପ୍ରିଲ୍‌ ୨୦ରୁ ଏଯାବତ ବୟନିକା ବିଭିନ୍ନ ବୁଣାକାର ସମିତିକୁ ୪କୋଟି ୩୦ ଲକ୍ଷ ଟଙ୍କାର ସୂତା ଯୋଗାଇ ଦେଇଛି। ଏଥିସହ ସେମାନଙ୍କଠାରୁ ୧୦ କୋଟି ଟଙ୍କାର ହସ୍ତତନ୍ତ ସାମଗ୍ରୀ କିଣିଛି। ମଜୁରି ଓ ଲୁଗା ବକେୟା ବାବଦକୁ ସମିତିମାନଙ୍କୁ ୧୨ କୋଟି ୩୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହା ଦ୍ବାରା ଅନେକ ବୁଣାକାର ନିଜ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାରେ ସକ୍ଷମ ହୋଇଛନ୍ତି।

ବ୍ୟବସାୟ ଦୃଷ୍ଟିରୁ କିନ୍ତୁ ବୟନିକା ଚଳିତ ବର୍ଷ ୨୦ କୋଟି ଟଙ୍କାର ବ୍ୟବସାୟ ଏଯାବତ ହରାଇ ସାରିଛି। ଯଦି କରୋନା ସମସ୍ୟା ଆହୁରି ଦୀର୍ଘଦିନ ଲାଗିରୁହେ ତେବେ ବୟନିକା ଅଧିକ ବ୍ୟବସାୟ କ୍ଷତି ସହିବା ନେଇ ଆକଳନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଣାକାରଙ୍କୁ ନିୟମିତ କାମ ଯୋଗାଇ ତାଙ୍କଠାରୁ ବୁଣା ହସ୍ତତନ୍ତ ସାମଗ୍ରୀ କିଣିବା ପାଇଁ ବୟନିକାକୁ ୧୫ କୋଟି ଟଙ୍କା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ବୟନିକା ବୁଣାକାରଙ୍କ ଉନ୍ନତି କଳ୍ପେ ଆଗାମୀ ଦିନରେ ଆହୁରି ବଳିଷ୍ଠ ପଦକ୍ଷେପ ଗ୍ରହଣ କରିବ ବୋଲି ବୟନିକା ପକ୍ଷରୁ ଜାରି ହୋଇଥିବା ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର