ଯୁକ୍ତ ୨ ପ୍ରଥମ ବର୍ଷ ପରୀକ୍ଷାରେ ନୂତନ ପାସ୍‌ ବ୍ୟବସ୍ଥା ବିରୋଧରେ ଛାତ୍ର ଅଶାନ୍ତି ପରେ ଗଣଶିକ୍ଷା ମନ୍ତ୍ରୀ କହିଲେ ନିଷ୍ପତ୍ତିର ପୁର୍ନବିଚାର କରାଯିବ

ଭୁବନେଶ୍ବର : ଯୁକ୍ତ୨(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ପ୍ରଥମ ବର୍ଷ ପରୀକ୍ଷାରେ ପାସ୍‌ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଫେବ୍ରୁଆରି ମାସରେ ବାର୍ଷିକ ପରୀକ୍ଷା ହେବ। ଏଥିରେ ୩୩% ମାର୍କ ନ ରଖିଲେ ଛାତ୍ରଛାତ୍ରୀ ଫେଲ୍‌ ହେବେ। ଯେଉଁମାନେ ୩୩%ରୁ କମ୍‌ ମାର୍କ ରଖିଥିବେ ସେମାନଙ୍କୁ ମେ’ ମାସରେ ଆଉ ଥରେ ପରୀକ୍ଷା ଦେବା ପାଇଁ ସୁଯୋଗ ମିଳିବ। ଉକ୍ତ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଛାତ୍ରଛାତ୍ରୀ ଯୁକ୍ତ୨ ଦ୍ବିତୀୟ ବର୍ଷ ତଥା ଦ୍ବାଦଶ ଶ୍ରେଣୀକୁ ଯିବେ। ଗତ ସପ୍ତାହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ସୂଚନା ଦେବା ପରେ ଏବେ ଛାତ୍ରଛାତ୍ରୀ ଏହାକୁ ବିରୋଧ କରିଛନ୍ତି। ଗତ ଶନିବାର ଦିନ ଭୁବନେଶ୍ବରସ୍ଥିତ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇଥିଲେ। ସୋମବାର ଭୁବନେଶ୍ବରର ଅନ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମେତ ପୁରୀସ୍ଥିତ ଏସ୍‌ସିଏସ୍‌ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାସ୍ତାରୋକ କରିବା ସହ କ୍ୟାମ୍ପସ୍‌ରେ ଭଙ୍ଗାରୁଜା କରିଥିଲେ। ଆଜି ଭୁବନେଶ୍ବରର  ରମାଦେବୀ ବିଶ୍ୱବିଦ୍ୟାଳୟ ଫାଟକରେ ତାଲା ପକାଇଛନ୍ତି +୨ ପ୍ରଥମ ବର୍ଷର ଛାତ୍ରୀ ।  ବିଶ୍ୱବିଦ୍ୟାଳୟ ସମ୍ମୁଖ ରାସ୍ତାକୁ ଅବରୋଧ କରିବା ସହ ନିଷ୍ପତ୍ତି ବାତିଲ କରିବାକୁ ଦାବି କରିଛନ୍ତି । ଏହାପରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ କହିଛନ୍ତି, ‘ପିଲାମାନେ ପ୍ରସ୍ତୁତ ହୋଇ ନ ଥିବାରୁ ଯୁକ୍ତ୨(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ) ପ୍ରଥମ ବର୍ଷ ପରୀକ୍ଷା ନେଇ ନିଷ୍ପତ୍ତିର ପୁର୍ନବିଚାର କରାଯିବ। ନୂତନ ବ୍ୟବସ୍ଥା ଆସନ୍ତାବର୍ଷ ଠାରୁ ଲାଗୁ କରାଯିବା ଲାଗି ବିଚାର କରାଯିବ। ପିଲାଙ୍କୁ ଫେଲ୍ କରିବା ଉଦ୍ଦେଶ୍ୟରେ ଏହା କରାଯାଇ ନାହିଁ। ‘

ଭୁବନେଶ୍ବର ଓ ପୁରୀରେ ଛାତ୍ର ଅସନ୍ତୋଷ ପରେ ମନ୍ତ୍ରୀ ଶ୍ରୀ ଦାଶ ଛାତ୍ରଛାତ୍ରୀଙ୍କୁ ଆଶ୍ବାସନା ଦେଇ କହିଥିଲେ, ପିଲାମାନଙ୍କ ମଧ୍ୟରେ ଭୁଲ୍‌ ବୁଝାମଣା ହୋଇଛି। ଆଗରୁ ପ୍ରଥମ ବର୍ଷରେ ପରୀକ୍ଷା ହେଉଥିଲା। ଏବେ ବି ସେହି ପରୀକ୍ଷା ହେବ। ନୂଆ କଥା କିଛି ନାହିଁ। ବିଦ୍ୟାଳୟଗୁଡ଼ିକ ଆଗରୁ ପରୀକ୍ଷା କରୁଥିଲେ। ଏବେ ବି ପରୀକ୍ଷା ପରିଚାଳନା କରିବେ। ଏବେ କେବଳ ପରୀକ୍ଷା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ ହୋଇଛି। ପାସ୍‌ ପାଇଁ ୩୩% ମାର୍କ ରଖିବା‌ ବ୍ୟବସ୍ଥା‌ ଆଗରୁ ରହି ଆସିଛି। ଆମେ ବି କହିଛୁ ଯେ ଯେଉଁ ପିଲାମାନେ ପ୍ରଥମ ବର୍ଷ ପରୀକ୍ଷାରେ ରହିଯିବେ ସେମାନଙ୍କ ପାଇଁ ମେ’ ମାସରେ ଆଉଥରେ ସୁଯୋଗ ରହିଛି। କୌଣସି ବି ଛାତ୍ରଛାତ୍ରୀଙ୍କୁ ଫେଲ୍‌ କରିବା ବିଭାଗର ଉଦ୍ଦେଶ୍ୟ ନୁହେଁ ବୋଲି ସେ ସ୍ପଷ୍ଟ କରିଥିଲେ।

ସମ୍ବନ୍ଧିତ ଖବର