ଘରୋଇ କୋଚିଂ ଦେଉଥିବା ଅଧ୍ୟାପକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ : ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜରେ ଅଧ୍ୟାପନା କରୁଥିବା ଅଧ୍ୟାପକଙ୍କ ଘରୋଇ ଟ୍ୟୁସନ୍ ଓ କୋଚିଂ ଉପରେ ଲାଗିବ ଅଙ୍କୁଶ। ଅଧ୍ୟାପକଙ୍କୁ ଘରୋଇ ଭାବେ ପାଠପଢ଼ାଇବାକୁ  ବାରଣ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ସରକାରୀ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକଙ୍କୁ ବି ଚେତାବନୀ ଦେଇଛନ୍ତି । ଘରୋଇ ଭାବେ କୋଚିଂ ଦେଉଥିଲେ ଏଣିକି ଆଉ ନିସ୍ତାର ନାହିଁ । ରାଜ୍ୟ ସରକାର ସେଥିପାଇଁ ପଦକ୍ଷେପ ନେବେ । ଯେଉଁ ଅଧ୍ୟାପକମାନେ ଘରୋଇ କୋଚିଂ କରୁଛନ୍ତି, ଏ ସମ୍ପର୍କରେ ସରକାରଙ୍କୁ ଅବଗତ କରାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଉଚ୍ଚଶିକ୍ଷା ବିଭାଗ ନିୟମ ଅନୁସାରେ ଦୃଢ ପଦକ୍ଷେପ ନିଆଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ।

ସେହିପରି  କଲେଜ ପରିଚାଳନା ପରିଷଦରେ ବି ରହିବେନି ବିଧାୟକ । କେବଳ ଶିକ୍ଷାବିତମାନେ ହିଁ କଲେଜ ପରିଚାଳନା ପରିଷଦରେ ସଦସ୍ୟ ହୋଇ ରହିବେ । ଆଜି ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଓଡିଶା ଅଭିଭାବକ ମହାଂସଘ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି । କଲେଜ ପରିଚାଳନା କମିଟିକୁ ଅଧିକ ସଶକ୍ତ କରାଯିବ କ୍ଷେତ୍ରରେ ଏହି ପରିବର୍ତ୍ତନ ଅଣାଯାଉଛି। ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ, ଯେଉଁମାନେ ପରିଚାଳନାଗତ ଦକ୍ଷତା ଥିବ ସେମାନଙ୍କୁ ଏହି ଗୁରୁ ଦାୟିତ୍ୱ ଦିଆଯିବ । ଏହା ଉପରେ ଉଚ୍ଚଶିକ୍ଷା ବିଭାଗ ଶ୍ରୀଘ ବିଜ୍ଞପ୍ତି ପ୍ରକାଶ କରିବ ।  ଫଳରେ କଲେଜ ପରିଚାଳନା କ୍ଷେତ୍ରରେ ବ୍ୟାପକ ପରିବର୍ତନ ଆସିପାରିବ ଓ ସୁଦୃଢ ହେବ ବୋଲି ଅରୁଣ ସାହୁ କହିଛନ୍ତି ।

ସମ୍ବନ୍ଧିତ ଖବର