ରଥଯାତ୍ରା ମାମଲାରେ ଗଜପତି ମହାରାଜାଙ୍କ ଅନୁରୋଧ କ୍ରମେ ଆଇନାନୁମୋଦିତ ଅନୁକୂଳ ପଦକ୍ଷେପ ଗ୍ରହଣ କରି‌ବେ ସରକାର

ଭୁବନେଶ୍ବର: ଆସନ୍ତାକାଲି ସୁପ୍ରିମ କୋର୍ଟରେ ରଥଯାତ୍ରା ମାମଲାର ଶୁଣାଣି ପୂର୍ବରୁ ରାଜ୍ୟ ଆଇନ ବିଭାଗ ଆଜି ବିଳମ୍ବିତ ସନ୍ଧ୍ୟାରେ ନିଜର ବିବୃତ୍ତି  ରଖିଛି। ଆଇନ ବିଭାଗ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି କି ଆସନ୍ତାକାଲି ସୁପ୍ରିମକୋର୍ଟରେ ରଥଯାତ୍ରା ସଂପର୍କିତ ମାମଲାର ରିଭ୍ୟୁ ପିଟିସନର ଶୁଣାଣି କାଳରେ ସରକାର ଗଜପତି ମହାରାଜାଙ୍କ ଅନୁରୋଧ କ୍ରମେ ଆଇନ୍ ଅନୁଯାୟୀ ଅନୁକୂଳ ପଦକ୍ଷେପ ଗ୍ରହଣ କରିବେ । ଏଥିସହ ସରକାର ଏହି ବିବୃତ୍ତିିରେ ସ୍ପଷ୍ଟ କରିଛନ୍ତି ଯେ ଭକ୍ତଶୂନ୍ୟ ରଥଯାତ୍ରା ଲାଗି ଗଜପତି ମହାରାଜଙ୍କ ଯେଉଁ ପ୍ରସ୍ତାବ ଥିଲା୧୮ ତାରିଖର ଶୁଣାଣି ବେଳେ ସରକାର ତାହାକୁ ଅଦାଲତରେ ଉପସ୍ଥାପିତ କରିଥିଲେ।

ଏହି ବିଜ୍ଞପ୍ତିରେ ଓଡ଼ିଶା ସରକାର ସ୍ପଷ୍ଟ କରିଛନ୍ତି ଯେ ଜୁନ୍ ୧୮ରେ ଶୁଣାଣି ବେଳେ ସରକାର ସୁପ୍ରିମ କୋର୍ଟଙ୍କ ସମ୍ମୁଖରେ ସମଗ୍ର ରାଜ୍ୟରେ ଚାଲିଥିବା ହଜାର ହଜାର ରଥଯାତ୍ରା ସଂପର୍କରେ ବୟାନ ରଖିଥିଲେ। ରାଜ୍ୟରେ ରଥଯାତ୍ରାରେ ଲକ୍ଷ ଲକ୍ଷ ଜନସମାଗମ ହୁଏ ଏବଂ ପ୍ରାୟ ପ୍ରତ୍ୟେକ ଗ୍ରାମ ଓ ସହରରେ ରଥଯାତ୍ରା ଆୟୋଜିତ ହୋଇଥାଏ । ସାମଗ୍ରିକ ଭାବେ ଏହା କୋର୍ଟରେ ଉପସ୍ଥାପିତ ହୋଇଥିଲା।

ରଥାଯାତ୍ରା କାଳରେ କୋଭିଡ୍‌-୧୯ ମହାମାରୀ ଯେପରି ଅଧିକ ନ ବ୍ୟାପେ ସେଥିପ୍ରତି ମଧ୍ୟ ରାଜ୍ୟ ସରକାର ସମସ୍ତ ପ୍ରକାରର ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବେ ବୋଲି ଆଇନ ବିଭାଗ ପକ୍ଷରୁ ଜାରି ବିବୃତ୍ତିରେ ସ୍ପଷ୍ଟ କରି ଦିଆଯାଇଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଆସନ୍ତାକାଲି ସୁପ୍ରିମ କୋର୍ଟରେ ରଥଯାତ୍ରା ମାମଲାର ଶୁଣାଣି ହେବ। ସୁପ୍ରିମକୋର୍ଟଙ୍କ ରଥଯାତ୍ରା ବନ୍ଦ ରାୟର ପୁନଃବିଚାର ପାଇଁ ଏକାଧିକ ଆବେଦନ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ସୁପ୍ରିମ କୋର୍ଟର ୩ ନମ୍ବର ଭର୍ଚୁଆଲ୍ କୋର୍ଟରେ ଆସନ୍ତା ସୋମବାର ପୂର୍ବାହ୍ନ ୧୧ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାମଲାର ଶୁଣାଣି ଲାଗି ସମୟ ସ୍ଥିର ହୋଇଛି। ସୁପ୍ରିମ କୋର୍ଟର ଜଣିକିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବ। ଜଷ୍ଟିସ୍‌ ଏସ୍‌ ରବୀନ୍ଦ୍ର ଭଟ୍ଟ ଏହି ଆବେଦନର ଶୁଣାଣି କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର