ବାଲେଶ୍ୱର : ତୃଣମୂଳସ୍ତରରେ ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି ୨୦୧୭ ମସିହାରେ ପଞ୍ଚାୟତ ପୁନର୍ଗଠନ କରିଥିଲେ ରାଜ୍ୟ ସରକାର। ବାଲେଶ୍ବର ଜିଲ୍ଲାରେ ୭୧ଟି ନୂଆ ପଞ୍ଚାୟତ ଗଠନ ହୋଇଥିବାବେଳେ ନୂଆ ପଞ୍ଚାୟତ କାର୍ଯ୍ୟାଳୟଗୁଡ଼ିକର ଗୃହ ନିର୍ମାଣ ପାଇଁ ପଞ୍ଚାୟତ ପିଛା ୩୫ ଲକ୍ଷ ଟଙ୍କା ହିସାବରେ ମୋଟ୍ ୨୪ କୋଟି ୫୦ ଲକ୍ଷ ଅନୁଦାନ ଯୋଗାଇ ଦେଇଥିଲେ ସରକାର। ଏହି ଅର୍ଥରେ ବାଲେଶ୍ବର ସଦର ବ୍ଲକରେ ୧୦ଟି, ଭୋଗରାଇରେ ୧୮ଟି, ବସ୍ତାରେ ୯ଟି, ରେମୁଣାରେ ୮ଟି, ଜଳେଶ୍ବରରେ ୮ଟି, ଖଇରାରେ ୭, ସିମୁଳିଆରେ ୫, ବାହାନଗାରେ ୩, ସୋରରେ ୨ ଓ ବାଲିଆପାଳ ବ୍ଲକରେ ଗୋଟିଏ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ତିଆରି ପାଇଁ ଯୋଜନା ହୋଇଥିଲା।
ତେବେ ପଞ୍ଚାୟତ ପୁନର୍ଗଠନର ସାଢେ ୫ ବର୍ଷ ପରେ ୭୧ଟି ପଞ୍ଚାୟତରୁ ମାତ୍ର ୩୬ଟିରେ କାର୍ଯ୍ୟାଳୟ ଗୃହ ନିର୍ମାଣ ସରିଛି। ସେଥିମଧ୍ୟରୁ ୨୦ଟି କାର୍ଯ୍ୟକ୍ଷମ ହୋଇଥିବାବେଳେ ଅନ୍ୟ ୧୬ଟି ବିଭିନ୍ନ କାରଣରୁ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏବେ ବି ୩୫ଟି ପଞ୍ଚାୟତର କାର୍ଯ୍ୟାଳୟ ଗୃହ ନିର୍ମାଣରେ ଇଟା ଖଣ୍ଡେ ପଡ଼ିନାହିଁ। ସେଥିମଧ୍ୟରୁ ୩ଟି ସ୍ଥାନରେ କାମ ଆରମ୍ଭ ହୋଇ ଅଧାପନ୍ତରିଆ ଅବସ୍ଥାରେ ପଡ଼ିଥିବାବେଳେ ଆଉ ୨ଟି ସ୍ଥାନରେ କାମ ଆରମ୍ଭ ହୋଇଛି। ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ହୋଇ ପାରୁନଥିବାରୁ ଏ ବାବଦକୁ ୧୩ କୋଟି ୨୪ ଲକ୍ଷ ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଛି। ପଞ୍ଚାୟତରାଜ ବିଭାଗର ବାରମ୍ବାର ତାଗିଦ ସତ୍ତ୍ବେ ଗୃହ ନିର୍ମାଣ ହୋଇ ପାରୁନଥିବାରୁ ଏହି ଟଙ୍କା ଫେରିଯିବାର ଆଶଙ୍କା ସୃଷ୍ଟି ହୋଇଛି। ସେପଟେ ଘର ନଥିବାରୁ ଭଡ଼ା ଘରେ ଓ ସ୍କୁଲ ଘରେ ପଞ୍ଚାୟତ କାର୍ଯ୍ୟ ଚାଲିଛି। ଭଡ଼ା ବାବଦକୁ ସରକାର ବର୍ଷକୁ ୧୦ ଲକ୍ଷ ଟଙ୍କା ବି ଗଣୁଛନ୍ତି।
ସ୍କୁଲରେ ପଞ୍ଚାୟତ କାର୍ଯ୍ୟାଳୟ ଚାଲୁଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେବା ସହ ଲୋକମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଜମି ବିବାଦ ଓ କୋର୍ଟ ମାମଲା ଯୋଗୁ ୩୫ ପଞ୍ଚାୟତର ନୂତନ ଗୃହ ନିର୍ମାଣ ହୋଇ ପାରୁନାହିଁ ବୋଲି ଜିଲ୍ଲା ପ୍ରଶାସନ କହୁଥିବାବେଳେ ସରକାରୀ କଳର ଆନ୍ତରିକତା ଅଭାବରୁ ଗୃହ ନିର୍ମାଣ କାର୍ଯ୍ୟ ଅଟକି ରହିଛି ବୋଲି ପଞ୍ଚାୟତ ଜନ ପ୍ରତିନିଧିମାନେ କହିଛନ୍ତି। ଏ ନେଇ ଜିଲ୍ଲା ପଞ୍ଚାୟତ ଅଧିକାରୀ ରବିଚନ୍ଦ୍ର କହଁରଙ୍କୁ ପଚରାଯିବାରୁ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି କହିଥିଲେ। ତେବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରବୀନ୍ଦ୍ର କୁମାର ସାହୁଙ୍କ ସୂଚନା ମୁତାବକ, ଜମି ବିବାଦ ଓ କୋର୍ଟ ମାମଲା ପାଇଁ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣରେ ବିଳମ୍ବ ହେଉଛି। ବିବାଦର ସମାଧାନ ସହିତ ଗୃହ ନିର୍ମାଣ ନିମନ୍ତେ ସରକାରୀସ୍ତରରେ ଉଦ୍ୟମ ଚାଲିଛି ବୋଲି ସେ କହିଛନ୍ତି।