ସ୍କୁଲ ମିଶ୍ରଣ ସପକ୍ଷରେ ସରକାରଙ୍କ ଯୁକ୍ତି: ଜନହିତ, ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ‌ଉଦ୍ଦିଷ୍ଟ

କଟକ: ସ୍କୁଲ ମିଶ୍ରଣ ସମ୍ପର୍କିତ ମାମଲାର ଆଜି ହାଇକୋର୍ଟରେ ଚୂଡାନ୍ତ ପର୍ଯ୍ୟାୟ ଶୁଣାଣି ଆରମ୍ଭ ହୋଇଛି। ସ୍କୁଲ୍‌ ମିଶ୍ରଣ ସମ୍ପର୍କିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତିକୁ ରଦ୍ଦ କରି ଜଣିକିଆ ବିଚାରପତି ୨୦୨୧ ମେ’ ୪ରେ ପ୍ରଦାନ କରିଥିବା ରାୟ ବିରୋଧରେ ରାଜ୍ୟ ସରକାର ଦାୟର କରିଥିବା ରିଟ୍ ଅପିଲ୍‌ର ଆଜି ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ୍‌ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଥିଲା। ସରକାରଙ୍କ ତରଫରୁ ଆଡଭୋକେଟ୍‌ ଜେନେରାଲ୍‌ ଅଶୋକ କୁମାର ପରିଜା ଦୁଇଘଣ୍ଟାରୁ ଅଧିକ ସମୟ ଧରି ଯୁକ୍ତି ଉପସ୍ଥାପନ କରିଥିଲେ। ସାମ୍ବିଧାନିକ ବ୍ୟବସ୍ଥା, ଜାତୀୟ ଶିକ୍ଷାନୀତି ଓ ଶିକ୍ଷା ଅଧିକାର ଆଇନ ଅନୁସାରେ ସରକାର ଜନହିତରେ ଓ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ପାଇଁ ଏପରି ନିଷ୍ପତ୍ତି ନେଇଥିଲେ ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ଏଥିସହିତ ସୁପ୍ରିମକୋର୍ଟଙ୍କ ବିଭିନ୍ନ ରାୟର ନଜିର ସରକାରଙ୍କ ତରଫରୁ ଉପସ୍ଥାପନ କରାଯାଇଥିଲା। ସରକାରଙ୍କ ଯୁକ୍ତି ଉପରେ ପ୍ରତିପକ୍ଷଙ୍କ ତରଫରୁ ଯୁକ୍ତି ଉପସ୍ଥାପନ ଆରମ୍ଭ କରାଯାଇଥିଲା। ପ୍ରତିପକ୍ଷଙ୍କ ଯୁକ୍ତି ଉପସ୍ଥାପନ ଅସମ୍ପୂର୍ଣ୍ଣ ରହିଥିବା ବେଳେ ଏପ୍ରିଲ୍‌ ୧୬ ତାରିଖ ଦିନ ୨ଟାକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ରାଜ୍ୟରେ ଶତାଧିକ ସରକାରୀ ସ୍କୁଲ୍‌କୁ ବନ୍ଦ କରିବା ଓ ଅନ୍ୟ ସ୍କୁଲ୍‌ ସହିତ ମିଶ୍ରଣ କରିବା ସମ୍ପର୍କିତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତିକୁ ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୧ ମେ’ ୪ରେ ରଦ୍ଦ କରିଥିଲେ। ଗଣଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ପ୍ରକାଶିତ ୨୦୨୦ ମାର୍ଚ୍ଚ ୧୧ର ମୂଳ ବିଜ୍ଞପ୍ତି ସହିତ ପରବର୍ତ୍ତୀ ସମୟରେ ୨୦୨୦ ଡିସେମ୍ବର ୧୪ରେ ପ୍ରକାଶିତ ବିଜ୍ଞପ୍ତିକୁ ୨୦୨୧ ମେ’ ୪ରେ ରଦ୍ଦ କରାଯାଇଥିଲା। ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣ ସମ୍ପର୍କିତ ବିଜ୍ଞପ୍ତି ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ, ୨୦୦୯ ଓ ଓଡ଼ିଶାର ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ, ୨୦୧୦ର ଉଲ୍ଲଂଘନ କରୁଥିବା ଦର୍ଶାଇ ଏହାକୁ ରଦ୍ଦ କରିବା ସପକ୍ଷରେ ରାୟ ପ୍ରଦାନ କରାଯାଇଥିଲା। ଏଥିସହିତ ମିଶ୍ରଣ ପୂର୍ବର ଅବସ୍ଥାରେ ଆବେଦନକାରୀ ସ୍କୁଲକୁ ପୁନଃସ୍ଥାପିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଏହି ସ୍କୁଲ୍‌ଗୁଡିକ ‌କିପରି ସୁଚାରୁ ଭାବେ କାର୍ଯ୍ୟ କରିବ ସେଥି ପାଇଁ ଆବଶ୍ୟକ ଭିତ୍ତିଭୂମି ଓ ଅନ୍ୟାନ୍ୟ ବ୍ୟବସ୍ଥା ସରକ‌ାର ଯୋଗାଇ ଦେବେ। ସ୍କୁଲ୍‌ଗୁଡିକର ଉପସ୍ଥାପନ କମିବା ପାଇଁ ସରକାରଙ୍କ ଶିକ୍ଷାନୀତି ପରୋକ୍ଷରେ ଦାୟୀ। ଉପଯୁକ୍ତ ଭିତ୍ତିଭୂମି ଓ ଆନୁଷଙ୍ଗିକ ସୁବିଧା ନ ଦେଇ ସ୍କୁଲ ଗୁଡିକ ମିଶ୍ରଣ ପାଇଁ ନିଷ୍ପତ୍ତି ନେବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ପ୍ରସଙ୍ଗକୁ ଅଣଦେଖା କରି ସରକାର ଏପରି ନିଷ୍ପତ୍ତି ନେଇଥିବା ବେଳେ ଏହା ରଦ୍ଦ କରାଯିବା ଉଚିତ ବୋଲି ମେ ୪ରେ ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଥିଲା। ହାଇକୋର୍ଟର ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୧ ମେ’ ୪ରେ ପ୍ରଦାନ କରିଥବା ଏହି ରାୟ ବିରୋଧରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦୁଇଜଣିଆ ଖଣ୍ଡପୀଠରେ ରିଟ୍ ଅପିଲ୍‌ ଦାୟର କରାଯାଇଥିଲା। ପ୍ରତିପକ୍ଷଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ଓ ଆଇନଜୀବୀ ଅମିୟ କୁମାର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର