ସରକାରଙ୍କ ‘ବେଟି ବଚାଅ, ବେଟି ପଢ଼ାଅ’ ଯୋଜନା ଏମିତି! ଲକ୍ଷେ ଖର୍ଚ୍ଚ କରିବାକୁ ଲାଗିଲା ୨ ବର୍ଷ!

ଫେରିଗଲା ୨୪ ଲକ୍ଷ କେନ୍ଦ୍ରୀୟ ଅନୁଦାନ

ଭଦ୍ରକ : ପୁଅଝିଅଙ୍କ ମଧ୍ୟରେ ଲିଙ୍ଗଗତ ତାରତମ୍ୟ ଦୂର କରିବା ଏବଂ କନ୍ୟାସନ୍ତାନଙ୍କ ସୁରକ୍ଷା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ‘ବେଟି ବଚାଅ, ବେଟି ପଢ଼ାଅ’ ଯୋଜନା। ହେଲେ ଭଦ୍ରକ ଜିଲ୍ଲାରେ ଏହି ଯୋଜନା ଫେଲ୍ ମାରିଛି। ପ୍ରାଶାସନିକ କଳର ଅପାରଗତା ଯୋଗୁଁ ଏ ବାବଦରେ ମିଳିଥିବା ଅନୁଦାନରୁ ୫ ପ୍ରତିଶତ ବି ଖର୍ଚ୍ଚ ହୋଇ ପାରିନାହିଁ। ଫଳରେ ୨୪ ଲକ୍ଷ ଟଙ୍କା ଫେରିଯାଇଛି।

ଦେଶରେ ପୁଅଙ୍କ ତୁଳନାରେ ଝିଅଙ୍କ ସଂଖ୍ୟା କମି ଯାଉଛି। ପୁଅଝିଅଙ୍କ ଆନୁପାତିକ ପରିସଂଖ୍ୟାନକୁ ଲକ୍ଷ୍ୟ କରି କେନ୍ଦ୍ର ସରକାର ଓଡ଼ିଶା ସମେତ ଦେଶବ୍ୟାପୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଏଥିପାଇଁ ଗାଁଠୁ ସହର ଯାଏ ସଚେତନତା ବାର୍ତ୍ତା ବାଣ୍ଟିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଥିଲା। ସଚେତନତା ରଥ ପରିକ୍ରମା, ପ୍ରଚାରପତ୍ର ବଣ୍ଟନ, ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା ଆୟୋଜନ ପାଇଁ ୨୦୧୯ ମସିହା‌‌ରେ ଜିଲ୍ଲାକୁ ମିଳିଥିଲା ୨୫ ଲକ୍ଷ ଟଙ୍କାର କେନ୍ଦ୍ରୀୟ ଅନୁଦାନ। ଏହି ଯୋଜନାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା ଦାୟିତ୍ବ ଥିଲା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର। ତଦନୁଯାୟୀ ବିଭିନ୍ନ ସାମାଜିକ ସଙ୍ଗଠନ, ଶିକ୍ଷକ, ଆଶା, ଅଙ୍ଗନବାଡ଼ି କର୍ମୀ, ପିଆର୍‌ଆଇ ସଦସ୍ୟ ଓ ସାଧାରଣ ଲୋକଙ୍କୁ ନେଇ ଉଭୟ ଗ୍ରାମାଞ୍ଚଳ, ସହରାଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟ, ଏଭଳି ଏକ ମହତ୍ବକାଂକ୍ଷୀ ଯୋଜନା କାର୍ଯ୍ୟକାରୀ ହେବାର ୨ ବର୍ଷ ପରେ ମଧ୍ୟ ଅନୁଦାନ ଖର୍ଚ୍ଚ କରିପାରିଲାନି ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ। ୨୫ ଲକ୍ଷରୁ ବହୁ କଷ୍ଟରେ ସଚେତନତା ରଥ ବୁଲା ଓ ଅନ୍ୟ କିଛି ବାଟରେ ୧ ଲକ୍ଷ ଖର୍ଚ୍ଚ କରିବା ପରେ ହାତ ଟେକିଦେଲା। ଫଳସ୍ବରୂପ ଏହି ଯୋଜନା ଖାଲି ବାଟବଣା ହେଲାନି, ଜିଲ୍ଲାବାସୀ ଏ ବିଷୟରେ ବିନ୍ଦୁବିସର୍ଗ ବି ଜାଣିପାରିଲେନି।

୨୫ ଲକ୍ଷ ଅନୁଦାନ ରାଶି ଖର୍ଚ୍ଚ କରିବାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ର ଉଦାସୀନତା ପ୍ରତ୍ୟକ୍ଷ‌ରେ ଜିଲ୍ଲା ପ୍ରଶାସନର ଚରମ ବିଫଳତା। ପ୍ରଶାସନିକ କଳର ଅପାରଗତା ପାଇଁ ଜିଲ୍ଲାକୁ ବିଭିନ୍ନ ଯୋଜନାରେ ଆସୁଥିବା ଟଙ୍କା ଖର୍ଚ୍ଚ ନହୋଇ ଫେରିଯାଉଛି। ଭାତହାଣ୍ଡିରୁ ଗୋଟିଏ ଭଳି ଏହା ଏକ ଦୃଷ୍ଟାନ୍ତ ମାତ୍ର। ସରକାରୀ ଅନୁଦାନ ଆସିଥିଲା, ଯୋଜନାର ପ୍ରଚାର ପ୍ରସାର ପାଇଁ। ଏସବୁ କାମ ପାଇଁ ଉତ୍ତରଦାୟୀ ଥିବା ପଦାଧିକାରୀମାନେ ମାସକୁ ମୋଟା ଅଙ୍କର ଦରମା ପାଉଥିବା ବେଳେ କାହିଁକି ସରକାରୀ ଅନୁଦାନ ଖର୍ଚ୍ଚ କରିପାରିଲେନି ତାହା ଏକ ବଡ଼ ପ୍ରଶ୍ନ। ଜିଲ୍ଲାପାଳ ନିଜେ ଏହାକୁ ଅନୁଧ୍ୟାନ କରିବା ସହ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଅଚଳ ପଛର କାରଣ ଖୋଜି କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର