ଭୁବନେଶ୍ୱର: ଆପାର୍ଟମେଣ୍ଟ କିଣାବିକାକୁ ନେଇ ଲାଗି ରହିଥିବା ବିବାଦ ସମାଧାନ ହେବାକୁ ଯାଉଛି। ୨୦୧୭ ପୂର୍ବରୁ ବା ରେରା ଲାଗୁ ହେବା ପୂର୍ବରୁ ଯେଉଁ ଆପାର୍ଟମେଣ୍ଟଗୁଡ଼ିକ ସମ୍ପୂର୍ଣ୍ଣ ହୋଇଥିବା ପ୍ରମାଣପତ୍ର ହାସଲ କରିଛନ୍ତି ସେଗୁଡ଼ିକର ଫ୍ଲାଟ୍ ବିକାକିଣା ହୋଇପାରିବ। ଗତ ୨୦୨୩ ଜୁନ ୨୮ ତାରିଖରୁ କାର୍ଯ୍ୟକାରି ହେଉଥିବା ଓଡିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧିନିୟମ ବଳବତ୍ତର ଥିବା ସତ୍ତ୍ବେ ଏହି ସବୁ ଆପାର୍ଟମେଣ୍ଟଗୁଡ଼ିକ ପଞ୍ଜୀକରଣ କରାଯାଇପାରିବ। ଏ ନେଇ ଆଜି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ବାବଦରେ ଉପଯୁକ୍ତ ନିର୍ଦ୍ଦେଶନାମା ରାଜ୍ୟର ବିଭିନ୍ନ ସବ୍ରେଜିଷ୍ଟ୍ରାର ଓ ଅନ୍ୟାନ୍ୟ ଅଧିକୃତ ଅଧିକାରୀଙ୍କୁ ଜାରି କରିବାକୁ ରାଜସ୍ବ ଓ ବିପର୍ଯ୍ୟୟ ବିଭାଗକୁ ପରାମର୍ଶ ଦିଆଯାଇଛି। ବିଡିଏ ଓ ବିଏମ୍ସିରେ ଓଡିଶା ଡେଭେଲପମେଣ୍ଟ ଅଥରିଟି, ୧୯୮୨ କାର୍ଯ୍ୟକାରିତା ନେଇ ବିଭିନ୍ନ ସମୟରେ ଜାରି କରାଯାଇଥିବା ଆଦେଶନାମା ବିରୋଧରେ ପଡ଼ିରହିଥିବା ଅପିଲଗୁଡିକର ତୁରନ୍ତ ଫଇସଲା କରିବାକୁ ୭ ଜଣ ବରିଷ୍ଠ ଅଧିକାରୀଙ୍କୁ ସ୍ୱତନ୍ତ୍ର ଭାବେ ଦାଇତ୍ୱ ଦିଆଯାଇଛି। ଏଭଳି ୭୦୦ରୁ ଊର୍ଦ୍ଧ୍ବ ଅପିଲ ମାମଲା ପଡ଼ିଥିବା ବେଳେ ୩୦ ହଜାର ଫ୍ଲାଟ୍ ମାଲିକ ଫସି ରହିଥିଲେ। ଏହି ସବୁ ମାମଲା ତୁରନ୍ତ ଫଇସଲା କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ କୁହାଯାଇଛି।
୨୦୧୭ ପୂର୍ବରୁ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ପ୍ରମାଣପତ୍ର(କମ୍ପ୍ଲିସନ ସାର୍ଟିଫିକେଟ୍) ସ୍ବୀକୃତିପ୍ରାପ୍ତ ଆର୍କିଟେକ୍ଟ୍ମାନେ ଦେଉଥିଲେ। ଓଡ଼ିଶା ଉନ୍ନୟନ ଆଇନ(ଓଡିଏ) ବଳରେ ସେମାନେ କ୍ଷମତାସୀନ ଥିଲେ। କିନ୍ତୁ ରେରା ଆସିବା ପରେ କେବଳ ଉନ୍ନୟନ କର୍ତ୍ତୃପକ୍ଷ କିମ୍ବା ଅଧିକୃତ ସଂସ୍ଥା ଓସି(ଅକ୍ୟୁପାନ୍ସି ସାର୍ଟିଫିକେଟ୍) ପ୍ରଦାନ କରିବାକୁ ବାଧ୍ୟତାମୂଳକ କରାଗଲା। ଫଳରେ ଯେଉଁମାନେ ସ୍ବୀକୃତିପ୍ରାପ୍ତ ଆର୍କିଟେକ୍ଟ୍ମାନଙ୍କ ଜରିଆରେ ପୂର୍ଣ୍ଣାଙ୍ଗ ପ୍ରମାଣପତ୍ର ହାସଲ କରିଥିଲେ ସେମାନେ ପୁଣି ଥରେ ଅଧିକୃତ ସଂସ୍ଥାଙ୍କ ଠାରୁ ଓସି ଆଣିବାକୁ ବାଧ୍ୟ ହେଲେ। ନ ହେଲେ ପଞ୍ଜୀକରଣ ସମ୍ଭବ ହେଲାନାହିଁ। ଫଳରେ ହଜାର ହଜାର ବିଲ୍ଡର ଫସିରହିଥିଲେ। ତାଙ୍କ ସହ ୩୦ ହଜାରରୁ ଊର୍ଦ୍ଧ୍ବ ଫ୍ଲାଟ୍ମାଲିକ ମଧ୍ୟ ଏହି ଆଇନରେ ଫସି ଯାଇଥିଲେ। ନିଜ ଫ୍ଲାଟ୍କୁ ବିକ୍ରି କରିପାରୁ ନଥିଲେ। ଏହାକୁ ନେଇ ବିବାଦ ବଢ଼ିବା ସହ ମାମଲା କୋର୍ଟରେ ପହଞ୍ଚିଥିଲା।
ସରକାରଙ୍କ ବଡ଼ ନିଷ୍ପତ୍ତି
ଫସିଥିଲେ ୩୦ ହଜାର ଫ୍ଲାଟ୍ ମାଲିକ
ଏ ନେଇ କ୍ରେଡାଇ ଓଡ଼ିଶା ଚାପ୍ଟର ସଭାପତି ସ୍ବଦେଶ ରାଉତରାୟ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରି କହିଛନ୍ତି, ଯେତେବେଳେ ଯାହା ନିୟମ ଥିଲା ସେହି ଅନୁସାରେ ଆପାର୍ଟମେଣ୍ଟ ତିଆରି ହେବା ସହ ପୂର୍ଣ୍ଣାଙ୍ଗ ପ୍ରମାଣପତ୍ର ହାସଲ କରିଥିଲେ। କିନ୍ତୁ ୨୦୧୭ରେ ରେରା ଆସିବା ପରେ ସେହି ସବୁ ପ୍ରକଳ୍ପକୁ ରେରା ଅଧୀନକୁ ଆଣି ଆଇନ୍ରେ ଛନ୍ଦିଦେଲେ। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏବେ ସରକାର ୨୦୧୭ ପୂର୍ବରୁ ଓସି ପାଇଥିବା ସମସ୍ତ ଆପାର୍ଟମେଣ୍ଟକୁ ଏହି କଟକଣାରୁ ମୁକ୍ତ କରିଛନ୍ତି। କିନ୍ତୁ ରାଜସ୍ବ ବିଭାଗ ଏ ବାବଦରେ ଯଥାଶୀଘ୍ର ବିଜ୍ଞପ୍ତି ପ୍ରକାଶ କରିବା ଜରୁରି। ୨୦୧୭ ପରେ ନିର୍ମିତ ଆପାର୍ଟମେଣ୍ଟ ପଞ୍ଜୀକରଣକୁ ନେଇ ମଧ୍ୟ ସମସ୍ୟା ରହିଛି। ଆପାର୍ଟମେଣ୍ଟ ତୁଳନାରେ ଆଲଟି ଆସୋସିଏସନ ଗଠନ ଢେର୍ କମ ରହିଛି। କେଉଁଠି ୧୦୦ ଘର ଥିବା ବେଳେ ଅର୍ଦ୍ଧାଧିକ ଫ୍ଲାଟ୍ ମାଲିକ ବାହାରେ ରହୁଛନ୍ତି, ଧରାଛୁଆଁ ଦେଉ ନାହାନ୍ତି। ଏଥିରେ କୌଣସି ସ୍ବାର୍ଥ ନଥିବାରୁ ବିଲ୍ଡରର ମଧ୍ୟ ସମସ୍ତଙ୍କୁ ଏକାଠି କରିବା ଉଦ୍ୟମ କରୁନାହିଁ। ସବୁ ମାଲିକ ମଧ୍ୟ ଏକାଠି ହୋଇ ପାରୁନାହାନ୍ତି। ଏ ସବୁକୁ ସହଜ କରିବାକୁ ସରକାର ପଦକ୍ଷେପ ନେବା ଜରୁରି ହୋଇଥିବା ମାଲିକମାନେ ଦାବି କରିଛନ୍ତି।
ଉଲ୍ଲେଖଯୋଗ୍ୟ, ୧୯୮୨ରେ ପ୍ରଣିତ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଆଇନ ୨୦୧୫ରେ ସଂଶୋଧନ କରାଯାଇଥିଲା। ୨୦୧୬ରେ ସ୍ଥାବର ସମ୍ପତ୍ତି କାରବାରକୁ ସୁବ୍ୟବସ୍ଥିତ କରିବା ପାଇଁ ଓଡ଼ିଶା ସ୍ଥାବର ସମ୍ପତ୍ତି ନିୟାମକ କର୍ତ୍ତୃପକ୍ଷ (ରେରା) କାର୍ଯ୍ୟକ୍ଷମ ହୋଇଥିଲା। ରେରା ଆଇନ ବଳବତ୍ତର ଥିବା ସମୟରେ ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା (ସଂଶୋଧିତ) ନିୟମାବଳୀ, ୨୦୨୧ କାର୍ଯ୍ୟକାରୀ କରିଥିଲେ। ଏ ସଂପର୍କିତ ୧୯୯୨ର ନିୟମାବଳୀରେ ସରକାର ସଂଶୋଧନ କରିଥିଲେ। ୨୦୨୧ର ସଂଶୋଧିତ ନିୟମାବଳୀ ରେରା ଆଇନର ବିରୁଦ୍ଧାଚାରଣ କରୁଛି ଓ ଆପାର୍ଟମେଣ୍ଟ ମାଲିକଙ୍କ ସ୍ବାର୍ଥ ବିରୋଧୀ ବୋଲି ଦର୍ଶାଇ କେତେକ ହାଇକୋର୍ଟ ଯାଇଥିଲେ। ଆପାର୍ଟମେଣ୍ଟର ସାଧାରଣ ଅଞ୍ଚଳ (କମନ୍ ଏରିଆ) ମାଲିକମାନଙ୍କୁ ନେଇ ଗଠିତ ଆସୋସିଏସନ୍ ନାଁରେ ପଞ୍ଜୀକୃତ ହେବା କଥା। କିନ୍ତୁ ନିୟମାବଳୀ ଯୋଗୁଁ ଏହି ଅଞ୍ଚଳ ଆସୋସିଏସନ୍ ନାଁରେ ପଞ୍ଜୀକୃତ ହେବାରେ ସମସ୍ୟା ରହିଥିଲା। ଆଲଟି ଆସୋସିଏସନ୍ ଗଠନ ସଂପର୍କିତ ରେରା ଆଇନକୁ କଡ଼ାକଡ଼ି କାର୍ଯ୍ୟକାରୀ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/2-bhk-bedroom-apartment-flat-for-sale-in-sangli.jpg)