ଭୁବନେଶ୍ବର: ଗତ ବର୍ଷକ ମଧ୍ୟରେ ହୋଇଥିବା ଧାନ କିଣାରେ ବହୁ ନକଲି ଚାଷୀ ପଞ୍ଜୀକରଣ କରି ଟୋକନ୍ ପାଇଛନ୍ତି ଏବଂ ରାଜ୍ୟ ସରକାରଙ୍କ ବର୍ଦ୍ଧିତ ଏମ୍ଏସ୍ପିର ଫାଇଦା ନେଇଛନ୍ତି। ତେଣୁ ପ୍ରକୃତ ଚାଷୀ ଯେପରି ଟୋକନ୍ ପାଇବେ ଏବଂ ମଣ୍ଡିରେ ଧାନ ବିକି ଉଚିତ ମୂଲ୍ୟ ପାଇବେ ସେଥିପାଇଁ ସମସ୍ତ ଚାଷୀଙ୍କର ଇ-କେୱାଇସି ବାଧ୍ୟତାମୂଳକ କରାଯାଇଛି। ନଭେମ୍ବର ୧ରୁ ଖରିଫ ଧାନକିଣା ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାରୁ ଏଥିପାଇଁ ଜୁଲାଇ ୧୯ରୁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଅଗଷ୍ଟ ୨୦ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ଯେଉଁ ଚାଷୀ ଇ-କେୱାଇସି କରିବେ ସେମାନଙ୍କୁ ହିଁ ଟୋକନ୍ ମିଳିବ। ତେଣୁ ସମସ୍ତ ଚାଷୀଙ୍କୁ ପୁଣି ଥରେ ନୂତନ ଭାବେ ପ୍ୟାକ୍ସ, ଲ୍ୟାମ୍ପସ୍, ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ, ପାଣି ପଞ୍ଚାୟତ ଆଦିରେ ଆଗୁଆ ପଞ୍ଜୀକରଣ କରିବାକୁ ହେବ। ଚାଷୀ ଏବଂ ଭାଗଚାଷୀଙ୍କ ଆଧାର ଇ-କେୱାଇସି ମାଧ୍ୟମରେ ଚାଷୀ ପଞ୍ଜୀକରଣ କରାଯିବ। ସରକାରଙ୍କୁ ଧାନ ବିକ୍ରି ପାଇଁ ‘ଆଧାର’ ହିଁ ଏକମାତ୍ର ପରିଚୟପତ୍ର ହେବ। ଧାନ ବିକ୍ରୟ ସମୟରେ ‘ଆଧାର’ ମାଧ୍ୟମରେ ପଞ୍ଜିକୃତ ଚାଷୀଙ୍କ ବାୟୋମେଟ୍ରିକ୍ ଚିହ୍ନଟୀକରଣ ଇ-କେୱାଇସି ପ୍ରକ୍ରିୟା ଅବଲମ୍ବନ କରାଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।
ମଣ୍ଡିରେ ଧାନ ବିକିବା ପାଇଁ ଆଧାର ହିଁ ଏକମାତ୍ର ପରିଚୟ ହେବ
ବାପାଙ୍କ ନାମରେ ଜମି ଥିଲେ ବି ପୁଅଙ୍କୁ ଧାନ ବିକିବାକୁ ଟୋକନ୍ ମିଳିବ
ବାପାଙ୍କ ନାମରେ ଜମି ଥିଲେ ବି ପୁଅଙ୍କୁ ଧାନ ବିକିବାକୁ ଟୋକନ୍ ମିଳିବ
ମନ୍ତ୍ରୀ ଶ୍ରୀ ପାତ୍ର ଆହୁରି କହିଛନ୍ତି ଯେ ପୂର୍ବରୁ ଚାଲିଥିବା ବ୍ୟବସ୍ଥାରେ ବହୁ ନକଲି ଚାଷୀ ଉପକୃତ ହେଉଥିବା ଜଣାପଡ଼ିବା ପରେ ଏହି ପଦକ୍ଷେପ ନିଆଯାଇଛି। ସୋସାଇଟିରେ ପଞ୍ଜୀକରଣ ସମୟରେ ଚାଷୀମାନେ ନିଜର ଆଧାର କାର୍ଡ ଏବଂ ଏହାସହ ଲିଙ୍କ୍ ଥିବା ବ୍ୟାଙ୍କ ଆକାଉଣ୍ଟ୍ ନମ୍ବର ଦିଅନ୍ତୁ। ଏହାଦ୍ବାରା ସେମାନଙ୍କ ଆକାଉଣ୍ଟ୍କୁ ସରକାର ଧାର୍ଯ୍ୟ କରିଥିବା କ୍ବିଣ୍ଟାଲ୍ ପିଛା ୩୧୦୦ ଟଙ୍କା ହିସାବରେ ଟଙ୍କା ପଠାଯାଇପାରିବ। ଏହାସହ ମନ୍ତ୍ରୀ କହିଛନ୍ତି ଯେ ଧାନକିଣା ସମୟରେ ବାପାଙ୍କ ନାମରେ ଜମି ଥିଲେ ପୁଅମାନେ ଟୋକନ୍ ପାଉନଥିଲେ। ଏ ନେଇ ସାରା ରାଜ୍ୟରୁ ଅଭିଯୋଗ ଆସିବା ପରେ ନିଷ୍ପତ୍ତି ହୋଇଛି ଯେ ଯଦି କୌଣସି ଖାତାରେ ବାପାଙ୍କ ନାମ ଅଛି ଏବଂ ତାଙ୍କର ଏକାଧିକ ପୁଅ ଅଛନ୍ତି ତେବେ ଯେଉଁ ପୁଅକୁ ଟୋକନ୍ ମିଳିବ ତାଙ୍କୁ ଅନ୍ୟମାନଙ୍କଠାରୁ ସେମାନଙ୍କର କିଛି ଅସୁବିଧା ନାହିଁ ବୋଲି ଲିଖିତ ଭାବେ ସୋସାଇଟି କାର୍ଯ୍ୟାଳୟରେ ଦେବାକୁ ପଡ଼ିବ। ଯଦି ଗୋଟିଏ ଜମିରେ ଏକାଧିକ ଭାଇ ଚାଷ କରୁଥିବେ ତେବେ ସେହି ଅନୁଯାୟୀ ଟୋକନ୍ ଆବଣ୍ଟନ ହେବ। ତେଣୁ ଏବେ ବାପାଙ୍କ ନାଁରେ ଜମିପଟ୍ଟା ଥିଲେ ବି ପୁଅମାନେ ଧାନ ବିକିବାକୁ ଟୋକନ୍ ପାଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି। ଭାଗଚାଷୀମାନଙ୍କ ପାଇଁ ଜମି ମାଲିକଙ୍କ ସହମତି ପତ୍ର ଏବଂ ମୃତ କିମ୍ବା ଯୁଗ୍ମ ପଟ୍ଟା କ୍ଷେତ୍ରରେ ଖାତାଦାରଙ୍କ ସହମତି ପତ୍ରକୁ ପି-ପାସ୍ରେ ଅପଲୋଡ୍ କରିବାକୁ ହେବ। ପଞ୍ଜିକୃତ ଚାଷୀଙ୍କୁ ଚାଷୀ ପଞ୍ଜୀକରଣର ସ୍ଲିପ୍ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।