ଭୁବନେଶ୍ବର: ନିର୍ବାଚନ ପ୍ରଚାର ସମୟରେ ରାଜ୍ୟ ବିଜେପି ନିଜର ନିର୍ବାଚନୀ ଇସ୍ତାହାରରେ ଦେଇଥିବା ଏମ୍‌ଏସ୍‌ପି ଗ୍ୟାରେଣ୍ଟି ପୂରଣ କରିବାକୁ ଯାଉଛନ୍ତି। ଚଳିତମାସ ୨୧ତାରିଖରେ ଓଡ଼ିଶାରେ ଧାନକିଣା ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ବରଗଡ଼ ସୋହେଲାରେ ଏକ ବଡ଼ ସମାବେଶରେ ରାଜ୍ୟ ସରକାର ଚାଷୀଙ୍କୁ ଇନ୍‌ପୁଟ୍‌ ସବ୍‌ସିଡି ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ସଂପୂର୍ଣ୍ଣ ମନ୍ତ୍ରିମଣ୍ଡଳ କାର୍ଯ୍ୟକ୍ରମରେ ସାମିଲ ହେବାର ଯୋଜନା ରହିଛି। ରାଜ୍ୟରେ ଆଉ କିଛିଦିନ ପରେ ମଣ୍ଡି ଖୋଲିବ। ଏଥିପାଇଁ ପ୍ରାଶାସନିକ ସ୍ତରରେ ସମସ୍ତ ପଦକ୍ଷେପ ନିଆଯାଉଛି। ଚଳିତ ଖରିଫ ଋତୁରେ ୮୦ଲକ୍ଷ ଟନ୍‌ ଧାନ କିଣିବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଚଳିତବର୍ଷ ଚାଷୀଙ୍କଠାରୁ କ୍ବିଣ୍ଟାଲ ପ୍ରତି ୩୧ଶହ ଟଙ୍କାରେ ସରକାର ଧାନ କିଣିବେ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) କ୍ବିଣ୍ଟାଲ ପିଛା ୨୩ଶହ ଟଙ୍କା ଓ ରାଜ୍ୟ ସରକାରଙ୍କ ପକ୍ଷରୁ ୮ଶହ ଟଙ୍କା ଇନ୍‌ପୁଟ ସବ୍‌ସିଡିକୁ ମିଶାଇ ୩୧ଶହ ଟଙ୍କାରେ ଚାଷୀ ଧାନ ବିକ୍ରି କରିବେ। ପ୍ରଥମେ ୨୩ଶହ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଯିବ। ଏହାର ୫ ମିନିଟ୍‌ ପରେ ୮ଶହ ଟଙ୍କା ଚ‌ାଷୀଙ୍କ ଆକାଉଣ୍ଟକୁ ଛଡ଼ାଯିବ। କେବଳ ପଶ୍ଚିମ ଓଡ଼ିଶା ନୁହେଁ, ପ୍ରତି ଜିଲ୍ଲାରେ ରାଜ୍ୟ ସରକାର ଚାଷୀ ସମାବେଶ କରିବେ। ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରିବା ସହ ଏହି ସମାବେଶରେ ଯୋଗଦେବେ ବୋଲି ସୂଚନା ମିଳିଛି। 

Advertisment

ବରଗଡ଼ ସମାବେଶରେ ଇନ୍‌ପୁଟ୍ ସବ୍‌ସିଡି ବାଣ୍ଟିବେ ସରକାର
ମୁଖ୍ୟମନ୍ତ୍ରୀଙ୍କ ସମେତ ସାମିଲ ହେବ ପୂରା ମନ୍ତ୍ରିମଣ୍ଡଳ

ଅପରପକ୍ଷରେ ଧାନକିଣା ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଧାନକିଣା ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ବିଭାଗୀୟ ଅଧିକାରୀ ମଣ୍ଡିରେ ରହିବେ। ୪-୫ଟି ମଣ୍ଡିରେ ଜଣେ ଲେଖାଏଁ ସୁପରଭାଇଜର ରହିବେ। ସବୁ ମଣ୍ଡିରେ ଧାନର ମାନ ଯାଞ୍ଚ କରିବା ପାଇଁ କ୍ବାଲିଟି ଟେଷ୍ଟିଂ ମେସିନ ରହିବ। ପରିବହନ ବିଭାଗ ମଣ୍ଡିରୁ ମିଲ ପର୍ଯ୍ୟନ୍ତ ଧାନ ପରିବହନ ବ୍ୟବସ୍ଥା ତଦାରଖ କରିବ। ସେହିପରି ପଡ଼ୋଶୀ ରାଜ୍ୟରୁ ଯେପରି ଧାନ ଓଡ଼ିଶାକୁ ପ୍ରବେଶ ନ କରିବ ସେଥିପାଇଁ ପ‌ାଟ୍ରୋଲିଂ ଟିମ୍ ମୁତୟନ କରିବାକୁ ନିଷ୍ପତ୍ତି ନିଆଯାଇଛି। କଟ୍‌ନି ଛଟ୍‌ନି ମୁକ୍ତ ଧାନକିଣା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି ନିକଟରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଥିଲେ। ପ୍ରତିବର୍ଷ ଧାନକିଣା ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିବାର ଦୃଷ୍ଟାନ୍ତ ରହିଛି। ପୂର୍ବ ସରକାରଙ୍କୁ ଏଥି ପାଇଁ ବିଜେପି କଡ଼ା ସମାଲୋଚନା କରୁଥିଲା। ତେଣୁ ଏଥର ବିଜେପି ସରକାର ସମୟରେ ପ୍ରଥମ ଧାନକିଣା ହେଉଥିବାରୁ ଏହାକୁ ସୁବ୍ୟବସ୍ଥିତ କରିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି। ତେବେ ଏହା କେତେଦୂର ତ୍ରୁଟିମୁକ୍ତ ହେଉଛି, ତାହା ଉପରେ ସମସ୍ତ ରାଜନୈତିକ ଦଳର ନଜର ରହିଛି।