ଭୁବନେଶ୍ବର : ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ପାଇଁ ଫସି ଯାଇଛନ୍ତି ସ୍ନାତକ ଠିକା(ମହିଳା) ସୁପରଭାଇଜର। ସ୍ନାତକ ସହିତ ୫ବର୍ଷର ଅଭିଜ୍ଞତା ଥିବା ସତ୍ବେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି କରାଯାଉନାହିଁ। ଅପରପକ୍ଷେ ମାଟ୍ରିକ୍ ପାସ୍ ସହିତ ୧୦ବର୍ଷର ଅଭିଜ୍ଞତା ଥିବା ଅଙ୍ଗନବାଡ଼ି କର୍ମୀଙ୍କୁ ପଦୋନ୍ନତି ସହିତ ସ୍ଥାୟୀ ନିଯୁକ୍ତି ଦିଆଯାଇଛି। ଏଭଳି ଅବିଚାର ବିରୋଧରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ ସରକାର ବିଭିନ୍ନ ବାହାନା କରି ଏହାକୁ ଏଡ଼ାଇ ଯାଉଛନ୍ତି। ପ୍ରତିବାଦରେ ଗତ ୧୭ଦିନ ହେବ ଅଲ ଓଡ଼ିଶା ସ୍ନାତକ ଠିକା ମହିଳା(ଆଇସିଡିଏସ୍) ସୁପରଭାଇଜର ସଂଘ ପକ୍ଷରୁ ଲୋୟର ପିଏମ୍ଜିରେ ଧାରଣା ଦିଆଯାଇଛି। ସରକାରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ନ ପାଇବା ପର୍ଯ୍ୟନ୍ତ ସଂଘ ଆନ୍ଦୋଳନରୁ ଓହରିବ ନାହିଁ ବୋଲି ଚେତାବନୀ ଦେଇଛି।
୨୦୦୮ ମସିହାରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୫ବର୍ଷର ଅଭିଜ୍ଞତା ଥିବା ସ୍ନାତକ ଅଙ୍ଗନବାଡ଼ି କର୍ମୀଙ୍କୁ ଆଇସିଡିଏସ୍ ସୁପରଭାଇଜର ପଦବିରେ ପଦୋନ୍ନତି ଦିଆଯାଇଛି। ପରବର୍ତୀ ସମୟରେ ମାଟ୍ରିକ୍ ପାସ୍ ସହିତ ୧୦ବର୍ଷର ଅଭିଜ୍ଞତା ଥିବା ଅଙ୍ଗନବାଡ଼ି କର୍ମୀଙ୍କୁ ମଧ୍ୟ ସମାନ ପଦୋନ୍ନତି ମିଳିଛି। ହେଲେ ମାଟ୍ରିକ୍ ପାସ୍ କରିଥିବା ଅଙ୍ଗନବାଡ଼ି କର୍ମୀଙ୍କୁ ସ୍ଥାୟୀ କରାଯାଇଥିବା ବେଳେ ସ୍ନାତକ ସହିତ ୫ବର୍ଷ ଅଭିଜ୍ଞତା ଥିବା କର୍ମୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିନାହିଁ। ଅଧିକାଂଶ ସ୍ନାତକ ଆଇସିଡିଏସ୍ ସୁପରଭାଇଜଙ୍କ ଚାକିରି ୧୫-୨୦ବର୍ଷ ହୋଇ ସାରିଲାଣି। ପୂର୍ବରୁ ୫୫୭ଜଣ ସ୍ନାତକ ଠିକା(ମହିଳା) ଆଇସିଡିଏସ୍ ସୁପରଭାଇଜର ରହିଥିବା ବେଳେ ତହିଁରୁ ଅନେକ ସ୍ଥାୟୀ ନିଯୁକ୍ତି ବିନା ଅବସର ନେଇ ସାରିଲେଣି। ତଥାପି ରାଜ୍ୟ ସରକାର ଠିକା(ମହିଳା) ସୁପରଭାଇଜରଙ୍କୁ ସ୍ଥାୟୀ ନିଯୁକ୍ତି ନେଇ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଦୀର୍ଘ ବର୍ଷ ଚାକିରି କରିବା ପରେ ମଧ୍ୟ ସ୍ଥାୟୀ ନିଯୁକ୍ତି ମିଳି ନ ଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି।
ସଂଘର ସଭାପତି ସୀତା ମେହେର, ବାଲ୍ୟବତୀ ମହାନ୍ତିଙ୍କ କହିବା କଥା, ୨୦୦୮ରୁ ୨୦୧୨ ମସିହା ଭିତରେ ୫୫୭ଜଣ ସ୍ନାତକ ଅଙ୍ଗନବାଡ଼ି କର୍ମୀଙ୍କୁ ଆଇସିଡିଏସ୍ ସୁପରଭାଇଜର ଭାବେ ପଦୋନ୍ନତି ଦିଆଯାଇଛି। ହେଲେ ଏ ପର୍ଯ୍ୟନ୍ତ ସ୍ଥାୟୀ କରାଯାଉନାହିଁ। ପଦୋନ୍ନତି ମିଳିବା ପରେ ସେମାନଙ୍କୁ ଜିଲ୍ଲାର ବିଭିନ୍ନ ବ୍ଲକ୍ରେ କାର୍ଯ୍ୟ କରିବାକୁ ପଡ଼ୁଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ସଫଳଭାବେ କାର୍ଯ୍ୟକାରୀ କରିବା ଦିଗରେ ଆଇସିଡିଏସ୍ ସୁପରଭାଇଜରମାନେ କାମ କରୁଛନ୍ତି। ଗୋଟିଏ ପଟେ ମାଟ୍ରିକ୍ ପାସ ଅଙ୍ଗନବାଡ଼ି କର୍ମୀଙ୍କୁ ସ୍ଥାୟୀ କରାଯାଉଥିବା ବେଳେ ସ୍ନାତକମାନଙ୍କୁ ଅଣଦେଖା କରାଯାଉଛି। ଏହାର ପ୍ରତିବାଦରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମହିଳା ଆଇସିଡିଏସ୍ ସୁପରଭାଇଜରମାନେ ରାଜରାସ୍ତାରେ ବସିଛନ୍ତି। ନିକଟରେ ରାଜ୍ୟ ସରକାରଙ୍କ ସହିତ ଏ ସଂପର୍କରେ ଆଲୋଚନା ହୋଇଥିଲା। କିନ୍ତୁ ସରକାର ସଂଘର ଦାବି ପୂରଣ ସଂପର୍କରେ ଲିଖିତ ପ୍ରତିଶ୍ରୁତି ଦେଇ ନାହାନ୍ତି। ତେଣୁ ନିଯୁକ୍ତି ଦିନରୁ ଚାକିରି ନିୟମିତ କରିବା, ସମାନ କାମକୁ ସମାନ ଦରମା ଓ ସମସ୍ତ ସରକାରୀ ସୁବିଧା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି।