ସରକାରର ନବକଳେବର: ୧୨ ଜଣ ବାଦ୍ ପଡ଼ିଲେ, ମନ୍ତ୍ରୀଶୂନ୍ୟ ହେଲା ୧୨ ଜିଲ୍ଲା

ସମ୍ଭାବ୍ୟ ତାଲିକାରେ ୬ ନୂଆ ମୁହଁ
ମହିଳା ମନ୍ତ୍ରୀ ସଂଖ୍ୟା ହେବ ୫, ପ୍ରଶାନ୍ତ ମୁଦୁଲି ହେବେ ମୁଖ୍ୟ ସଚେତକ
ଅଶୋକ ପଣ୍ଡାଙ୍କୁ ପଦୋନ୍ନତି, ପୁରୁଣା ମନ୍ତ୍ରୀଙ୍କ ବିଭାଗ ବଦଳିବ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ନୂଆ ମନ୍ତ୍ରିମଣ୍ଡଳ ଗଠନ କରିବାକୁ ଯାଉଛନ୍ତି। ପୁରୁଣା ମନ୍ତ୍ରିମଣ୍ଡଳରୁ ୧୨ ଜଣ ମନ୍ତ୍ରୀଙ୍କୁ ବାଦ୍ ଦିଆଯିବ। କେବଳ ସେତିକି ନୁହେଁ, ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ପଦବିରେ ବି ନୂଆ ମୁହଁଙ୍କୁ ଦେଖିବାକୁ ମିଳିବ। ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଥିବା ସବୁ ମନ୍ତ୍ରୀଙ୍କୁ ଫୋନ୍‌ ଯାଇସାରିଛି। ଆସନ୍ତାକାଲି ୧୧ଟା ୪୫ରେ ଲୋକସେବା ଭବନ କନଭେନସନ୍ ହଲରେ ନୂଆ ମନ୍ତ୍ରୀମାନଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।

ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୧୩ ଜଣ କ୍ୟାବିନେଟ୍ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀ ସ୍ଥାନ ପାଇଛନ୍ତି। ଏଥିସହିତ ଆସନ୍ତାକାଲି ଅପରାହ୍ନରେ ମନ୍ତ୍ରୀମାନଙ୍କୁ ନୂଆ ବିଭାଗ ଧରାଇ ଦିଆଯିବ ବୋଲି ସୂଚନା ମିଳିଛି।

ସମ୍ଭାବ୍ୟ ନୂଆ ମନ୍ତ୍ରିମଣ୍ଡଳର ରୂପରେଖକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ୨୦୨୪ ଲଢ଼େଇ ପୂର୍ବରୁ ନବୀନ ଏହି ଟିମ୍‌କୁ ନେଇ ରାଜ୍ୟ ଶାସନ କରିବେ। ବିଭିନ୍ନ କାରଣରୁ ସାମାନ୍ୟ ବିବାଦକୁ ଆସିଥିବା ମନ୍ତ୍ରୀମାନଙ୍କୁ ଆଉ ନିଜ ଟିମ୍‌ରେ ନେବାକୁ ନବୀନ ପସନ୍ଦ କରିନାହାନ୍ତି। ସମ୍ପୂର୍ଣ୍ଣ ନୂଆ ଓ ନିଷ୍କଳଙ୍କ ମନ୍ତ୍ରିମଣ୍ଡଳକୁ ନେଇ ଲଢ଼େଇ ପାଇଁ ପ୍ରସ୍ତୁତି କରିବେ ବୋଲି ଆଭାସ ମିଳୁଛି। ନୂଆ ମନ୍ତ୍ରିମଣ୍ଡଳରେ ଯୁବ, ମହିଳାଙ୍କୁ ପ୍ରାଧାନ୍ୟ ଦିଆଯାଇଛି। କିଛି ପୂର୍ବତନ ମନ୍ତ୍ରୀଙ୍କ ଉପରେ ପୁନର୍ବାର ଆସ୍ଥା ସ୍ଥାପନ କରି ଫେରାଇ ଆଣିଛନ୍ତି ମୁଖ୍ୟମନ୍ତ୍ରୀ। ଚାରିଟି ଜିଲ୍ଲା ଏକାଧିକ ମନ୍ତ୍ରୀ ପଦ ପାଇଥିଲା ବେଳେ ୧୨ଟି ଜିଲ୍ଲା ମନ୍ତ୍ରୀ ଶୂନ୍ୟ ରହିଛି।

ମନ୍ତ୍ରିମଣ୍ଡଳରୁ ବହୁ ହେଭିୱେଟ୍ ମନ୍ତ୍ରୀଙ୍କୁ ବାଦ୍ ଦିଆଯାଇଛି। ପ୍ରତାପ ଜେନା, ଅରୁଣ ସାହୁ, ଦିବ୍ୟଶଙ୍କର ମିଶ୍ରଙ୍କ ପରି ମନ୍ତ୍ରୀମାନେ ନୂଆ ତାଲିକାରେ ନାହାନ୍ତି। ମାହାଙ୍ଗା ଡବଲ୍ ମର୍ଡର୍, ପରୀ ହତ୍ୟାକାଣ୍ଡ, ମମିତା ମେହେର ପ୍ରସଙ୍ଗରେ ଏହି ମନ୍ତ୍ରୀମାନେ ବିବାଦୀୟ ହୋଇପଡ଼ିଥିଲେ। ସେହି ପ୍ରସଙ୍ଗଗୁଡ଼ିକୁ ନେଇ ସରକାରଙ୍କୁ ବାରମ୍ବାର ଆକ୍ରମଣ କରୁଥିଲେ ବିରୋଧୀ। ତେଣୁ ସେହି ମନ୍ତ୍ରୀମାନଙ୍କୁ ବିଦା କରି ନବୀନ ବିରୋଧୀଙ୍କ ସ୍ବର ଚପାଇଦେବାକୁ ଉଦ୍ୟମ କରିଛନ୍ତି। ସେହିପରି ୨୦୦୯ ମସିହାରୁ ଲଗାତାର ଭାବେ ନବୀନଙ୍କ ଟିମ୍‌ରେ ସ୍ଥାନ ପାଉଥିବା ବିକ୍ରମ କେଶରୀ ଆରୁଖ ଏଥର ଟିମ୍‌ରୁ ବାହାରିଛନ୍ତି। ତାଙ୍କୁ ବାଚସ୍ପତି କରାଯିବା ନେଇ ଆପାତତଃ ଚୂଡ଼ାନ୍ତ ହୋଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ତାଙ୍କ ପଦବିରୁ ଇସ୍ତଫା ଦେଇସାରିଛନ୍ତି।

ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଓ ଉପମୁଖ୍ୟ ସଚେତକ ରୋହିତ ପୂଜାରୀଙ୍କୁ ମନ୍ତ୍ରୀ ପଦ ମିଳିବ। ସେମାନଙ୍କ ସ୍ଥାନରେ ଜଗତସିଂହପୁର ଜିଲ୍ଲାର ପ୍ରଶାନ୍ତ ମୁଦୁଲି ଓ ବଲାଙ୍ଗୀର ଜିଲ୍ଲାର ସରୋଜ ମେହେର ନିଯୁକ୍ତି ପାଇବେ। ଆଜି ଉଭୟଙ୍କୁ ଏ ସମ୍ପର୍କରେ ଜଣାଇ ଦିଆଯାଇଛି।

ପୂର୍ବ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀଶୂନ୍ୟ ଥିବା ଉପକୂଳ ଅଞ୍ଚଳର ଦୁଇ ଜିଲ୍ଲା ଯାଜପୁର ଓ କେନ୍ଦ୍ରାପଡ଼ାକୁ ଏଥର ଦୁଇଟି ଲେଖାଏଁ ମନ୍ତ୍ରୀ ପଦ ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲାର ଦୁଇ ପୂର୍ବତନ ମନ୍ତ୍ରୀ ପ୍ରତାପ ଦେବ ଓ ଅତନୁ ସବ୍ୟସାଚ୍ଚୀ ନାୟକ ଏଥର ପୁନର୍ବାର ମନ୍ତ୍ରୀ ହେବେ। ଯାଜପୁର ଜିଲ୍ଲାରୁ ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସ୍ଥାନ ପାଇବାକୁ ଥିଲା ବେଳେ ନୂଆ ମୁହଁ ଭାବେ ପ୍ରୀତିରଞ୍ଜନ ଘଡ଼ାଇ ପ୍ରଥମ ଥର ମନ୍ତ୍ରୀ ହେବେ। ବାଲେଶ୍ବର ଜିଲ୍ଲାରୁ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବଦଳରେ ଅଶ୍ବିନୀ ପାତ୍ର ମନ୍ତ୍ରୀ ହେବେ। କଟକ ଜିଲ୍ଲାରୁ ଗତ ଥର ଦୁଇ ଜଣ ମନ୍ତ୍ରୀ ଥିଲା ବେଳେ ଏଥର କେବଳ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମନ୍ତ୍ରୀ ରହିବେ। ପୁରୀ ଜିଲ୍ଲାରେ ଦୁଇ ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ସମୀର ଦାଶ, ଖୋର୍ଦ୍ଧା ଜିଲ୍ଲାରେ ଅଶୋକ ଚନ୍ଦ୍ର ପଣ୍ଡା ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। ଶ୍ରୀ ପଣ୍ଡାଙ୍କ ପଦୋନ୍ନତି ହୋଇଛି ଓ ସେ କ୍ୟାବିନେଟ୍ ମନ୍ତ୍ରୀ ଭାବେ କାଲି ଶପଥ ନେବେ। ଭଦ୍ରକ, ଜଗତସିଂହପୁର ଓ ନୟାଗଡ଼ ଜିଲ୍ଲା ମନ୍ତ୍ରୀ ଶୂନ୍ୟ ହୋଇଛି। ତେବେ ଜଗତସିଂହପୁରର ପ୍ରଶାନ୍ତ ମୁଦୁଲି ମୁଖ୍ୟ ସଚେତକ ପଦବିରେ ରହିବେ। ଅନୁଗୁଳ ଜିଲ୍ଲାରୁ ଉପବାଚସ୍ପତି ରଜନୀକାନ୍ତ ସିଂହ ତାଙ୍କ ପଦବିରେ ରହିବେ। ଢେଙ୍କାନାଳ ଜିଲ୍ଲାରେ ପ୍ରଫୁଲ୍ଲ ମଲ୍ଲିକ ମନ୍ତ୍ରୀ ପଦରେ ରହିବେ। ପ୍ରେମାନନ୍ଦ ନାଏକଙ୍କ ଇସ୍ତଫା ପରେ କେନ୍ଦୁଝର ଜିଲ୍ଲା ମଧ୍ୟ ମନ୍ତ୍ରୀଶୂନ୍ୟ ହେବ। ମୟୂରଭଞ୍ଜ ଜିଲ୍ଲାରୁ ସୁଦାମ ମାର୍ଣ୍ଡିଙ୍କ ସ୍ଥାନ ନେଇଛନ୍ତି ବାସନ୍ତୀ ହେମ୍ବ୍ରମ୍।

ପଶ୍ଚିମ ଓଡ଼ିଶାକୁ ମଧ୍ୟ ମନ୍ତ୍ରିମଣ୍ଡଳରେ ଗୁରୁତ୍ବ ଦିଆଯିବାକୁ ଚେଷ୍ଟା କରାଯାଇଛି। ଗତ ଥର ସମ୍ବଲପୁର ଜିଲ୍ଲା ମନ୍ତ୍ରୀ ଶୂନ୍ୟ ଥିଲା ବେଳେ ଏଥର ରୋହିତ ପୂଜାରୀ ସ୍ଥାନ ପାଇଛନ୍ତି। ବରଗଡ଼ ଜିଲ୍ଲାରେ ସୁଶାନ୍ତ ସିଂହଙ୍କ ବଦଳରେ ରୀତା ସାହୁଙ୍କୁ ସ୍ଥାନ ମିଳିଛି। ବଲାଙ୍ଗୀର ଜିଲ୍ଲାରେ ଟୁକୁନି ସାହୁ ତାଙ୍କ ପଦ ବଜାୟ ରଖିଥିଲା ବେଳେ ସରୋଜ ମେହେରଙ୍କୁ ଉପ ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦିଆଯାଇଛି। ଝାରସୁଗୁଡ଼ାରେ ନବ ଦାସ କ୍ୟାବିନେଟରେ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। ବୌଦ୍ଧରୁ ପ୍ରଦୀପ ଅମାତ ପୁଣି ମନ୍ତ୍ରୀ ହେଉଥିବା ବେଳେ ସୋନପୁରରୁ ନିରଞ୍ଜନ ପୂଜାରୀ ତାଙ୍କ ପଦ ବଜାୟ ରଖିଛନ୍ତି। ନୂଆପଡ଼ା ଜିଲ୍ଲାରୁ ପ୍ରଥମ ଥର ପାଇଁ ରାଜେନ୍ଦ୍ର ଢୋଲକିଆ ମନ୍ତ୍ରୀ ହେବେ। ତେବେ ସୁନ୍ଦରଗଡ ଜିଲ୍ଲାକୁ ମନ୍ତ୍ରୀ ପଦ ମିଳିଲା ନାହିଁ।

ଦକ୍ଷିଣ ଓଡ଼ିଶାରେ ଗଞ୍ଜାମ ଜିଲ୍ଲାରୁ ପୂର୍ବତନ ମନ୍ତ୍ରୀ ଉଷା ଦେବୀ ପୁନର୍ବାର ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲା ବେଳେ ନୂଆ ମୁହଁ ଭାବେ ଶ୍ରୀକାନ୍ତ ସାହୁ ସ୍ଥାନ ପାଇବେ। ରାୟଗଡ଼ା ଜିଲ୍ଲାରୁ ଜଗନ୍ନାଥ ସାରକା ତାଙ୍କ ସ୍ଥାନ ବଜାୟ ରଖିବେ।

ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ

୧୩ ଜଣଙ୍କୁ କ୍ୟାବିନେଟ୍‌, ୮ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା

କ୍ୟାବିନେଟ୍ ମନ୍ତ୍ରୀ
ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ନବକିଶୋର ଦାସ, ପ୍ରଫୁଲ୍ଲ ମଲ୍ଲିକ, ଟୁକୁନି ସାହୁ, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରଦୀପ ଅମାତ, ପ୍ରତାପ ଦେବ, ଅତନୁ ସବ୍ୟସାଚ୍ଚୀ ନାୟକ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ରାଜେନ୍ଦ୍ର ଢୋଲକିଆ, ଜଗନ୍ନାଥ ସାରକା

ରାଷ୍ଟ୍ର ମନ୍ତ୍ରୀ (ସ୍ବାଧୀନ)
ସମୀର ଦାଶ, ଅଶ୍ବିନୀ ପାତ୍ର, ପ୍ରୀତିରଞ୍ଜନ ଘଡ଼ାଇ, ଶ୍ରୀକାନ୍ତ ସାହୁ, ତୁଷାରକାନ୍ତି ବେହେରା, ରୀତା ସାହୁ, ରୋହିତ ପୂଜାରୀ ଓ ବାସନ୍ତୀ ହେମ୍ବ୍ରମ୍

ସମ୍ବନ୍ଧିତ ଖବର