ଜଳେଶ୍ବର,(ସତ୍ୟବ୍ରତ ପ୍ରଧାନ): ଆଜି ଓଡ଼ିଶା ଦିବସ। ଆଜିର ଦିନରେ ଭାଷା ଭିତ୍ତିରେ ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା ଓଡ଼ିଶା। ଏହାରି ଭିତରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନକୁ ୮ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ବିତିଲାଣି। ଏହି ୮ ଦଶନ୍ଧି ମଧ୍ୟରେ ରାଜ୍ୟର ସାମଗ୍ରିକ ବିକାଶ ସାଙ୍ଗକୁ ଅନେକ ପରିବର୍ତ୍ତନ ହୋଇଛି। ହେଲେ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା କାଳକ୍ରମେ ସଂକୁଚିତ ହେବା ସହ ଅନେକ ସ୍ଥାନରେ ଓଡ଼ିଆ ଛାତ୍ରଛାତ୍ରୀ ମାତୃଭାଷା ଶିକ୍ଷା ଗ୍ରହଣରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି। ବିଚ୍ଛିନ୍ନାଞ୍ଚଳର ୩୨ ଜିଲ୍ଲା ମଧ୍ୟରୁ ମାତ୍ର ୧୦ଟି ଜିଲ୍ଲାରେ ମିଳିଛି ଓଡ଼ିଆ ପାଠପଢ଼ା ସୁବିଧା। ଏପରିକି, ପଶ୍ଚିମବଙ୍ଗରେ ଥିବା ୧୦ଟି ଜିଲ୍ଲାରେ ଥିବା ବିଦ୍ୟାଳୟକୁ ଏପର୍ଯ୍ୟନ୍ତ ସୁଦ୍ଧା ଅନୁଦାନ ମିଳିନାହିଁ।
ପଶ୍ଚିମବଙ୍ଗରେ ୧୦ ବିଦ୍ୟାଳୟକୁ ମିଳୁନି ଅନୁଦାନ
ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ କହିଲେ ଆନ୍ଧ୍ର, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଅନ୍ତର୍ଗତ କେତେକ ଅଞ୍ଚଳକୁ ବୁଝାଇଥାଏ। ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ଓଡ଼ିଶାର ମାନଚିତ୍ର ସିନା ବଦଳିଛି, ହେଲେ ବିଚ୍ଛିନ୍ନାଞ୍ଚଳରେ ରହୁଥିବା ଓଡ଼ିଆଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ପ୍ରତି ଭଲପାଇବା ଓ ଆବେଗ ଆଜି ମଧ୍ୟ ଅତୁଟ ରହିଛି। ଜଗନ୍ନାଥ ଦାସଙ୍କ ଭାଗବତ, ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ଏବେ ବି ବିଚ୍ଛିନ୍ନାଞ୍ଚଳ ଓଡ଼ିଆଙ୍କ ଘରେ ପ୍ରଚଳିତ। ଓଡ଼ିଆ ଲୋକକଳାକୁ ମଧ୍ୟ ବିଚ୍ଛିନ୍ନାଞ୍ଚଳବାସୀ ବଞ୍ଚାଇ ରଖିଛନ୍ତି। ତେବେ ବିଚ୍ଛିନ୍ନାଞ୍ଚଳର ସେହି ଓଡ଼ିଆ ଭାବାବେଗକୁ ସମ୍ମାନ ଦେବା ପାଇଁ ସରକାରୀ ସ୍ତରରେ ଯାହା କିଛି ଉଦ୍ୟମ ହୋଇଛି, ତାହା ଆଦୌ ଉତ୍ସାହଜନକ ନୁହେଁ। ଉପରୋକ୍ତ ୪ ରାଜ୍ୟର ପାଖାପାଖି ୩୨ଟି ଜିଲ୍ଲାରେ ଏକଦା ଓଡ଼ିଆଙ୍କର ପ୍ରଭାବ ରହିଥିଲା। ବର୍ତ୍ତମାନ ତାହା କେବଳ ୧୦ ଜିଲ୍ଲାକୁ ଖସି ଆସିଲାଣି। ଛତିଶଗଡ଼ରେ ୧୪ଟି ଜିଲ୍ଲାରୁ ୨ଟି, ପଶ୍ଚିମବଙ୍ଗର ପାଞ୍ଚଟି ଜିଲ୍ଲାରୁ ୩ଟି, ଆନ୍ଧ୍ରର ୩ ଜିଲ୍ଲା ମଧ୍ୟରୁ ୨ଟି ଓ ଝାଡ଼ଖଣ୍ଡର ୧୦ଟି ଜିଲ୍ଲା ମଧ୍ୟରୁ ୩ଟିରେ ଓଡ଼ିଆଙ୍କ ପ୍ରଭାବ ରହିଛି। ଉତ୍କଳ ସମ୍ମିଳନୀର ପ୍ରସ୍ତାବ କ୍ରମେ ବିଚ୍ଛିନ୍ନାଞ୍ଚଳ ଓ ପ୍ରବାସୀ ଅଞ୍ଚଳ କୁହାଯାଉଥିବା ଏହି ୧୦ ଜିଲ୍ଲାରେ ଓଡ଼ିଆ ଭାଷା ଓ ଶିକ୍ଷାର ପ୍ରଚାର ପ୍ରସାର ପାଇଁ ଓଡ଼ିଶା ସରକାର ୨୦୦୪ ମସିହାରେ ନିଷ୍ପତ୍ତି ନେଇଥିଲେ। ସେହି ଅନୁସାରେ ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପର୍ଯ୍ୟାୟ କ୍ରମେ ପାଖାପାଖି ୬୦୦ ସ୍କୁଲରେ ୬୫୦ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି। ଶିକ୍ଷା ବ୍ୟବସ୍ଥା ପରିଚାଳନା ପାଇଁ ସମ୍ପୃକ୍ତ ଅଞ୍ଚଳରେ ୧୨ ଜଣ ସୁପରଭାଇଜରଙ୍କୁ ମଧ୍ୟ ନିଯୁକ୍ତି ମିଳିଛି। ସେହିପରି ବିଧାନସଭାରେ ଗଠିତ ୮ଟି ସଂଖ୍ୟାଲଘୁ ଭାଷା ସବ୍କମିଟି ଏସବୁ ଅଞ୍ଚଳକୁ ବାରମ୍ବାର ଗସ୍ତ କରୁଛନ୍ତି। ଏ ସମସ୍ତ ବ୍ୟବସ୍ଥା ସତ୍ତ୍ୱେ ଏସବୁ ସ୍ଥାନରେ ବହୁ ଅସୁବିଧା ରହିଛି; ଯାହା ବିଚ୍ଛିନ୍ନାଞ୍ଚଳବାସୀଙ୍କ ମନରେ ଆଘାତ ଦେବା ସହ ଅସନ୍ତୋଷ ସୃଷ୍ଟି କରୁଛି।
ଆନ୍ଧ୍ରପ୍ରଦେଶର ୨ଟି ଜିଲ୍ଲାରେ ପାଖାପାଖି ୨୦୦ ଓଡ଼ିଆ ବିଦ୍ୟାଳୟ ରହିଛି। ଏସବୁ ସ୍କୁଲ ପରିଚାଳନା ପାଇଁ ଆନ୍ଧ୍ର ସରକାର ଜଣେ ସ୍ବତନ୍ତ୍ର ଡିଆଇଙ୍କୁ ନିଯୁକ୍ତି ଦେଇଛନ୍ତି। ସେହିପରି ଆନ୍ଧ୍ର ସରକାରଙ୍କ ପାଠ୍ୟକ୍ରମର ବିଭିନ୍ନ ବିଷୟଭିତ୍ତିକ ପୁସ୍ତକ ସେଠାକାର ସରକାର ଓଡ଼ିଆରେ ପ୍ରକାଶ କରି ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦେଉଛନ୍ତି। ତେବେ ଅନ୍ୟ ୩ଟି ବିଚ୍ଛିନ୍ନାଞ୍ଚଳରେ ଆନ୍ଧ୍ର ଭଳି ବ୍ୟବସ୍ଥା ନାହିଁ। ଝାଡ଼ଖଣ୍ଡ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ସରକାର କେବଳ ଓଡ଼ିଆ ସାହିତ୍ୟ ବହି ଯୋଗାଉଥିବାବେଳେ ଅନ୍ୟ ବିଷୟରେ ଓଡ଼ିଆ ବହି ଝାଡ଼ଖଣ୍ଡ ସରକାର କିମ୍ବା ଓଡ଼ିଶା ସରକାର ଯୋଗାଇ ଦେଉନାହାନ୍ତି। ବିଚ୍ଛିନ୍ନାଞ୍ଚଳ ଓଡ଼ିଆମାନେ ଏ ସଂକ୍ରାନ୍ତରେ ସମ୍ପୃକ୍ତ ରାଜ୍ୟ ସରକାରମାନଙ୍କୁ ବାରମ୍ବାର ଜଣାଇ ଆସୁଥିଲେ ବି କୌଣସି ସୁଫଳ ମିଳିନି। ପଶ୍ଚିମବଙ୍ଗର ପ୍ରବାସୀ ଅଞ୍ଚଳରେ ୩୦ଟି ବିଦ୍ୟାଳୟ ଚାଲିଥିବା ବେଳେ ସେଥିରୁ ୨୦ଟି ସ୍କୁଲ ପଶ୍ଚିମବଙ୍ଗ ସରକାରଙ୍କ ଅନୁଦାନରେ ଚାଲିଛି। ଅବଶିଷ୍ଟ ୧୦ଟି ସ୍କୁଲ ପରିଚାଳନା ପାଇଁ ମଧ୍ୟ ପଶ୍ଚିମବଙ୍ଗ ସରକାର ଅନୁଦାନ ଦିଅନ୍ତୁ ବୋଲି ଦାବି ହୋଇଛି। ଝାଡ଼ଖଣ୍ଡ ବିଚ୍ଛିନ୍ନାଞ୍ଚଳରେ ଏକଦା ୩୫୦ରୁ ଅଧିକ ସ୍କୁଲ ଥିବା ବେଳେ ଏବେ ସେହି ସଂଖ୍ୟା ୪୦କୁ ଖସିଆସିଛି। ଫଳରେ ସମ୍ପୃକ୍ତ ଅଞ୍ଚଳରେ ଓଡ଼ିଆ ଛାତ୍ରଛାତ୍ରୀ ମାତୃଭାଷାରେ ପାଠ ପଢ଼ିବାରୁ ବଞ୍ଚିତ ହେଉଛନ୍ତି।
ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ସଭାପତି ଡ.ଅଦୈତ କୁମାର ପାତ୍ର କହିଛନ୍ତି, ବିଚ୍ଛିନ୍ନାଞ୍ଚଳରେ ରହୁଥିବା ଓଡ଼ିଆଙ୍କ ସ୍ବାର୍ଥ ରକ୍ଷା ପାଇଁ ଓଡ଼ିଶା ସରକାର ଅଧିକ ଯତ୍ନବାନ ହେବା ଆବଶ୍ୟକ। ଏକ ସ୍ବତନ୍ତ୍ର ବିଭାଗ ଖୋଲି ବିଚ୍ଛିନ୍ନାଞ୍ଚଳ ଓ ପ୍ରବାସୀ ଅଞ୍ଚଳରେ ନିୟମିତ ସର୍ଭେ କରାଯିବା ଉପରେ ଗୁରୁତ୍ବାରୋପ କରିଛନ୍ତି ଡ.ପାତ୍ର।