ଜଳଛାୟା ଅଞ୍ଚଳ ପାଇଁ ସରକାରଙ୍କ ନୂଆ ଯୋଜନା ‘ରିୱାର୍ଡ଼’

ଜୁଲାଇ ସୁଦ୍ଧା ପ୍ରକଳ୍ପ ଚୂଡ଼ାନ୍ତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର : ଜଳଛାୟା ଅଞ୍ଚଳରେ ଚାଷୀମାନଙ୍କୁ ନିରନ୍ତର ଜୀବିକା ସୃଷ୍ଟି ନିମନ୍ତେ ରାଜ୍ୟ ସରକାର ନୂଆ ଯୋଜନା ‘ରିୱାର୍ଡ଼’ ଲାଗୁ କରିବେ। ଏଥିପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଡିଜିଟାଲ୍‌ ମୋଡରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହା ଯୋଜନା ବିଶ୍ବବ୍ୟାଙ୍କ ସହାୟତାରେ କାର୍ଯ୍ୟକାରୀ ହେବ। ପ୍ରାଥମିକ ପର୍ଯାୟରେ ୫ଟି ଜିଲ୍ଲାରେ ପାଇଲଟ୍‌ ପ୍ରକଳ୍ପ ଭାବେ କାର୍ଯ୍ୟକାରୀ କରିବାକୁ ବୈଠକରେ ସ୍ଥିର କରାଯାଇଛି।

ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମହାପାତ୍ର କହିଛନ୍ତି, ଚାଷୀମାନଙ୍କ ଆୟ ବୃଦ୍ଧି ସରକାରଙ୍କ ମୂଳ ଲକ୍ଷ୍ୟ। ଜଳଛାୟା ଅଞ୍ଚଳରେ କେଉଁ ପ୍ରକଳ୍ପ ହାତକୁ ନେଇ ଚାଷୀମାନେ ଆର୍ଥିକ ଲାଭ ପାଇପାରିବେ ସେ ନେଇ ଆସନ୍ତା ଜୁଲାଇ ଶେଷସୁଦ୍ଧା ବିଭିନ୍ନ ପ୍ରକଳ୍ପ ଚୂଡ଼ାନ୍ତ କରିବାକୁ ବିଭାଗୀୟ ଶାସନ ସଚିବ ଓ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଆଧୁନିକ ଜ୍ଞାନ କୌଶଳର ଉପଯୋଗ କରି ଜଳଛାୟା ଅଞ୍ଚଳର ସମସ୍ତ ଭୂ-ସମ୍ପତ୍ତିକୁ ବ୍ୟବହାର କରାଯିବ। ବିଶ୍ବବ୍ୟାଙ୍କ ସହାୟତାରେ ଏହି ଯୋଜନାର ନାମ ରିଜୁଭେନେଟିଂ ଓ୍ବାଟରସେଡ୍‌ସ୍‌ ଫର୍‌ ଏଗ୍ରିକଲଚରାଲ୍‌ ରେଜିଲେନ୍‌ସ ଥ୍ରୁ ଇନୋଭେଟିଭ୍‌ ଡେଭଲପ୍‌ମେଣ୍ଟ୍‌ ବା ‘ରିୱାର୍ଡ଼’ ରଖାଯାଇଛି। ଏହି ପ୍ରକଳ୍ପକୁ କୋରାପୁଟ, ନୟାଗଡ଼, ଢେଙ୍କାନାଳ, ଦେବଗଡ଼ ଓ ସମ୍ବଲପୁର ଜିଲ୍ଲାର ୧.୧୫ ଲକ୍ଷ ହେକ୍ଟର ପରିବ୍ୟାପ୍ତ ଜଳଛାୟା ପ୍ରକଳ୍ପ ଅଞ୍ଚଳରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ କରାଯିବ।

ଏହି ଅବସରରେ ବିଶ୍ବବ୍ୟାଙ୍କ ପ୍ରତିନିଧି କୁମାରୀ ପ୍ରୀତି କୁମାର କହିଛନ୍ତି, ଦେଶରେ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ପରେ ଓଡ଼ିଶା ତୃତୀୟ ରାଜ୍ୟ ଭାବେ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛି। ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ବାରା ଜଳଛାୟା ଅଞ୍ଚଳରେ କୃଷିକୁ ପ୍ରାକୃତିକ ବିପର୍ଯ୍ୟୟ ସହନଶୀଳ କରାଯାଇପାରିବ। ଫଳରେ ଉତ୍ପାଦନ ବୃଦ୍ଧି ହେବା ସହ ଚାଷୀମାନଙ୍କର ଆୟ ବି ବଢ଼ିବ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ସୂଚନା ଦେଇ କହିଛନ୍ତି, ପ୍ରକଳ୍ପରେ ପ୍ରାୟ ୨୧୧.୫୭ ନିୟୁତ ଡଲାର ବିନିଯୋଗ ହେବା ନେଇ ଆକଳନ କରାଯାଇଛି। ସେଥିରୁ ୧୬୨.୫୭ ନିୟୁତ ଡଲାର୍‌ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାର ସଂଯୋଜନ ଭିତ୍ତିରେ ଯୋଗାଇଦେବେ। ବାକି ଅର୍ଥ ବିଶ୍ବବ୍ୟାଙ୍କର ଆନ୍ତର୍ଜାତିକ ପୁନର୍ଗଠନ ଓ ଉନ୍ନୟନ ବ୍ୟାଙ୍କ ୪୯ ନିୟୁତ ଡଲାର ଋଣ ଆକାରରେ ଯୋଗାଇବେ। ପ୍ରକଳ୍ପର ଅବଧି ପ୍ରାୟ ୬ ବର୍ଷ ରହିବ। ଯୋଜନାର କାର୍ଯ୍ୟାନ୍ବୟନ ଓ ଫଳାଫଳ ନିୟମିତ ମୂଲ୍ୟାୟନ ନିମନ୍ତେ ଏକ ନିର୍ଭର ଯୋଗ୍ୟ ବିଶେଷଜ୍ଞ ସଂସ୍ଥା ଚୟନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା, କୃଷି ଉତ୍ପାଦନ କମିସନର ରାଜ କୁମାର ଶର୍ମା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନାଙ୍କ ସମେତ ବିଭାଗର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର