ଭୁବନେଶ୍ୱର: ଓଡ଼ିଶା ପୁଲିସ ଏସ୍‌ଆଇ ନିଯୁକ୍ତି ପାଇଁ ଅକ୍ଟୋବର ୫ ଓ ୬ରେ ହେବାକୁ ଥିବା ଲିଖିତ ପରୀକ୍ଷାକୁ ଆଜି ଓପିଆର୍‌ବି ପକ୍ଷରୁ ସ୍ଥଗିତ ରଖାଯାଇଛି। ଗୋଟିଏ ପରେ ଗୋଟିଏ ନିଯୁକ୍ତି ପରୀକ୍ଷାରେ ବିଭ୍ରାଟକୁ ନେଇ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପ‌ରେ ବର୍ଷିଛି। ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍ସିତା ସାହୁ କହିଲେ, ଗତ ୧୫ ମାସର ବିଜେପି ଶାସନରେ ୧୫ ଥର ନିଯୁକ୍ତି ପାଇଁ ହେଉଥିବା ବିଭିନ୍ନ ପରୀକ୍ଷାକୁ ବାତିଲ କରାଯାଇଛି। ଏହା ରାଜ୍ୟ ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ରାଜ୍ୟର ହଜାର ହଜାର ଯୁବକମାନେ ଚାକିରି ପାଇବାକୁ ମାସ ମାସ ଧରି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି, ମାତ୍ର ପରୀକ୍ଷା ବାତିଲ ହେବା ପରେ ସେମାନେ ହତୋତ୍ସାହିତ ହୋଇପଡ଼ୁଛନ୍ତି।

Advertisment

ଗତ ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ହେବାକୁ ଥିବା ପୁଲିସ ଏସ୍‌ଆଇ ନିଯୁକ୍ତି ଲିଖିତ ପରୀକ୍ଷାକୁ ପ୍ରଶ୍ନପତ୍ର ପ୍ରଘଟ କାରଣରୁ ବାତିଲ କରାଯାଇଥିଲା। ଅକ୍ଟୋବର ୫ ଓ ୬ରେ କରାଯିବ ବୋଲି ଘୋଷଣା ହୋଇଥିଲା। ପରୀକ୍ଷା ହେବାକୁ ଏକ ସପ୍ତାହରୁ କମ୍‌ ସମୟ ଥିବା ବେଳେ ପୂର୍ବ ପ୍ରସ୍ତୁତି ପାଇଁ ଅନେକ ପରୀକ୍ଷାର୍ଥୀଙ୍କୁ ଜାଲିଆତି ପାଇଁ ହାଇଦ୍ରାବାଦ ନିଆଯାଉଥିବା ସମୟରେ ଧରାପଡ଼ିଛନ୍ତି। ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା ଜାଲିଆତି କରିବାକୁ ସାହସ ଜୁଟାଇଲା କିପରି? ଏଥିରେ ରାଜ୍ୟ ସରକାରଙ୍କ କୌଣସି ମନ୍ତ୍ରୀଙ୍କ ସମ୍ପୃକ୍ତି ନାହିଁ ତ? ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ରାଜ୍ୟବାସୀଙ୍କ ସମ୍ମୁଖରେ ଉତ୍ତର ରଖିବା ଦରକାର। ଏହି ଘଟଣା ପାଇଁ ରାଜ୍ୟର ହଜାର ହଜାର ଚାକିରି ଆଶାୟୀ ଯୁବକ ଯୁବତୀ ନିଯୁକ୍ତି ପାଇଁ ଥିବା ବ୍ୟବସ୍ଥା ଉପରେ ସନ୍ଦେହ ଉପୁଜିଛି। ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ କରାଯାଉ। ନ ହେଲେ ବିଜୁ ଛାତ୍ର ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି।