ଭୁବନେଶ୍ୱର: ରାଜ୍ୟରେ ସାର ଅଭାବକୁ ପ୍ରସଙ୍ଗ କରି ବିଜେଡି ଆନ୍ଦୋଳନକୁ ଓହ୍ଲାଇଛି। ଆଜି ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦଳ ପକ୍ଷରୁ ଅଭିଯୋଗ ହୋଇଛି, ଖରିଫ ଚାଷ କାମ ଶୀର୍ଷରେ ଥିବା ବେଳେ ରାଜ୍ୟ ସରକାର ସାର ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଖରିଫ ଧାନ ଅଧିକ ଉତ୍ପାଦନ ହେଲେ ସରକାରଙ୍କୁ ଅଧିକ ବୋନସ୍ ଦେବାକୁ ହେବ। ତେଣୁ ସରକାର ଖରିଫ ଧାନ ଉତ୍ପାଦନରେ ରୋକ୍ ଲଗାଇବା ପାଇଁ ସାର ଅଭାବର ଷଡ୍ଯନ୍ତ୍ର ରଚିଛନ୍ତି।
ରାଜଭବନ ସମ୍ମୁଖରେ ବିଜେଡି ପକ୍ଷରୁ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା। ସଭା ପରେ ବିଜେଡି କର୍ମୀ ଓ ନେତା ଏକ ଶୋଭାଯାତ୍ରାରେ ରାଜଭବନ ଆଡ଼କୁ ମାଡ଼ି ଯାଇଥିଲେ। ରାଜଭବନ ପୂର୍ବରୁ ପୁଲିସ ବ୍ୟାରିକେଡ୍ କରି ଆନ୍ଦୋଳନକାରୀଙ୍କୁ ଅଟକାଇଥିଲା। ଫଳରେ ବିଜେଡି କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା। ଏହି ଅବସରରେ ବିଜେଡିର ବରିଷ୍ଠ ନେତାମାନେ କହିଥିଲେ, ଖରିଫ ଚାଷ ପାଇଁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି। ରାଜ୍ୟ ସରକାର ସାର ଯୋଗାଣ ଓ କଳାବଜାରୀ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ସାର ବ୍ୟାଗ୍ର ମୂଲ୍ୟ ୨୪୨ ଟଙ୍କା ରହିଥିବା ବେଳେ ଏହା ବଜାରରେ ୮୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟରେ ବିକ୍ରି ହେଉଛି। ଗତ ଦୁଇ ଦଶନ୍ଧିରେ, ରାଜ୍ୟର କୃଷକମାନେ ସାରର ଅଭାବକୁ ନେଇ ଏଭଳି ଅଭାବନୀୟ ପରିସ୍ଥିତି କେବେ ବି ଭୋଗି ନଥିଲେ ବୋଲି କହିଥିଲେ। ରାଜ୍ୟରେ ପର୍ଯ୍ୟାପ୍ତ ସାର ମହଜୁଦ୍ ଥିବା ରାଜ୍ୟ ସରକାର ଦାବି କରୁଛନ୍ତି। କିନ୍ତୁ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ସାର ନପାଇ କୃଷକମାନେ ରାଜରାସ୍ତାକୁ ଓହ୍ଲାଉଥିବା ଖବର ଆସୁଛି।
ରାଜଭବନ ସମ୍ମୁଖରେ ପୁଲିସ ଓ ବିଜେଡି କର୍ମୀ ଧସ୍ତାଧସ୍ତି
ପରେ ଏକ ପ୍ରତିନିଧିମଣ୍ଡଳୀ ରାଜଭବନ ଭିତରକୁ ଯାଇ ସାରର ଅଭାବକୁ ନେଇ ଉପୁଜିଥିବା ସ୍ଥିତି ଉପରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରି ସାର ଯୋଗାଣ କିପରି ବ୍ୟବସ୍ଥିତ ହୋଇପାରିବ, ସେଥିପାଇଁ ରାଜ୍ୟପାଳ ହସ୍ତକ୍ଷେପ ଲୋଡ଼ିଛନ୍ତି। ପ୍ରତିନିଧି ମଣ୍ଡଳୀରେ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ ଅମାତ, ସଞ୍ଜୟ କୁମାର ଦାସବର୍ମା, ପ୍ରତାପ କେଶରୀ ଦେବ, ପ୍ରତାପ ଜେନା, ପ୍ରଫୁଲ୍ଲ ସାମଲ, ଚନ୍ଦ୍ରଶେଖର ସାହୁ, ଅତନୁ ସବ୍ୟସାଚୀ ନାୟକ, ପ୍ରୀତିରଞ୍ଜନ ଘଡ଼ାଇ, ବ୍ୟୋମକେଶ ରାୟ, ଧ୍ରୁବ ଚରଣ ସାହୁ, ସୁଦାମ ମାରାଣ୍ଡି, ପ୍ରଣବ ବଳବନ୍ତରାୟ, ଅମର ପଟ୍ଟନାୟକ, ପ୍ରଶାନ୍ତ ମୁଦୁଲି, ସୁଲତା ଦେଓ, ଶୁଭାଶିଷ ଖୁଣ୍ଟିଆ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ପ୍ରଦୀପ ସାହୁ, ଗୌତମବୁଦ୍ଧ ଦାସ, ଦେବୀରଞ୍ଜନ ତ୍ରିପାଠୀ, ଗଣେଶ୍ୱର ବେହେରା, ସୌଭିକ ବିଶ୍ୱାଳ, ସୁନିଲ ମହାନ୍ତି, ସୁଦର୍ଶନ ହରିପାଲ, ସୁଜାତା ସାହୁ, ବିଜୟ ନାୟକ, ରାଜେନ୍ଦ୍ର ସାହୁ, ମନ୍ମଥ ରାଉତରାୟ, ଚିନ୍ମୟ ସାହୁ, ଇପ୍ସିତା ସାହୁ ପ୍ରମୁଖ ସାମିଲ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/16/sfhfsfhhfhf-2025-09-16-02-10-02.jpg)