ଭୁବନେଶ୍ବର : ୧୦ଦଫା ଦାବିରେ ରାଜ୍ୟ ଡ୍ରାଇଭର ମହାମଞ୍ଚ ପକ୍ଷରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଗୁରୁବାର ଦ୍ବିତୀୟ ଦିନରେ ପହଞ୍ଚିଛି। ଆନ୍ଦୋଳନ ଯୋଗୁଁ ରାଜ୍ୟରେ ପରିବହନ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଗାଡ଼ି ନ ପାଇ ଲୋକମାନେ ହନ୍ତସନ୍ତ ହେଉଥିବା ବେଳେ ବାହାର ରାଜ୍ୟରୁ ଆସିଥିବା ଶତାଧିକ ଟ୍ରକ୍ ବାଟରେ ଅଟକି ରହିଛି। ଫଳରେ ପରିସ୍ଥିତି ସଙ୍ଗୀନ ଆକାର ଧାରଣ କରିବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ଗୁରୁବାର ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବଙ୍କ ସହ ଡ୍ରାଇଭର୍ ଏକତା ମହାମଞ୍ଚର ଏକ ପ୍ରତିନିଧି ଦଳ ଆଲୋଚନା କରିଥିଲେ। ତତ୍କ୍ଷଣାତ୍ ଦାବି ପୂରଣ ନେଇ ସରକାର କୌଣସି ପ୍ରତିଶ୍ରୁତି ଦେଇ ନଥିଲେ। ଏଥିପାଇଁ ତିନି ମାସ ସମୟ ମାଗିଥିଲେ। ତେବେ ପ୍ରତିନିଧିମାନେ ଲିଖିତ ପ୍ରତିଶ୍ରୁତି ଦାବି କରିଥିଲେ। ଏହାପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଏକ ଲିଖିତ ପ୍ରତିଶ୍ରୁତି ସେମାନଙ୍କୁ ଦେଇଥିଲେ। ଆସନ୍ତା ୩ ମାସ ମଧ୍ୟରେ ଡ୍ରାଇଭର୍ ଏକତା ମହାମଞ୍ଚର ଦାବିଗୁଡ଼ିକ ସମାଧାନ ପାଇଁ ଆଜିର ବୈଠକ ନିଷ୍ପତ୍ତି ଗ୍ରହଣ କରାଗଲା ବୋଲି ଏଥିରେ ଦର୍ଶାଯାଇଛି। ଡ୍ରାଇଭର୍ ଏକତା ମହାମଞ୍ଚର ନେତା ଅକ୍ଷୟ ନାୟକ ‘ସମ୍ବାଦ’କୁ କହିଛନ୍ତି ଯେ ଜିଲ୍ଲା ଓ ବ୍ଲକସ୍ତରରେ ଯେଉଁ ଡ୍ରାଇଭର୍ ଭାଇମାନେ ଆନ୍ଦୋଳନ ଜାରି ରଖିଛନ୍ତି, ସେମାନଙ୍କ ସହ ବିଚାର ବିମର୍ଶ ଚାଲିଛି। ସେମାନେ ଆନ୍ଦୋଳନରୁ ଓହରିବାକୁ ରାଜି ହେଉନାହାନ୍ତି। ତେଣୁ, ଏହି ଆନ୍ଦୋଳନ ଜାରି ରହିବ। ତେବେ ଆସନ୍ତାକାଲି ଆଲୋଚନାର ସଂପୂର୍ଣ୍ଣ ନିଷ୍କର୍ସ ବାହାରିବ ବୋଲି ସେ କହିଛନ୍ତି।
ଅପରପକ୍ଷରେ ଡ୍ରାଇଭରଙ୍କ ଏହି ଆନ୍ଦୋଳନ କାରଣରୁ ଏହାର ସିଧାସଳଖ ପ୍ରଭାବ ପରିବା ବଜାର ଉପରେ ପଡ଼ିଛି। ବଜାରରେ ପରିବା ଗାଏବ ହୋଇଯିବା ସହିତ ଅଧାବାଟରେ ଅଟକି ରହିଥିବା ପରିବା ଗାଡ଼ିରେ ପନିପରିବା ଓ ଫଳ ପଚିବାରେ ଲାଗିଛି। ତେଲ ସରିଯିବା ଭୟରେ ପେଟ୍ରୋଲ ପମ୍ପ୍ରେ ଲୋକମାନଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ଆନ୍ଦୋଳନ ଯୋଗୁଁ ତେଲ ଟ୍ୟାଙ୍କର ଡିପୋରୁ ବାହାରି ପାରି ନଥିବା ବେଳେ ରାଜଧାନୀର କିଛି ସ୍ଥାନରେ ପେଟ୍ରୋଲ ପମ୍ପ ବନ୍ଦ ହେବାର ସୂଚନା ମିଳିଛି। ଡ୍ରାଇଭରଙ୍କ ଆନ୍ଦୋଳନ ଭିତରେ ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ଆସନ୍ତାକାଲିଠାରୁ ବସ୍ ଚଳାଚଳ କରିବାକୁ ଘରୋଇ ବସ୍ ମାଲିକ ସଂଘ ଧମକ ଦେଇଛି।
ଡ୍ରାଇଭରଙ୍କ ଦ୍ବିତୀୟ ଦିନର ଆନ୍ଦୋଳନ ପାଇଁ ରାଜ୍ୟର ଅନେକ ସ୍ଥାନ ରଣକ୍ଷେତ୍ର ପାଲଟିଛି। କିଛି ସ୍ଥାନରେ ଡ୍ରାଇଭର ଗୋଷ୍ଠୀ ପରସ୍ପରକୁ ଆକ୍ରମଣ କରିବାକୁ ପଛାଇନାହାନ୍ତି। ଏହାସହ ଭୁବନେଶ୍ବର, ଗଞ୍ଜାମ, ବାଲେଶ୍ବର, ପୁରୀ, ସମ୍ବଲପୁର, ବଲାଙ୍ଗୀର, ଯାଜପୁର ସହ ଅନେକ ଜିଲ୍ଲାରେ ଡ୍ରାଇଭର ଓ ପୁଲିସ ମୁହାଁମହିଁ ହୋଇଛନ୍ତି। କିଛି ସ୍ଥାନରେ ରକ୍ତାକ୍ତ ସଂଘର୍ଷ ଘଟିବା ସହିତ ପୁଲିସକର୍ମୀ ଆହତ ହୋଇଛନ୍ତି। ଆନ୍ଦୋଳନ ପାଇଁ ରାଜ୍ୟରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ଏଥିପାଇଁ ରାଜ୍ୟ ସରକାରଙ୍କୁ ସିଧାସଳଖ ଦାୟୀ କରିଛି ଡ୍ରାଇଭର ମହାମଞ୍ଚ। ଡ୍ରାଇଭରଙ୍କ ସମସ୍ୟାର ସମାଧାନ କରିବାକୁ ରାଜ୍ୟ ସରକାର କୋହଳ ମନୋଭାବ ପୋଷଣ କରୁନାହାନ୍ତି। ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ମହାମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।
ଡ୍ରାଇଭରଙ୍କ ଆନ୍ଦୋଳନ ପାଇଁ ତେଲ ଟ୍ୟାଙ୍କର ରାସ୍ତାରେ ଅଟକି ରହିଛି। ପାରାଦୀପରେ ବିଶୋଧନ ହେବା ପରେ ପାରାଦୀପ, ଝାରସୁଗୁଡ଼ା, ଜଟଣୀ ଓ ବାଲେଶ୍ବର ଡିପୋକୁ ଯାଇଥାଏ। ରାଜ୍ୟରେ ଦୈନିକ ୨୭.୫ଲକ୍ଷ ଲିଟର ପେଟ୍ରୋଲ ଓ ୬୦ଲକ୍ଷ ଲିଟର ଡିଜେଲର ଆବଶ୍ୟକତା ରହିଥାଏ। ପ୍ରତିଦିନ ଅଳ୍ପ କିଛି ତେଳ ପେଟ୍ରୋଲ ଟାଙ୍କିରେ ବଳିଥାଏ। ଏହା ପରଦିନ ସପ୍ଲାଏ ଉପରେ ନିର୍ଭର କରିଥାନ୍ତି ଟାଙ୍କି। ମାତ୍ର ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ପେଟ୍ରୋଲ ଟାଙ୍କିରେ ପହଞ୍ଚିପାରୁନାହିଁ। ଲୋକମାନେ ଛାନିଆ ହୋଇ ଆଜି ଅପରାହ୍ଣରୁ ତେଲ ଟାଙ୍କିରେ ଭିଡ଼ ଜମାଇଛନ୍ତି। ତେବେ ଏଥିରେ ବିଚଳିତ ନ ହେବାକୁ ଲୋକଙ୍କୁ ନିବେଦନ କରିଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସଂପାଦକ ସଞ୍ଜୟ ଲାଠ୍। ଶ୍ରୀ ଲାଠ୍ କହିଛନ୍ତି ଯେ କାଲି ପର୍ଯ୍ୟନ୍ତ ପେଟ୍ରୋଲ ମହଜୁଦ ରହିଛି। ଲୋକମାନେ ବିଚଳିତ ହୁଅନ୍ତୁ ନାହିଁ। ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁ ପରିବା ବଜାରେ ନିଆଁ ଲାଗିଛି। ବାଇଗଣ, ଝୁଡ଼ଙ୍ଗ, ପୋଟଳ, ସାରୁ, ବିନ୍, କାକୁଡ଼ି ଓ ବନ୍ଧାକୋବି ଦର ଆକାଶଛୁଆଁ ବଢ଼ି ଯାଇଛି। ୟୁନିଟ୍-୧ସ୍ଥିତ ପରିବା ହାଟଠାରୁ ଆରମ୍ଭ କରି ଅନ୍ୟ ହାଟ ଗୁଡ଼ିକରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଭୟରେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଆରମ୍ଭ କରିଛନ୍ତି।
ଅପରପକ୍ଷରେ ଡ୍ରାଇଭରଙ୍କ ଆନ୍ଦୋଳନ ଭିତରେ ବସ୍ କର୍ମଚାରୀ ଦୁଇଦିନ ହେବ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହାକୁ ନେଇ ଆଜି ଘରୋଇ ବସ୍ ମାଲିକ ସଂଘର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା। ସଂଘର ସଂପାଦକ ଦେବେନ୍ଦ୍ର ସାହୁ ଗଣମାଧ୍ୟମକୁ କହିଛନ୍ତି, ଆନ୍ଦୋଳନ ଯୋଗୁ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଟ୍ରକ୍ ଛିଡ଼ା ହୋଇଛି। ସେଥିପାଇଁ ରାସ୍ତା ପୂରା ଜାମ୍ ହୋଇଯାଇଛି। ଆଜି ସଂଧ୍ୟା ସୁଦ୍ଧା ରାସ୍ତାରୁ ଜାମ୍ ନ ହଟିଲେ ଆସନ୍ତାକାଲିଠାରୁ ବସ୍ ଚଳାଚଳ ବନ୍ଦ କରିବା ଲାଗି ସଂଘ ବାଧ୍ୟ ହେବ। ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ରାସ୍ତାରେ ବସ୍ ଛିଡ଼ା କରି ପ୍ରତିବାଦ କରାଯିବ। ଏହାପରେ ଯଦି ରାଜ୍ୟ ସରକାର ସଂଘର ଅଭିଯୋଗ ନ ଶୁଣନ୍ତି ତାହାଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ି ଛିଡ଼ା କରି ଆନ୍ଦୋଳନ କରିବୁ। ଡ୍ରାଇଭର ସଂଘ ଆନ୍ଦୋଳନ ବେଳେ ପୁଲିସ ପ୍ରଶାସନ ସହଯୋଗ କରିବ ବୋଲି ଭାବିଥିଲୁ। ସେଥିପାଇଁ ଗାଡ଼ି ଚଳାଇଥିଲୁ। ମାତ୍ର ପୁଲିସର ସହଯୋଗ ମିଳିଲାନାହିଁ। ପୁଲିସ ଉପସ୍ଥିତିରେ ଡ୍ରାଇଭରମାନେ ଗାଡ଼ି ଅଟକାଉଛନ୍ତି। ବସ୍ କର୍ମଚାରୀଙ୍କୁ ମାଡ଼ ମାରୁଛନ୍ତି। ଡ୍ରାଇଭର ସଂଘର ଆନ୍ଦୋଳନକୁ ଆମେ ବିରୋଧ କରୁନାହିଁ, ସେମାନେ ତାଙ୍କ ଦାବି ଉପସ୍ଥାପନ କରନ୍ତୁ। କିନ୍ତୁ ସେମାନେ ଯାତ୍ରୀବାହୀ ବସ୍କୁ କାହିଁକି ଅଟକାଉଛନ୍ତି ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/m36.jpg)