ମଣ୍ଡିରେ କ୍ବିଣ୍ଟାଲ୍ କ୍ବିଣ୍ଟାଲ୍ ଧାନ
କୋଟା ନାହିଁ, ଟୋକନ୍ ଧରି ଚାଷୀ ବସିଛି
ଭୁବନେଶ୍ବରରେ ବାବୁମାନେ ଦେଉଛନ୍ତି ରଙ୍ଗିନ୍ ଚିତ୍ର
ଭୁବନେଶ୍ବର : ମଣ୍ଡିରେ ଗଦା ଗଦା ଧାନ ପଡ଼ିଛି; ଅଥଚ ଉଠୁନି। ମଣ୍ଡିକୁ ଧାନ ଆଣି ଚାଷୀ କଲବଲ ହେଉଛି। କେଉଁଠି ଟୋକନ୍ ଦିଆସରିଛି କିନ୍ତୁ ଜିଲ୍ଲା ପାଇଁ କୋଟା ସରିଯିବାରୁ ଚାଷୀ ଧାନ ବିକ୍ରି କରିପାରୁନାହାନ୍ତି। ବାଧ୍ୟ ହୋଇ ଦଲାଲଙ୍କ ହାବୁଡ଼ରେ ପଡ଼ି ଅଭାବୀ ବିକ୍ରିର ଶିକାର ହେଲେଣି। ସେହିପରି କେଉଁଠି ଟୋକନ୍ ଦିଆଯାଇଥିଲେ ବି ମାସକ ପରେ ଧାନ କିଣିବା ନେଇ ତାରିଖ ଧାର୍ଯ୍ୟ କରାଯାଇଛି। ଅର୍ଥାଭାବରେ ପଡ଼ି ବାଧ୍ୟହୋଇ ଚାଷୀ ମିଲରଙ୍କୁ କମ ଦରରେ ଧାନ ବିକିଲେଣି। ଏ କୌଣସି ଗୋଟିଏ କିମ୍ବା ଦୁଇଟି ଜିଲ୍ଲାର ଚିତ୍ର ନୁହେଁ, ଚଳିତବର୍ଷ ଧାନ ସଂଗ୍ରହକୁ ସୁବ୍ୟବସ୍ଥିତ କରିବା ନେଇ ସରକାର ଯେତେ ଡିଣ୍ଡିମ ପିଟିଲେ ବି ପ୍ରାୟ ସବୁ ଜିଲ୍ଲାରେ ଖରିଫ୍ ଧାନ ସଂଗ୍ରହରେ ଏପରି ଅବ୍ୟବସ୍ଥା ଲକ୍ଷ ଲକ୍ଷ ଚାଷୀଙ୍କୁ ହତାଶା ଭିତରକୁ ଠେଲିଦେଇଛି। ଚାଷୀ କେତେ ହନ୍ତସନ୍ତ ହେଉଛି, ତାକୁ ଜିଲ୍ଲାସ୍ତରରେ ଅନୁଧ୍ୟାନ ନ କରି ଯୋଗାଣ ମନ୍ତ୍ରୀ କେବଳ ଭୁବନେଶ୍ବରରେ ଧାନ ସଂଗ୍ରହ ସମୀକ୍ଷା କରିଦେଇ ନିଜର ଦାୟିତ୍ବ ଝାଡ଼ିଦେଇଛନ୍ତି।
ନୂଆଦିଲ୍ଲୀରେ କେନ୍ଦ୍ର କୃଷି ନୀତିକୁ ନେଇ ବିବାଦ ଚାଷୀ-ସରକାର ମୁହାଁମୁହିଁ ସ୍ଥିତିରେ ଥିବା ବେଳେ ରାଜ୍ୟରେ ଧାନ କିଣାରେ ଏଭଳି ଅବ୍ୟବସ୍ଥା ଏବେ ଚାଷୀମାନଙ୍କ ଅସନ୍ତୋଷକୁ ବହୁଗୁଣିତ କଲାଣି। ତଥାପି ରାଜ୍ୟ ସରକାର ଏହି ପ୍ରସଙ୍ଗରେ ଠୋସ୍ ପଦକ୍ଷେପ ନେଇ ସମସ୍ୟା ସମାଧାନ କରିବା ବଦଳରେ ନିରବ ବସିଛନ୍ତି।
www.thehindu.comଚଳିତ ବର୍ଷ ଭଲ ବର୍ଷା ହେଲା। ଚାଷ ଅନୁକୂଳ ପାଗ ଓ ରୋଗପୋକ ନ ଲାଗିବା କାରଣରୁ ବମ୍ଫର୍ ଫସଲ ଅମଳ ନେଇ କୃଷି ବିଭାଗ ଯଥେଷ୍ଟ ପୂର୍ବରୁ ଆକଳନ କରିଥିଲା। ହିସାବ କରାଯାଇଥିଲା, ଧାନ ଓ ଅଣଧାନ ଫସଲ ମିଶି ପ୍ରାୟ ୧୧୯ ଲକ୍ଷ ମେଟ୍ରିକ୍ ଅମଳ ହେବ। ସେଥିରୁ ୯୬ ଲକ୍ଷ ମେଟ୍ରିକ୍ କେବଳ ଧାନ ଅମଳ ହେବ ବୋଲି କୃଷି ବିଭାଗ ହିସାବ ଲଗାଇଥିଲା। ସରକାର କି ପ୍ରସ୍ତୁତି କରିଥିଲେ କେଜାଣି, ବିଭାଗୀୟ ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀମାନେ ବିଧାନସଭା ଭିତରେ ଓ ବାହାରେ ଚାଷୀ ଯେତେ ଧାନ ବିକ୍ରି କରିବାକୁ ଚାହିଁବେ ସମସ୍ତ ଧାନ ସରକାର କିଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏକଥା ବି କୁହାଯାଇଥିଲା, ଯେତେ ଧାନ ଆସିଲେ ବି ସରକାର ତାକୁ କିଣିବେ। ଏହି କ୍ରମରେ ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶା ପରେ ଚଳିତମାସ ପ୍ରଥମ ସପ୍ତାହରୁ ଉପକୂଳ ଓଡ଼ିଶାରେ ବି ଧାନ ସଂଗ୍ରହ ଆରମ୍ଭ ହୋଇଯାଇଛି। ହେଲେ ଧାନ ମଣ୍ଡିକୁ ଧାନ ଆଣି ଚାଷୀଟିଏ ବିନା ହଇରାଣ ହରକତରେ ତା ଫସଲ ବିକ୍ରି କରି ଘରକୁ ଯିବ ସେ ଗ୍ୟାରେଣ୍ଟି କାହା ପାଖରେ ନାହିଁ। ଅଧାରୁ ଅଧିକ ଜିଲ୍ଲାରେ ଧାନ ବିକ୍ରି ଅବ୍ୟବସ୍ଥା ଓ କେଳେଙ୍କାରୀ ଘଟଣା ସରକାର ବିରୋଧୀ ସ୍ବରକୁ ବହୁଗୁଣିତ କରିଛି। ଲୋକେ ଭୀଷଣ ଅସନ୍ତୋଷ ପ୍ରକାଶ କଲେଣି।
ତଥ୍ୟ ନେବାରେ ଜଣାପଡ଼ିଛି, ଜୟପୁରରେ ୯ ଲକ୍ଷ କ୍ବିଣ୍ଟାଲ ଧାନ ପଡ଼ିରହିଛି। ବରଗଡ଼ ଠାରୁ ଆରମ୍ଭ କରି ସମ୍ବଲପୁର କୁଚିଣ୍ଡା, ସୋନପୁର, କଳାହାଣ୍ଡି, ଯାଜପୁର ପର୍ଯ୍ୟନ୍ତ ସବୁଠାରେ ସମାନ ଅବସ୍ଥା। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଟେଲିଫୋନ୍ରେ ଯୋଗାଯୋଗ କରାଯାଇଥିଲେ ବି କେହି ଟେଲିଫୋନ୍ ଉଠାଉନାହାନ୍ତି। ଏପରିକି ଖୋଦ ବିଭାଗୀୟ ମନ୍ତ୍ରୀଙ୍କ ଟେଲିଫୋନ ଅଧିକାଂଶ ସମୟ ବନ୍ଦ ରହୁଛି କିମ୍ବା ଲାଗିଲେ ବି ମନ୍ତ୍ରୀ ଆଦୌ କଲ୍ ଗ୍ରହଣ କରୁନାହାନ୍ତି। ଏଥିରୁ ଜଣାପଡ଼ୁଛି ଚାଷୀଙ୍କ ବାସ୍ତବ ସମସ୍ୟା ସମାଧାନ ପାଇଁ କାହାରି ପାଖରେ ଆନ୍ତରିକତା ନାହିଁ। କେବଳ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପ୍ରବର୍ତ୍ତିତ ୫'ଟି' ଆଧାରରେ ସବୁ ଠିକ୍ ଠାକ୍ ଚାଲିଛି ବୋଲି କହିଚାଲିଛନ୍ତି। ସମୀକ୍ଷା ହେଉଛି, ଅଧିକାରୀ ଯାହା କହୁଛନ୍ତି ତାକୁ ମନ୍ତ୍ରୀ ବି ମାନି ନେଉଛନ୍ତି।
ଗତ ୬ ତାରିଖ ଦିନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଧାନ ସଂଗ୍ରହ ନେଇ ସମୀକ୍ଷା କରିଥିଲେ। ସେହିଦିନ ସୁଦ୍ଧା ୨୬ ଲକ୍ଷ ୪୮ ହଜାର ୪୭୪ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିବା ନେଇ ସୂଚନା ଦେଲେ। ଯାହାକି ଗତବର୍ଷ ତୁଳନାରେ ୨୪% ଅଧିକ। ଅଦ୍ୟାବଧି ଧାନ ସଂଗ୍ରହ ବାବଦରେ ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ୪ ହଜାର ୫୩୮ କୋଟି ଟଙ୍କା ପ୍ରଦାନ କରାଯାଇଥିବା ନେଇ ଟ୍ବିଟ୍ ଯୋଗେ ଜଣାଇଲେ। କେଉଁ ଜିଲ୍ଲାରୁ କେତେ ଧାନ ସଂଗ୍ରହ ହୋଇଛି ତାର ଲମ୍ବା ତାଲିକା ବି ଯୋଗାଣ ବିଭାଗ ପକ୍ଷରୁ ଜାରି କରାଗଲା। ସରକାରଙ୍କୁ ସୁହାଇଲାଭଳି ଗଣମାଧ୍ୟମରେ କିପରି ଖବର ପ୍ରକାଶ ପାଇବ, ସେଥିପାଇଁ ସୂଚନା ଅଧିକାରୀ ବି ଲାଗିପଡ଼ି ଭଲ ଭଲ ଶବ୍ଦ ବ୍ୟବହାର କରି ଗଣମାଧ୍ୟମକୁ ପ୍ରେସ୍ ଇସ୍ତାହାର ପଠାଉଛନ୍ତି। ଅଥଚ କ୍ଷେତ୍ର ସ୍ତରରେ ଚାଷୀଙ୍କ ସ୍ଥିତି କଣ ତାକୁ ଅନୁଧ୍ୟାନ କରିବାକୁ କାହାରିକୁ ଦେଖାଯାଉନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/subernpur-paddy.jpg)