କଟକ: ରାଜ୍ୟରେ ୨୮ଟି ନୂଆ ଜିଲ୍ଲା ଗଠନ ପାଇଁ ଦାବି ରହିଛି। ଇତିମଧ୍ୟରେ ୧୫ଟି ଜିଲ୍ଲାରୁ ନୂଆ ଜିଲ୍ଲା ପାଇଁ ସ୍ମାରକପତ୍ର ମିଳିଛି। ରାଇରଙ୍ଗପୁରକୁ ଜିଲ୍ଲା ମାନ୍ୟତା ନେଇ ୨୦୨୩, ଜୁନ୍ ୫ରେ ଆବେଦନକାରୀ ଦାଖଲ କରିଥିବା ଦାବିପତ୍ର ସରକାରଙ୍କ ହସ୍ତଗତ ହୋଇଛି। ଜିଲ୍ଲା ପୁନର୍ଗଠନ ପ୍ରସଙ୍ଗକୁ ନେଇ ବିଚାରାଧୀନ ମାମଲାରେ ରାଜ୍ୟ ସରକାରଙ୍କ ତରଫରୁ ଦାଖଲ ସତ୍ୟପାଠରେ ଏପରି ତଥ୍ୟ ଉଲ୍ଲେଖ କରାଯାଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ସଚିବ ଶଶଧର ନାୟକଙ୍କ ତରଫରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଛି ଯେ କୋଡ୍ ଅଫ୍ କ୍ରିମିନାଲ ପ୍ରୋସିଡ୍ୟୋର୍, ୧୯୭୩ର ଧାରା ୭(୨), (୩) ଓ ଓଡ଼ିଶା ରେଭିନ୍ୟୁ ଆଡମିନିଷ୍ଟ୍ରେସନ୍ (ୟୁନିଟ୍‌ସ) ଆଇନ, ୧୯୬୩ର ଧାରା ୩(ବି)ରେ ପ୍ରଦତ୍ତ କ୍ଷମତା ଆଧାରରେ ସରକାର ହାଇକୋର୍ଟଙ୍କ ସହିତ ପରାମର୍ଶ କରି ରାଜ୍ୟରେ ନୂଆ ଜିଲ୍ଲା ଗଠନ କରି ପାରିବେ। ସ୍ବାଧୀନତା ପୂର୍ବରୁ ଓଡ଼ିଶା‌ ରାଜ୍ୟ କଟକ, ପୁରୀ, ବାଲେଶ୍ବର, ଗଞ୍ଜାମ, କୋରାପୁଟ ଓ ସମ୍ବଲପୁର ୬ଟି ଜିଲ୍ଲାକୁ ନେଇ ଥିଲା। ୧୯୪୮ରେ ୭ଟି ନୂଆ ଜିଲ୍ଲା ଗଠନ ହୋଇଥିଲା। ଢେଙ୍କାନାଳ, ସୁନ୍ଦରଗଡ଼, ମୟୂରଭଞ୍ଜ, ଫୁଲବାଣୀ, ବଲାଙ୍ଗୀର, କଳାହାଣ୍ଡି ଓ କେନ୍ଦୁଝର ଜିଲ୍ଲା ଗଠନ ହେବା ପରେ ମୋଟ ଜିଲ୍ଲା ସଂଖ୍ୟା ୧୩ରେ ପହଞ୍ଚି ଥିଲା। ୧୯୭୩, ଜାନୁଆରି ୨୫ରେ ରାଜ୍ୟ ସରକାର ଜଷ୍ଟିସ ରାଜ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପୁନର୍ଗଠନ କମିଟି ଗଠନ କରିଥିଲେ। ୧୯୭୫, ସେପ୍ଟେମ୍ବର ୨୯ରେ ଏହି କମିଟି ରିପୋର୍ଟ ଦାଖଲ କରିଥିଲା। ୧୯୯୧, ମାର୍ଚ୍ଚ ୧୬ ଓ ମେ ୨୮ରେ ଗୃହୀତ ପ୍ରସ୍ତାବ ଅନୁସାରେ ରାଜ୍ୟ ସରକାର କ୍ୟାବିନେଟ ସବ୍ କମିଟି ଗଠନ କରିଥିଲେ। ମୁଖ୍ୟମନ୍ତ୍ରୀ ଓ ୮ଜଣ ମନ୍ତ୍ରୀଙ୍କୁ ନେଇ ଗଠିତ କ୍ୟାବିନେଟ ସବ୍-କମିଟିକୁ ଜିଲ୍ଲା ପୁନର୍ଗଠନ ପ୍ରସ୍ତାବ ଗୁଡିକୁ ଅନୁଧ୍ୟାନ କରିବାକୁ ଦାୟିତ୍ବ ଦିଆଯାଇଥିଲା। କୋର୍ଟଙ୍କ ପରାମର୍ଶ ଓ ସମ୍ମତିରେ ରାଜ୍ୟ ରାଜସ୍ବ ଓ ଅବକାରୀ ବିଭାଗ ୧୯୯୨, ଅକ୍ଟୋବର ୧, ୧୯୯୩, ମାର୍ଚ୍ଚ ୨୭ ଓ ଡିସେମ୍ବର ୨୨ରେ ବିଜ୍ଞପ୍ତି ଜାରି କରି ଯଥାକ୍ରମେ ୪, ୧୦, ୩ଟି ନୂଆ ଜିଲ୍ଲା ଗଠନ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲା। ଫଳରେ ଜିଲ୍ଲା ସଂଖ୍ୟା ୧୩ରୁ ୩୦କୁ ବୃଦ୍ଧି ପାଇଥିଲା। ପଦ୍ମପୁର ସବ୍-ଡିଭିଜନକୁ ନେଇ ପଦ୍ମପୁର ଜିଲ୍ଲା ଗଠନ ପାଇଁ ସରକାରଙ୍କ ଉଦ୍ଦେଶ୍ୟ ରହିଛି। ଏଥି ପାଇଁ ଉତ୍ତରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ଗଠିତ ୧୧ଜଣିଆ ଉଚ୍ଚକ୍ଷମତା ସଂପନ୍ନ କମିଟି ୨୦୨୩, ଡିସେମ୍ବର ୪ରେ ପଦ୍ମପୁର ଗସ୍ତରେ ଯାଇଥିଲେ। କଲେକ୍ଟୋରେଟ୍ ଓ ଆନୁସଙ୍ଗିକ କାର୍ଯ୍ୟାଳୟ ପାଇଁ ଉପଯୁକ୍ତ ସ୍ଥାନ ନିରୂପଣ ପାଇଁ କମିଟି ଗସ୍ତ କରିଥିଲେ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି।

Advertisment

ସତ୍ୟପାଠ ଅନୁଧ୍ୟାନ କରି ପ୍ରତିଜବାବ ଦାଖଲ ପାଇଁ ଆବେଦନକାରୀଙ୍କ ପକ୍ଷରୁ ସମୟ ଲୋଡ଼ା ଯାଇଥିଲା। ହାଇକୋର୍ଟ ଏଥି ପାଇଁ ଅନୁମତି ଦେବା ସହିତ ଚାରି ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଜିଲ୍ଲା ପୁନର୍ଗଠନ ପ୍ରକ୍ରିୟା ପ୍ରସଙ୍ଗରେ ପୂର୍ବରୁ ଜାରି କରାଯାଇଥିବା ଅଙ୍କୁଶ ବଳବତ୍ତର ରଖିବାକୁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆବାହକ ତଥା ରାଇରଙ୍ଗପୁର ବାର୍ ଆସୋସିଏସନ ସଭାପତି ଅକ୍ଷୟ କୁମାର ମହାନ୍ତିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଡିସେମ୍ବର ୨୧ରେ ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ସରକାରଙ୍କର ନୂଆ ଜିଲ୍ଲା ଗଠନ ସଂପର୍କରେ କୌଣସି ନିର୍ଦ୍ଦିଷ୍ଟ ଗାଇଡ୍‌ଲାଇନ ବା ନିୟମ ନଥିବା ସ୍ପଷ୍ଟ ହୋଇଥିଲା। ନିକଟରେ କେଉଁ ନୂଆ ଜିଲ୍ଲାକୁ ସ୍ବୀକୃତି ଦିଆଯିବ,‌ ସେ ନେଇ ରେକର୍ଡ ନଥିବାରୁ ଏହି ପ୍ରସଙ୍ଗରେ ପକ୍ଷ ରଖିବାକୁ ସରକାର ସମୟ ଲୋଡ଼ିଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ଜବାବ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ପୁନର୍ଗଠନ ପ୍ରକ୍ରିୟା ପ୍ରସଙ୍ଗରେ ସରକାର ପଦକ୍ଷେପ ନେଇ ପାରିବେ, କିନ୍ତୁ ଅଦାଲତଙ୍କ ବିନା ଅନୁମତିରେ ଏହି ପ୍ରସଙ୍ଗରେ କୌଣସି ଚୂଡାନ୍ତ ଆଦେଶ ପ୍ରଦାନ କରାଯାଇ ପାରିବ ନାହିଁ ହାଇକୋର୍ଟଙ୍କ ଡିସେମ୍ବର ୨୧ର ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସୁଶାନ୍ତ କୁମାର ଦାଶ ମାମଲା ପରିଚାଳନା କରୁଛନ୍ତି।