ହାତୀ ସୁରକ୍ଷା ମାମଲାରେ ସରକାରଙ୍କ ସତ୍ୟପାଠ: ଡିସେମ୍ବର ସୁଦ୍ଧା ପ୍ରସ୍ତୁତ ହେବ କାର୍ଯ୍ୟାନ୍ବୟନ ରିପୋର୍ଟ

କଟକ : ହାତୀ ଶିକାର ରୋକିବାକୁ ଏକ ବ୍ୟାପକ କାର୍ଯ୍ୟାନ୍ବୟନ ରିପୋର୍ଟ ଡିସେମ୍ବର ସୁଦ୍ଧା ପ୍ରସ୍ତୁତ କରାଯିବ। ଇତିମଧ୍ୟରେ ହାତୀ ସୁରକ୍ଷା ପାଇଁ ବନ ବିଭାଗ ଓ ରାଜ୍ୟ ପୁଲିସର ଯୁଗ୍ମ ଟାସ୍କଫୋର୍ସ (ଜେଟିଏଫ୍‌) ଗଠନ କରାଯାଇଛି। ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବା ସହିତ ଏହା ଜଣାଇଛନ୍ତି ରାଜ୍ୟ ସରକାର।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହାତୀ ସୁରକ୍ଷା ସଂପର୍କିତ ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା, ସେପ୍ଟେମ୍ବର ୨୦ରେ ଜେଟିଏଫ୍‌ ବୈଠକ ବସି ହାତୀ ଶିକାର ରୋକିବା ପ୍ରସଂଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା। ଆଗକୁ ଗ୍ରହଣ କରାଯିବାକୁ ଥିବା କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ‌ଏହି ବୈଠକର ବିବରଣୀ ରାଜ୍ୟ ସରକାରଙ୍କ ତରଫରୁ ସତ୍ୟପାଠ ସହିତ ହାଇକୋର୍ଟରେ ଦାଖଲ କରାଯାଇଥିଲା। ସତ୍ୟପାଠରେ ଗତ ଶୁଣାଣି ତାରିଖରୁ ଆଜି ଭିତରେ ରାଜ୍ୟରେ ହୋଇଥିବା ହାତୀ ମୃତ୍ୟୁ ଘଟଣାକୁ ସରକାରଙ୍କ ତରଫରୁ ସ୍ବୀକାର କରାଯାଇଥିଲା। ହାତୀ ମୃତ୍ୟୁ ଘଟଣାରେ ଦାୟିତ୍ବରେ ଅବହେଳା ପାଇଁ ବନ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତରେ ସତ୍ୟପାଠରେ ତଥ୍ୟ ଉଲ୍ଲେଖ କରାଯାଇଥିଲା। ଶିକାର ରୋକିବା ସହିତ ହାତୀଙ୍କ ସୁରକ୍ଷା ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ କରାଯାଉଛି। ଏହା ଡିସେମ୍ବର ଶେଷ ସୁଦ୍ଧା ପ୍ରସ୍ତୁତ ହୋଇଯିବ ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା।

The New Indian Express

ଅନ୍ୟପକ୍ଷରେ, ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ୨୦୧୩ରୁ ଏକ ମାମଲା ବିଚାରାଧୀନ ଥିବାବେଳେ ହାତୀ ମୃତ୍ୟୁ ମାମଲାରେ ପଦକ୍ଷେପ ନିଆଯାଉଛି ବୋଲି ସରକାର କହିଥିଲେ। ୯ ବର୍ଷ ପରେ କାର୍ଯ୍ୟାନ୍ବୟନ ଯୋଜନା ପ୍ରସ୍ତୁତ ସଂପର୍କରେ ପୁଣି ସରକାର କହୁଛନ୍ତି ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ହାଇକୋର୍ଟ ଉଭୟ ପକ୍ଷଙ୍କୁ ଶୁଣିବା ପରେ ସରକାରଙ୍କ ସତ୍ୟପାଠ ଉପରେ ଜବାବ ରଖିବାକୁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ସତ୍ୟପାଠ ସମସ୍ତ ପକ୍ଷଙ୍କୁ ପ୍ରଦାନ କରାଯିବ। ଅକ୍ଟୋବର ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ ଯେ ଏହି ମାମଲାର ଅଗ‌ଷ୍ଟ ୨୫ରେ ଶୁଣାଣି ସମୟରେ ପୁଲିସ ଡିଜି ସତ୍ୟପାଠ ଦାଖଲ କରିଥିଲେ। ପିସିସିଏଫଙ୍କ ପକ୍ଷରୁ ମଧ୍ୟ ସତ୍ୟପାଠ ଦାଖଲ ହୋଇଛି। କିନ୍ତୁ ତାହାକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ହାଇକୋର୍ଟରେ ହାତୀ ମୃତ୍ୟୁ ପ୍ରସଂଗକୁ ନେଇ ଆଇନଜୀବୀ ମୃଣାଳିନୀ ପାଢୀ, ବାଳଗୋପାଳ ମିଶ୍ର, ଦ୍ବିଜ ଦଳପତି, ଗୀତା ରାଉତଙ୍କ ଜନସ୍ବାର୍ଥ ଆବେଦନର ଏକତ୍ର ଶୁଣାଣି ଚାଲିଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଗୁରୁ ପ୍ରସାଦ ମହାନ୍ତି, ମୃଣାଳିନୀ ପାଢୀ ଓ ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର