କଟକ: ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ତାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ କରି ଜଷ୍ଟିସ୍ ରଘୁବୀର ଦାଶ କମିସନ୍ ଦାଖଲ କରିଥିବା ରିପୋର୍ଟ ରାଜ୍ୟ କ୍ୟାବିନେଟ୍ରେ ଯଥା ସମୟରେ ଉପସ୍ଥାପନ କରାଯିବ। ଏଥିପାଇଁ କିଛି ସମୟ ଆବଶ୍ୟକ ବୋଲି ରାଜ୍ୟ ସରକାରଙ୍କ ତରଫରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ୨୦୨୪ ଜୁଲାଇ ୧୦ର ଏହି ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ ମାମଲାରେ ପୂର୍ବରୁ ରାଜ୍ୟ ସରକାର (ଗୃହ ବିଭାଗ)ଙ୍କ ତରଫରୁ ୨୦୨୪ ଏପ୍ରିଲ ୫ରେ ଏକ ସତ୍ୟପାଠ ଦାଖଲ କରାଯାଇଥିଲା। ସେହି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ଜଷ୍ଟିସ୍ ରଘୁବୀର ଦାଶ କମିସନ ଦାଖଲ କରିଥିବା ତଦନ୍ତ ରିପୋର୍ଟ ନୂଆ କ୍ୟାବିନେଟ୍ରେ ଉପସ୍ଥାପନ କରାଯିବ। ଓଡ଼ିଶା ବିଧାନସଭା ନିର୍ବାଚନ ଫଳ ୨୦୨୪ ଜୁନରେ ପ୍ରକାଶ ପରେ ଗଠିତ ହେବାକୁ ଥିବା ନୂଆ କ୍ୟାବିନେଟ୍ ନିକଟରେ ଏହି ରିପୋର୍ଟ ଉପସ୍ଥାପନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯିବ। ନିର୍ବାଚନ ପରେ ନୂଆ କ୍ୟାବିନେଟ୍ ଗଠନ ସରିଛି। କମିସନଙ୍କ ରିପୋର୍ଟ ଯଥା ସମୟରେ କ୍ୟାବିନେଟ୍ ନିକଟରେ ଉପସ୍ଥାପନ କରାଯିବ ଏବଂ ଏଥିପାଇଁ କିଛି ସମୟ ଆବଶ୍ୟକ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି।
ଏଥିସହିତ ରତ୍ନଭଣ୍ଡାର ଖୋଲି ଶ୍ରୀଜିଉଙ୍କ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି ମଣତି ପାଇଁ ସରକାର ଜଷ୍ଟିସ୍ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ କମିଟି ପୁନର୍ଗଠନ କରିଛନ୍ତି। ଏହି କମିଟି ନିଜ ଦାୟିତ୍ବ ସଂପାଦନ କରୁଛି। ଏଭଳି ସ୍ଥିତିରେ ଏହି ଜନସ୍ବାର୍ଥ ମାମଲାର ଆଉ ପ୍ରାସଂଗିକତା ନାହିଁ ବୋଲି ଜୁଲାଇ ୧୦ର ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ଆଜି କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ଅରିନ୍ଦମ ସିହ୍ନା ଓ ଜଷ୍ଟିସ୍ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ ତରଫରୁ ଜୁଲାଇ ୧୦ରେ ସତ୍ୟପାଠ ଦାଖଲ କରାଯାଇଥିବା ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ସତ୍ୟପାଠର କପି ଏ ପର୍ଯ୍ୟନ୍ତ ଆବେଦନକାରୀଙ୍କୁ ମିଳି ନଥିବା ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା। ସତ୍ୟପାଠର କପି ଆବେଦନକାରୀଙ୍କୁ ପ୍ରଦାନ କରିବାକୁ ହାଇକୋର୍ଟ କହିବା ସହିତ ମାର୍ଚ୍ଚ ୧୨କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ଦିଲ୍ଲୀପ କୁମାର ବରାଳଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
କ୍ୟାବିନେଟ୍ରେ ଉପସ୍ଥାପିତ ହେବ ତଦନ୍ତ କମିସନ ରିପୋର୍ଟ
ମାର୍ଚ୍ଚ ୧୨ରେ ପରବର୍ତ୍ତୀ ଶୁଣାଣି
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୮ରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଚାବି ହଜିବା ପ୍ରସଙ୍ଗକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ସରକାର ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଘୁବୀର ଦାଶଙ୍କୁ କମିସନଙ୍କ ଅଧୢକ୍ଷ ଭାବେ ଦାୟିତ୍ବ ପ୍ରଦାନ କରିଥିଲେ। ୨୦୧୮ ଜୁନ୍ ୮ରେ ଗୃହ ବିଭାଗ ପକ୍ଷରୁ ତଦନ୍ତର ଟର୍ମସ୍ ଅଫ୍ ରେଫରେନ୍ସ ପ୍ରକାଶ ପାଇଥିଲା। ତଦନ୍ତ ପରେ କମିସନ ୨୦୧୮ ନଭେମ୍ବର ୨୯ରେ ସରକାରଙ୍କୁ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିଥିଲେ। ଏହି ରିପୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ରହସ୍ୟ ରହିଛି। କିନ୍ତୁ ସରକାର ଏହି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରୁ ନାହାନ୍ତି। ରିପୋର୍ଟକୁ ସାର୍ବଜନୀନ ମଧ୍ୟ କରାଯାଉ ନାହିଁ। କମିସନ ଅଫ୍ ଇନ୍କ୍ବାରି ଆଇନ ୧୯୫୨ର ଧାରା ୩(୪) ଅନୁସାରେ ସରକାର ଏହି ପ୍ରସଙ୍ଗରେ ପଦକ୍ଷେପ ନିଅନ୍ତୁ ବୋଲି ଦର୍ଶାଇ ଆବେଦନକାରୀ ୨୦୨୩ରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। କମିସନ ଅଫ୍ ଇନ୍କ୍ବାରି ଆଇନ ଅନୁସାରେ ସରକାର ଏହି ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରିବା ଉଚିତ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅନୁପ କୁମାର ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।
କ୍ୟାବିନେଟ୍ରେ କେବେ ଉପସ୍ଥାପିତ ହେବ କମିସନଙ୍କ ରିପୋର୍ଟ?
ବିଚାର ବିଭାଗୀୟ ତଦନ୍ତ କମିସନ ରିପୋର୍ଟ ରାଜ୍ୟ କ୍ୟାବିନେଟ୍ରେ ଉପସ୍ଥାପିତ ହେବ ବୋଲି ପୂର୍ବ ବିଜେଡି ସରକାର ୨୦୨୪ ଏପ୍ରିଲରେ ଦେଇଥିବା ସତ୍ୟପାଠରେ ଦର୍ଶାଇଥିଲେ। ସାଧାରଣ ନିର୍ବାଚନରେ ସରକାର ବଦଳିଗଲା। ବିଜେପି ସରକାର କ୍ଷମତାକୁ ଆସିବା ପରେ ୨୦୨୪ ଜୁଲାଇରେ ହାଇକୋର୍ଟରେ ଦିଆଯାଇଥିବା ସତ୍ୟପାଠରେ ଦର୍ଶାଗଲା ଯେ ଜଷ୍ଟିସ୍ ରଘୁବୀର ଦାଶ କମିସନ ରିପୋର୍ଟ କ୍ୟାବିନେଟ୍ରେ ଉପସ୍ଥାପିତ ହେବ। କିନ୍ତୁ ଏହାମଧ୍ୟରେ ୮ ମାସ ବିତିଗଲାଣି। ଏହି ରିପୋର୍ଟ କ୍ୟାବିନେଟ୍ ନିକଟରେ ଉପସ୍ଥାପନ କରାଯାଇଥିବା ନେଇ କୌଣସି ସୂଚନା ନାହିଁ। ୨୦୧୮ର ଏହି ରିପୋର୍ଟ କ୍ୟାବିନେଟ୍ରେ ଉପସ୍ଥାପିତ ହେବାକୁ ଆଉ କେତେ ଦିନ ଲାଗିବ ବୋଲି ଏବେ ପ୍ରଶ୍ନ ଉଠୁଛି।