କୋଭିଡ୍‌ କଟକଣା ନେଇ ସରକାରଙ୍କ ଦୋମୁହାଁ ନୀତି : କୋଣାର୍କ ଉତ୍ସବ କ’ଣ ସାଂସ୍କୃତିକ କାର୍ଯ୍ୟକ୍ରମ ନୁହେଁ

ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପାଇଁ ଭିନ୍ନ ଭିନ୍ନ ନିୟମ କାହିଁକି
ହଜାର ହଜାର କଳାକାରଙ୍କ ପେଟରେ ଲାତ

ଭୁବନେଶ୍ୱର : ୧୦ ଦିନ ତଳେ ନଭେମ୍ବର ମାସ ପାଇଁ କୋଭିଡ୍‌ ଗାଇଡ୍‌ଲାଇନ୍ ଜାରି କଲେ ସ୍ବତନ୍ତ୍ର ରିଲିଫ୍ କମିସନର୍‌। ସେଥିରେ ସିଧାସଳଖ କୁହାଗଲା ଯେ କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ଦିଆଯିବ ନାହିଁ। ନଭେମ୍ବର ୧୫ ପରେ ସ୍ଥିତି ସମୀକ୍ଷା କରାଯାଇ ନିଷ୍ପତ୍ତି ନିଆଯିବ। ଦୁଇ ଦିନ ତଳେ ଯାତ୍ରା କଳାକାରମାନେ ସରକାରଙ୍କ ସହ ଆଲୋଚନା କରିଥିଲେ। କୋଭିଡ୍‌ର ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ଥିବାରୁ ମଞ୍ଚକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ରୋକ୍‌ଠୋକ୍ ମନା କରିଦିଆଗଲା। ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ଥିବାରୁ ଏହି ବୃତ୍ତିରେ ଥିବା ହଜାର ହଜାର କଳାକାର ଯେ କେତେ ଦୁଃଖକଷ୍ଟରେ ଦିନ କାଟୁଛନ୍ତି, ତାହା ସରକାରୀ ବାବୁମାନେ ବୁଝିପାରିଲେନି।

କିନ୍ତୁ ଆଜି କୋଣାର୍କ ଉତ୍ସବ ଆୟୋଜନ କରିବାକୁ ପର୍ଯ୍ୟଟନ ବିଭାଗ ନିଷ୍ପତ୍ତି ନେଇଛି। କୋଣାର୍କରେ ଆୟୋଜିତ ଏକ ବୈଠକରେ ନିଜେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ଏହି ଘୋଷଣା ଏବେ ସରକାରଙ୍କ ଦୋମୁହାଁ ନୀତିକୁ ପଦାରେ ପକାଉଛି। ପ୍ରଶ୍ନ ଉଠୁଛି କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଉପରେ ଏସ୍‌ଆର୍‌ସି ରୋକ୍ ଲଗାଇଥିଲା ବେଳେ କୋଣାର୍କ ଉତ୍ସବ ଆୟୋଜନ ପାଇଁ ବିଭାଗ କିପରି ନିଷ୍ପତ୍ତି ନେଲା ? କୋଣାର୍କ ଉତ୍ସବ କ’ଣ ସାଂସ୍କୃତିକ କାର୍ଯ୍ୟକ୍ରମ ନୁହେଁ କି ? ଯେଉଁ କରୋନା ଆଳ ଦେଖାଇ କଳାକୁ ବୃତ୍ତି କରିଥିବା ଲୋକଙ୍କୁ ଭୋକ ଉପାସରେ ରହିବା ପାଇଁ ଛାଡ଼ି ଦିଆଯାଇଛି, ପୁଣି ସେହି କରୋନା ସମୟରେ କୋ‌ଣାର୍କ ଉତ୍ସବ କିପରି ଆୟୋଜନ କରାଯିବ ? ଯଦି କୋଣାର୍କ ଉତ୍ସବ ପାଇଁ ଅନୁମତି ମିଳିପାରୁଛି, ତେବେ ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ କ୍ଷେତ୍ରରେ ପ୍ରତିବନ୍ଧକ କେଉଁଠି ରହୁଛି? କୋଣାର୍କ ଉତ୍ସବରେ ଯଦି କରୋନା ନ ବ୍ୟାପିବ, ତେବେ ଅନ୍ୟ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ କଲେ କରୋନା ବ୍ୟାପିବ ବୋଲି ଅଧିକାରୀମାନେ କିପରି ଭାବିଦେଇଛନ୍ତି ?

କେନ୍ଦ୍ର ସରକାର ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ଦେଇଛନ୍ତି। କିନ୍ତୁ ରାଜ୍ୟ ସରକାର ଏ ଯାଏ ଅନୁମତି ଦେଉ ନାହାନ୍ତି। ସେପ୍ଟେମ୍ବର ମାସରୁ ରାଜ୍ୟ ସରକାର କୋଭିଡ୍‌ ଗାଇଡ୍‌ଲାଇନ୍ ପାଳନ କରି ଓପନ୍‌ ଏୟାର ଥିଏଟର୍‌ ଖୋଲିବାକୁ ଅନୁମତି ଦେଇଛନ୍ତି। ତେବେ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ରୋକ୍ ଲାଗିଥିବାରୁ ସଂସ୍କୃତି ବିଭାଗ ଅଧୀନରେ ଥିବା ଉତ୍କଳ ମଣ୍ଡପ ପରି ଓପନ୍ ଏୟାର୍ ଅଡିଟୋରିୟମ୍ ଏ ଯାଏ ଖୋଲୁ ନାହିଁ। ଯଦି ଏଠାରେ ଓପନ୍ ଏୟାର ଥିଏଟର୍‌ ଖୋଲୁ ନାହିଁ, ତେବେ କୋଣାର୍କରେ ଓପନ୍ ଏୟାର ଥିଏଟର୍‌ରେ କିପରି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ? ଆଜି ନିଜେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଉପସ୍ଥିତ ରହି କୋଣାର୍କ ଉତ୍ସବ ହେବ ବୋଲି ଘୋଷଣା କଲେ। କିନ୍ତୁ ସଂସ୍କୃତି ବିଭାଗରେ ଓପନ୍ ଏୟାର ଥିଏଟର୍‌ ଖୋଲି ସୀମିତ ସଂଖ୍ୟକ ଲୋକଙ୍କୁ ନେଇ କିପରି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ, ସେ ଦିଗରେ ମନ୍ତ୍ରୀ କେବେ ଚିନ୍ତା କରୁ ନାହାନ୍ତି।

ସେହିପରି ଅକ୍ଟୋବର ମାସରେ ଅଡିଟୋରିୟମ୍ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଲେ। କିନ୍ତୁ ରାଜ୍ୟ ସରକାର ତାହାକୁ ଗ୍ରହଣ କରିନାହାନ୍ତି କି ଅନୁମତି ଦେଇ ନାହାନ୍ତି। ଯଦି ବଡ଼ ହଲ୍‌ରେ ଦୁଇ ଶହ ଲୋକଙ୍କୁ ନେଇ ଭୋଜିଭାତକୁ ଅନୁମତି ମିଳିପାରୁଛି, ତେବେ ଅଡି‌େଟାରିୟମ୍‌ରେ କମ୍ ସଂଖ୍ୟକ ଦର୍ଶକଙ୍କୁ ନେଇ କାହିଁକି କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ ନାହିଁ ବୋଲି ପ୍ରଶ୍ନ ଉଠୁଛି। ଭୁବନେଶ୍ବରରେ ରବୀନ୍ଦ୍ର ମଣ୍ଡପ ପରି ଅଡିଟୋରିୟମ୍‌ରେ ୮୦୦ ଲୋକ ବସିବା ପାଇଁ ସିଟ୍‌ ଥିଲା ବେଳେ ଏଠାରେ ୨୦୦ ଲୋକଙ୍କୁ ଅନୁମତି ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ କରାଇବାରେ କୌଣସି ସମସ୍ୟା ନାହିଁ। ଏଥିରେ ସାମାଜିକ ଦୂରତା ମଧ୍ୟ ରକ୍ଷା କରାଯାଇପାରିବ। ସେହିପରି ଖୋଲା ମଞ୍ଚ, ବଡ଼ ବଡ଼ ହଲ୍‌, ହୋଟେଲ୍‌ରେ ସର୍ବାଧିକ ୨୦୦ ଲୋକଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଅନୁମତି ଦେଲେ ବହୁ କଳାକାରଙ୍କୁ ରୋଜଗାରର ସୁଯୋଗ ମିଳିପାରନ୍ତା।

କୋଭିଡ୍‌ ସମୟରେ ଜୀବନ, ଜୀବିକାକୁ ସ୍ବାଭାବିକ କରିବା ପାଇଁ ସରକାର ବହୁ ପଦକ୍ଷେପ ନେ‌େଲଣି। କିନ୍ତୁ ଅଭିନୟ, ସଙ୍ଗୀତ, କଳାକୁ ବୃତ୍ତି କରିଥିବା ହଜାର ହଜାର ଲୋକଙ୍କ ଜୀବିକାକୁ ସମ୍ପୂର୍ଣ୍ଣ ଅଣଦେଖା କରୁଛନ୍ତି। ସଂସ୍କୃତି ବିଭାଗ ଯେମିତି ଥାଇ ନ ଥିଲା ପରି। କୋଭିଡ୍‌ ଗାଇଡ୍‌ଲାଇନ୍ ମାନି କିପରି ସାଂସ୍କୃତିକ ମଞ୍ଚକୁ ଅନୁମତି ଦିଆଯିବ, ସେ ଦିଗରେ ବିଭାଗ ମାନସ ମନ୍ଥନ କରୁ ନାହିଁ। ୮ ମାସ ହେଲା କଟକଣା ଜାରି ରହିଥିଲେ ବି କଳାକାରମାନଙ୍କ ପାଇଁ ବିକଳ୍ପ ବାଟ ବି ବାହାର କରିପାରୁ ନାହିଁ।

ଏବେ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ବାହାରେ ଶହେ ଲୋକ ଏକାଠି ହେବାକୁ ଅନୁମତି ମିଳୁଛି। ଜନ୍ମଦିନ, ବାହାଘର ପାଳନ ହେଉଛି ଓ ଭୋଜିଭାତ ହେଉଛି। ପୂର୍ବରୁ ବିବାହ ପାଇଁ ଶହେ ଲୋକଙ୍କୁ ଅନୁମତି ମିଳୁଥିଲା ବେଳେ ଏବେ ଦୁଇ ଶହ ଲୋକଙ୍କୁ ଅନୁମତି ଦିଆଯାଇଛି। ନିକଟରେ ହୋଇଥିବା ଉପନିର୍ବାଚନରେ ଶହେ ଲୋକଙ୍କୁ ନେଇ ସଭା କରିବାକୁ ଅନୁମତି ଥିଲା ବେଳେ ଗୋଟିଏ ଗୋଟିଏ ସଭାରେ କେତେ ଶହ ଲୋକ ଏକାଠି ହେଉଥିଲେ ତାହାର ହିସାବ ନାହିଁ। ପୁଣି କିଛି ଜାଗାରେ ନାଚ, ଗୀତର ଆସର ବି ଜମିଥିଲା। ଏସବୁରେ କରୋନା ବ୍ୟାପିଲା ନାହିଁ। କିନ୍ତୁ ସାଂସ୍କୃତିକ କାର୍ଯ୍ୟକ୍ରମ କଲେ କରୋନା ମହାମାରୀ ମାଡ଼ିଯିବ। ଏମିତି ଏକ ଉଦ୍ଭଟ ଓ ହାସ୍ୟାସ୍ପଦ ଯୁକ୍ତିକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରୁ ରୋକ୍ ଉଠାଉ ନାହାନ୍ତି ସରକାର। ଦାୟିତ୍ବରେ ଥିବା ଅଧିକାରୀମାନେ କଳା, ସଂସ୍କୃତି ପ୍ରତି ସର୍ବନିମ୍ନ ସମ୍ବେଦନଶୀଳ ହେଉ ନ ଥିବାରୁ ରାଜ୍ୟରେ ଏହି କ୍ଷେତ୍ରଟି ଧୀ‌େର ଧୀରେ ଦୁର୍ବଳ ହେବାରେ ଲାଗିଛି।

ସମ୍ବନ୍ଧିତ ଖବର