ଭୁବନେଶ୍ବର: କରୋନା କାଳରେ ମାସ୍କ ଦୁର୍ନୀତି ପ୍ରସଙ୍ଗରେ ବଡ ବୟାନ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ । କୋଭିଡ କିଟ୍ କିଣାରେ ଆସିଥିବା ଦୁର୍ନୀତି ଅଭିଯୋଗ ଲୋକାୟୁକ୍ତଙ୍କ ପାଖରେ ବିଚାରାଧୀନ ଅଛି । ତଦନ୍ତ ପରେ ଯିଏ ଦୋଷୀ ସାବ୍ୟସ୍ତ ହେବ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ମାସ୍କ ଦୁର୍ନୀତି ପ୍ରସଙ୍ଗରେ ଗତକାଲି ସରକାରଙ୍କୁ ବିରୋଧୀ ଘେରିଥିବା ବେଳେ ଆଜି ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।
ସେହିଭଳି କରୋନା ମହାମାରୀ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳତା ନେଇ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବ ଉପରେ ମଧ୍ୟ ଗୃହରେ ବିବୃତି ରଖିଛନ୍ତି ନବ ଦାସ । ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ନିୟନ୍ତ୍ରଣ ଭିତରେ ରହିଛି କରୋନା। ରାଜ୍ୟରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୬ ହଜାରରୁ ଅଧିକ ରହିଛି । ରାଜ୍ୟରେ ୨୯ ହଜାର କରୋନା ରୋଗୀ ଆଇସୋଲେସନରେ ଅଛନ୍ତି, ୭୩୪୮ ରୋଗୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଯଦି ସରକାର ବିଫଳ ତେବେ ରୋଗୀ ସୁସ୍ଥ କିପରି ହେଉଛନ୍ତି? ଦେଶରେ ମୃତ୍ୟୁ ହାର ୧.୬୦ ଥିବା ବେଳେ ଓଡ଼ିଶାରେ ୦.୩୮। ଲାକଡାଉନ ଯୋଗୁଁ ସଂକ୍ରମଣ ନିୟନ୍ତ୍ରଣରେ ଥିଲା। କିନ୍ତୁ ପ୍ରବାସୀ ଫେରିବା ପରେ ଏହି ସଂଖ୍ୟା ବଢିଥିଲା। ତେବେ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ତ୍ରିସ୍ତରୀୟ କୋଭିଡ ଚିକିତ୍ସା କେନ୍ଦ୍ରର ବ୍ୟବସ୍ଥା କରାଯାଇଥିବା ବେଳେ ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ଏପରିକି ପ୍ରତିଦିନ ହାରାହାରି ୫୦ ହଜାର ଟେଷ୍ଟିଂ କରାଯାଉଥିବା କହିଛନ୍ତି ନବ ଦାସ ।
ମୁଲତବୀ ଆଲୋଚନାରେ ଅଂଶ ଗ୍ରହଣ କରି ଗର୍ଜିଛନ୍ତି ବିରୋଧୀ । ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଲେ, କେବଳ କୋଭିଡ ନୁହେଁ ସ୍ୱାସ୍ଥ୍ୟ ସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ। ମନ୍ତ୍ରୀଙ୍କ ଉତ୍ତର ତଥ୍ୟଠାରୁ ବହୁତ ଦୂରରେ। ସରକାର ଶ୍ରେୟ ନେବାକୁ ଚାହିଁ ବସିଛନ୍ତି, ଖାଲି ପ୍ରବଚନ ଦେଉଛନ୍ତି।ସେହିପରି କୋଭିଡ ପରିଚାଳନା ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଥିଲେ କରୋନା ପ୍ରସଙ୍ଗରେ ତଥ୍ୟ ଲୁଚାଉଛନ୍ତି ସରକାର। ତଥ୍ୟ ସଂଗ୍ରହ ନାଁରେ ଚୁପ୍ ରହୁଛନ୍ତି । ଲୋକ ମରୁଛନ୍ତି କିନ୍ତୁ ସରକାର ତଥ୍ୟ ଲୁଚାଉଛନ୍ତି। ପ୍ରତିଦିନ ୧୦ ହଜାର ଲୋକ ସଂକ୍ରମିତ ହେଉଛନ୍ତି, ସରକାର କହୁଛନ୍ତି ୩ ହଜାର ରୁ ୪ ହଜାର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/17-24-copy.jpg)