ଭୁବନେଶ୍ବର: ପ୍ରଖ୍ୟାତ ସାହିତ୍ୟିକ ତଥା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ପଦ୍ମଶ୍ରୀ ଡ. ଜୟନ୍ତ ମହାପାତ୍ରଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଜ୍ୟପାଳ ପ୍ରସିଦ୍ଧ ଇଂରାଜୀ ସାହିତ୍ୟିକ ଜୟନ୍ତ ମହାପାତ୍ରଙ୍କ ପରଲୋକ ଖବର ବିଷୟରେ ଜାଣି ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ପରିବାର, ଅନୁଗାମୀ ଏବଂ ପାଠକମାନଙ୍କ ନିକଟରେ ସମବେଦନା ଜଣାଇଛନ୍ତି।

Advertisment

ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଖ୍ୟାତ ସାହିତ୍ୟିକ ଜୟନ୍ତ ମହାପାତ୍ରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସାହିତ୍ୟ ଜଗତରେ ଏହା ଏକ ଅପୂରଣୀୟ ଶୂନ୍ୟସ୍ଥାନ। ଉଭୟ ଓଡ଼ିଆ ଏବଂ ଇଂରାଜୀ ସାହିତ୍ୟରେ ଅନନ୍ୟ ସୃଜନସୃଷ୍ଟି ତାଙ୍କୁ ସର୍ବଦା ଅମର କରି ରଖିବ। ମହାନ ସାହିତ୍ୟିକଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ଜଣାଇଛନ୍ତି। ସେ କହିଛନ୍ତି, ଖ୍ୟାତିସମ୍ପନ୍ନ କବି ତଥା ବିଶିଷ୍ଟ ସାରସ୍ୱତ ସାଧକ ଡକ୍ଟର ଜୟନ୍ତ ମହାପାତ୍ରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କର ସାହିତ୍ୟରେ ଓଡ଼ିଶା ମାଟିର କଥା ପ୍ରସ୍ଫୁଟିତ ହୁଏ । କବିତା ମାଧ୍ୟମରେ ସାଧାରଣ ଲୋକଙ୍କ ଜୀବନ ଯାତ୍ରାର କଥା କହିବା ଥିଲା ତାଙ୍କର ଅନନ୍ୟ କୃତି । ତାଙ୍କ ବିୟୋଗରେ ସାହିତ୍ୟ ଜଗତ ଜଣେ ଉଜ୍ଜ୍ୱଳ ପ୍ରତିଭାଙ୍କୁ ହରାଇଲା । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।

ପ୍ରଖ୍ୟାତ ସାହିତ୍ୟିକ ତଥା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ପଦ୍ମଶ୍ରୀ ଡ. ଜୟନ୍ତ ମହାପାତ୍ର ଆଜି ରାତି ୯ଟାରେ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଡ. ମହାପାତ୍ର  କିଛି ଦିନ ହେଲା ଅସୁସ୍ଥ ଥିଲେ। ଜ୍ବରରେ ପଡ଼ିବା ସହ ତାଙ୍କ ହୃତ୍‌ସ୍ପନ୍ଦନରେ ସମସ୍ୟା ଦେଖାଦେଇଥିଲା। ଘରେ ରହି ସେ ଚିକିତ୍ସିତ ହେଉଥିଲେ। ହୃଦ୍‌ରୋଗ ବିଶେଷଜ୍ଞ ପ୍ରଫେସର୍‌ ଡାକ୍ତର ବିଶ୍ୱଜିତ ଦାସଙ୍କ ନେତୃତ୍ବରେ ଏହି ଟିମ୍‌ ଡ. ମହାପାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ପରେ ତାଙ୍କୁ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ଆଜି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। କବି ଡ.ମହାପାତ୍ରଙ୍କ ବିୟୋଗରେ ସାହିତ୍ୟିକ ମହଲରେ ଗଭୀର ଶୋକପ୍ରକାଶ ପାଇଛି। ବିଶିଷ୍ଟ କବି ଜୟନ୍ତ ମହାପାତ୍ରଙ୍କ ବିୟୋଗ ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବହୁ ବିଶିଷ୍ଟ ସାହିତ୍ୟିକ କହିଛନ୍ତି।

ସୂଚନାଯୋଗ୍ୟ, ଡ. ମହାପାତ୍ର ୧୯୨୮ ଅକ୍ଟୋବର ୨୨ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ। ସେ କଟକସ୍ଥିତ ଷ୍ଟିୱାର୍ଟ ସ୍କୁଲରେ ପାଠ ପଢ଼ିଥିଲେ। ବିହାରର ପାଟଣା ବିଶ୍ବବିଦ୍ୟାଳୟରେ ସେ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୪୯ ମସିହାଠାରୁ ରାଜ୍ୟ ସରକାରଙ୍କ ବିଭିନ୍ନ କଲେଜ (ସମ୍ବଲପୁରସ୍ଥିତ ଗଂଗାଧର ମେହେର କଲେଜ, ଭୁବନେଶ୍ବରସ୍ଥିତ ବିଜେବି କଲେଜ, ବାଲେଶ୍ବରସ୍ଥିତ ଫକୀର ମୋହନ କଲେଜ ଓ କଟକସ୍ଥିତ ରେଭେନ୍ସା କଲେଜ)ରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଥିଲେ। ୧୯୮୬ ମସିହାରେ ସେ ବର୍ତ୍ତମାନର ରେଭେନ୍ସା ବିଶ୍ବବିଦ୍ୟାଳୟରୁ ଅବସର ନେଇଥିଲେ। ୧୯୬୦ ମସିହା ପରେ ସେ ସୃଜନ ଜୀବନ ଆରମ୍ଭ କରିଥିଲେ। ଉଭୟ ଇଂରାଜୀ  ଓ ଓଡ଼ିଆ ସାହିତ୍ୟରେ ତାଙ୍କର ଭଲ ଦକ୍ଷତା ଥିଲା। ଇଂରାଜୀ କବିତା ପାଇଁ ସେ ପ୍ରଥମ ଭାରତୀୟ ଭାବେ ‌ସାହିତ୍ୟ ଏକାଡେମୀ ପୁରସ୍କାର ଗ୍ରହଣ କରିଥିଲେ। ୨୦୦‌୯ରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧୀ ପ୍ରଦାନ କରିଥିଲେ।