ତିତ୍‌ଲି ବିପନ୍ନଙ୍କୁ ରିଲିଫ ଓ ସହାୟତା କାର୍ଯ୍ୟ ତ୍ବରାନ୍ବିତ ପାଇଁ ରାଜ୍ୟପାଳଙ୍କ ଆହ୍ବାନ

ଭୁବନେଶ୍ବର : ଗଜପତି ଜିଲ୍ଲାରେ ପାହାଡ଼ ଧସି ମୃତ୍ୟୁବରଣ କରିଥିବା ଲୋକମାନଙ୍କ ପାଇଁ ଗଭୀର ଶୋକପ୍ରକାଶ କରିବା ସହିତ ଏହି ଦୁଃଖଦ ଘଟଣାକୁ ଦୁଭାର୍ଗ୍ୟଜନକ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ବର୍ଣ୍ଣନା କରିଛନ୍ତି। ତିତଲି ବାତ୍ୟା ଓ ବନ୍ୟା ଦୁର୍ଗତମାନଙ୍କୁ ରିଲିଫ କାର୍ଯ୍ୟ ଓ ସହାୟତା ଯୋଗାଣକୁ ତ୍ବରାନ୍ବିତ କରିବାକୁ ସେ ଆହ୍ବାନ ଦେଇଛନ୍ତି। ଏକ ପ୍ରେସ୍‌ ବିବୃତିରେ ରାଜ୍ୟପାଳ କହିଛନ୍ତି ଯେ ତିତଲି ପରେ ଭୀଷଣ ବର୍ଷା ଯୋଗୁଁ ବନ୍ୟା ସୃଷ୍ଟି ହେବା ଯୋଗୁଁ ଏହା ଓଡ଼ିଶାର ମେରୁଦଣ୍ଡ ଭାଙ୍ଗିଦେଇଛି। ଏହା ଫଳରେ ଜୀବନହାନି ଘଟିବା ସହିତ ବ୍ୟାପକ ଧନସଂପତ୍ତି ନଷ୍ଟ ହୋଇଛି। ବହୁସଂଖ୍ୟକ ଲୋକ ବାସହୀନ ହୋଇପଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ ପିଇବାପାଣି, ବିଦ୍ୟୁତ୍‌ଶକ୍ତି ଯୋଗାଣ ସ୍ବାଭାବିକ କରିବା ଏବଂ ଯୋଗାଯୋଗ ବ୍ୟବସ୍ଥା ପୁନରୁଦ୍ଧାର କରିବା ଜରୁରୀ। ସେହିପରି ଜଳବାହିତ ରୋଗଗୁଡ଼ିକ ଯେପରି ନ ବ୍ୟାପେ ସେଥିପ୍ରତି ସତର୍କ ଦୃଷ୍ଟି ରଖିବା ମଧ୍ୟ ଅତ୍ୟନ୍ତ ଆବଶ୍ୟକ। ଏଣୁ, ସମସ୍ତ ସଂପୃକ୍ତ ବିଭାଗଗୁଡ଼ିକ ପ୍ରଭାବିତ ଅଞ୍ଚଳର ବିପନ୍ନମାନଙ୍କ ଦୁର୍ଦଶାକୁ ପ୍ରଶମିତ କରିବା ପାଇଁ ନିଜ ନିଜ ଭିତରେ ସଂଯୋଜନା ଓ ସମନ୍ବୟ ରକ୍ଷା କରି କାର୍ଯ୍ୟ କରି ସ୍ବାଭାବିକ ପରିସ୍ଥିିତି ଫେରାଇ ଆଣିବାକୁ ରାଜ୍ୟପାଳ ନିର୍ଦେଶ ଦେଇଛନ୍ତିି।

ସମ୍ବନ୍ଧିତ ଖବର