ଭଗବାନ ଶ୍ରୀକୃଷ୍ଣଙ୍କ ଭଳି ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖରେ ଅଛି ୩ଟି ବିଶେଷ ଗୁଣ: ଗଣେଶୀ ଲାଲ

ଭୁବନେଶ୍ୱର: ଭଗବାନ ଶ୍ରୀକୃଷ୍ଣଙ୍କ ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରେ ମଧ୍ୟ ୩ଟି ବିଶେଷ ଗୁଣ ରହିଛି। ଭଗବାନ କୃଷ୍ଣଙ୍କ ସହ ତୁଳନା କରି ଗଣେଶୀ ଲାଲ କହିଛନ୍ତି, ମୋଦିଙ୍କ ପୂର୍ବରୁ ଛତ୍ରପତି ଶିବାଜୀଙ୍କ ପାଖରେ ଏହି ୩ଟି ବିଶେଷ ଗୁଣ ଥିଲା। ଭଗବାନ ଶ୍ରୀକୃଷ୍ଣଙ୍କ ଭଳି ମୋଦି ଓ ଶିବାଜୀ ଜଣେ ଲେଖାଏଁ ଭଲ ସଂଗଠକ, ଭଲ ସେନାପତି ଓ ଭଲ ପ୍ରଶାସକ।

ରାଜ୍ୟପାଳ ଗଣେଶୀ ଲାଲ କହିଛନ୍ତି, ୩୨୪ ବର୍ଷ ପୂର୍ବରୁ ଶିବାଜୀ ତାଙ୍କ ସଂଗଠନ ଓ ସେନାକୁ ଭଲ ଭାବରେ ପରିଚାଳନା କରୁଥିଲେ। ସେଥିପାଇଁ ସେ ପ୍ରଜାଙ୍କ ନିକଟରେ ଜଣେ ଭଲ ପ୍ରଶାସକର ପରିଚୟ ଦେଇପାରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପିଲା ଦିନର କାହାଣୀ ଉପରେ ପର୍ଯ୍ୟବେସିତ ଚଳଚ୍ଚିତ୍ର ‘ଚଲୋ ଜିତେ ହେଁ’ ନିକଟରେ ରିଲିଜ ହୋଇଛି। ଏହି ଫିଲ୍ମ ପ୍ରଦର୍ଶନ ଦେଖିବା ପରେ ରାଜ୍ୟପାଳ ଗଣେଶୀ ଲାଲ ଏଭଳି ପ୍ରତିକ୍ରିୟା ଦେଇଛନ୍ତି।

ରାଜଧାନୀ ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଫିଲ୍ମକୁ ଦେଖିଛନ୍ତି। ସ୍ୱାମୀ ବିବେକାନନ୍ଦଙ୍କ ବାଣୀରେ ପ୍ରଭାବିତ ହୋଇ ବାଳକ ମୋଦି ବଞ୍ଚିବାର ରାସ୍ତାକୁ କିଭଳି ବାହାର କରାଯାଇ ପାରିବ, ତାହା ଫିଲ୍ମରେ ଦର୍ଶାଯାଇଛି। ଫିଲ୍ମରେ ମୋଦିଙ୍କ ଜନ୍ମସ୍ଥାନ, ସ୍କୁଲ ଓ ବାପାଙ୍କ ଚା’ ଦୋକାନକୁ ସ୍ଥାନ ମିଳିଛି।

ସମ୍ବନ୍ଧିତ ଖବର