୭୧ ତମ ଗଣତନ୍ତ୍ର ଦିବସରେ ରାଜ୍ୟସ୍ତରୀୟ ପ୍ୟାରେଡ୍‌ ଉତ୍ସବ : ରାଜ୍ୟପାଳ ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି

ଭୁବନେଶ୍ବର : ଆସନ୍ତା ରବିବାର ୭୧ ତମ ସାଧାରଣତନ୍ତ୍ର ଦିବସରେ ରାଜ୍ୟସ୍ତରୀୟ ପ୍ୟାରେଡ୍‌ ଉତ୍ସବରେ ମୁଖ୍ୟ ଅତିଥି ହେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଆଜି ଏ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏଥର ଗଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଟକ ବା ଅନ୍ୟ କେଉଁଠିକୁ ଯିବେନାହିଁ। ଅନ୍ୟପକ୍ଷରେ ଜିଲ୍ଲା ଓ ସବଡିଭିଜନ୍‌ରେ ୨୦ ଜଣ ମନ୍ତ୍ରୀ, ୨ ଜଣ ରାଜସ୍ବ ଆୟୁକ୍ତଙ୍କ ସମେତ ୧୦ ଜଣ ଜିଲ୍ଲାପାଳଙ୍କୁ ପତାକା ଉତ୍ତୋଳନ କରିବା ପାଇଁ ଦାୟିତ୍ବ ପ୍ରଦାନ କରାଯାଇଛି। ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥିମାନଙ୍କ ତାଲିକା ଗୃହ ବିଭାଗ ପ୍ରମୁଖ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ ପୁଲିସ ମହାନିର୍ଦ୍ଦେଶକ, ସମସ୍ତ ବରିଷ୍ଠ ପ୍ରାଶାସନିକ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି।

ବିଜ୍ଞପ୍ତି ଅନୁଯାୟୀ, ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ କଟକରେ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବେ। ସେହିପରି ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୁବର୍ଣ୍ଣପୁରରେ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ସୁନ୍ଦରଗଡ଼ରେ, ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସମ୍ବଲପୁରରେ, କେନ୍ଦୁଝର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କେନ୍ଦୁଝରରେ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ପୁରୀରେ, କୃଷିମନ୍ତ୍ରୀ ଅରୁଣ କୁମାର ସାହୁ ଗଞ୍ଜାମରେ, ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି ବାଲେଶ୍ବରରେ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଅନୁଗୁଳରେ, ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କଳାହାଣ୍ଡିରେ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ରାୟଗଡ଼ାରେ, ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ଜଗତସିଂହପୁରରେ, ଶିଳ୍ପମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଯାଜପୁରରେ, ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ‌ଢେଙ୍କାନାଳରେ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ନୟାଗଡ଼ରେ, ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବଲାଙ୍ଗୀରରେ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ନବରଙ୍ଗପୁରରେ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଗଜପତିରେ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ମାଲକାନଗିରି ଜିଲ୍ଲାରେ ପତାକା ଉତ୍ତୋଳନ କରିବେ। ସେହିପରି ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଆରଡିସି ଓ ରାଉରକେଲାରେ ଉତ୍ତରାଞ୍ଚଳ ଆରଡିସି ପତାକା ଉତ୍ତୋଳନ କରିବେ। ଏହା ବ୍ୟତୀତ ଭଦ୍ରକ, ବରଗଡ଼, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ ଓ ନୂଆପଡ଼ାରେ ସମ୍ପୃକ୍ତ ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର