ଯାଜପୁର : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯାଜପୁର ଜିଲ୍ଲାର ବିଭିନ୍ନ ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଓ ପ୍ରତିମୂର୍ତ୍ତି ଉନ୍ମୋଚନରେ ଭାଗ ନେଇ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ବୁଦ୍ଧିଜୀବୀଙ୍କୁ ଆଧ୍ୟାତ୍ମିକ ଚିନ୍ତାଚେତନା ସମ୍ପର୍କରେ ଅବଗତ କରିବା ସହିତ ଶିଶୁମାନଙ୍କ ପ୍ରତି ସଚେତନ ହେବାକୁ ବାର୍ତ୍ତା ଦେଇଛନ୍ତି। ବିଶେଷ କରି ୧୭ତାରିଖରେ ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଅଣକା ପଞ୍ଚାୟତର କୃଷ୍ଣପୁରଶାସନରେ ଥିବା ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ଜଗନ୍ନାଥ ଶତପଥୀଙ୍କ ପ୍ରତିମୂର୍ତ୍ତିକୁ ରାଜ୍ୟପାଳ ଅନାବରଣ କରିଛନ୍ତି।
ରାଜ୍ୟପାଳଙ୍କ ଆଗମନ ଅବସରରେ ଗ୍ରାମବାସୀ ରାସ୍ତା ପାର୍ଶ୍ବରେ ବିଭିନ୍ନ ଛକରେ ପୂର୍ଣ୍ଣକୁମ୍ଭ ବସାଇ ଝୋଟି ପକାଇ ରାଜ୍ୟପାଳଙ୍କୁ ବନ୍ଦାପନା କରି ସ୍ବାଗତ କରିଥିଲେ। ଭବ୍ୟ ସ୍ବାଗତ ପାଇଁ ରାଜ୍ୟପାଳ ଗ୍ରାମବାସୀ ଓ ଛାତ୍ରୀଛାତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉତ୍ସବରେ ତାଙ୍କ ବକ୍ତବ୍ୟରେ ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ତତ୍କାଳୀନ ଶିକ୍ଷାବିତ୍ ସ୍ୱର୍ଗତ ଜଗନ୍ନାଥ ଶତପଥୀ ନିଜ ଅଞ୍ଚଳରେ ଶିକ୍ଷାର ପ୍ରଚାର ଓ ପ୍ରସାର କରିବା ପାଇଁ ପ୍ରତିଷ୍ଠା କରିଥିବା ଛୋଟ ବିଦ୍ୟାଳୟଟି ଆଜି ଉଚ୍ଚବିଦ୍ୟାଳୟରେ ପରିଣତ ହୋଇ ଶିକ୍ଷା କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଅଛି ବୋଲି କହିଥିଲେ।
ଶିକ୍ଷା ହୃଦୟରୁ ଅନ୍ଧକାର ରୂପକ ଅଜ୍ଞାନ ଦୂର କରି ଜ୍ଞାନ ରୂପକ ଆଲୋକ ବର୍ତ୍ତିକା ପ୍ରଜ୍ଜ୍ୱଳନ କରିଥାଏ। ଶିକ୍ଷାର ପ୍ରଚାର ପ୍ରସାର ଦେଶ ଓ ଜାତିର ଉନ୍ନତିରେ ସାହାଯ୍ୟ କରିଥାଏ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ରାଜ୍ୟପାଳ ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ବିଭିନ୍ନ ପ୍ରଶ୍ନୋତ୍ତର ଆଦାନପ୍ରଦାନ କରିଥିଲେ। ସେ ପଚାରିଥିବା ପ୍ରଶ୍ନର ଉତ୍ତରରେ ଖୁସି ହୋଇ ନବମ ଶ୍ରେଣୀର ଛାତ୍ରୀ ମୋନାଲିସା ବେହେରାଙ୍କୁ ରାଜ୍ୟପାଳ ୧୦ ହଜାର ଟଙ୍କା ପୁରସ୍କାର ରାଶି ଦେବାକୁ ଘୋଷଣା କରିଥିଲେ। ସ୍କୁଲର ପ୍ରତିଷ୍ଠାତା ସ୍ବର୍ଗତ ଜଗନ୍ନାଥ ଶତପଥୀଙ୍କ ସୁଯୋଗ୍ୟ ସନ୍ତାନ ସ୍ଥାନୀୟ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିକ୍ଷା, ଶିକ୍ଷାୟତନ ଓ ଶିକ୍ଷକର ଉନ୍ନତି ପାଇଁ ରାଜ୍ୟ ସରକାର ବହୁ ପଦକ୍ଷେପ ନେଉଛନ୍ତି ବୋଲି କହିଥିଲେ। ଶିକ୍ଷା ହେଉଛି ଗୋଟିଏ ଦେଶ ଓ ଜାତିର ପରିଚୟ। ଶିକ୍ଷା ଆନନ୍ଦ ଦେବା ସହିତ ଲୋକଙ୍କ ମଧ୍ୟରେ ନୂତନ ଆଲୋକ ଉଜ୍ଜୀବିତ କରିଥାଏ ବୋଲି ବିଧାୟକ ଶ୍ରୀ ଶତପଥୀ କହିଥିଲେ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୋଦ ଚନ୍ଦ୍ର ପାଲ ସ୍ୱାଗତ ଭାଷଣ ଦେଇଥିଲେ। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ଆଦିତ୍ୟ ଶତପଥୀ, ଅନିତା ଶତପଥୀ, ସରପଞ୍ଚ ସମରେନ୍ଦ୍ର ମହାପାତ୍ର, ନିରଞ୍ଜନ ସେନାପତି, ଅରବିନ୍ଦ ସାମଲ, ଗଣେଶ୍ୱର ବରାଳ, ରଂଜିତ କୁମାର ସିଂହ, ବିବେକାନନ୍ଦ ଜେନା, ବିଶ୍ୱଜିତ୍ ଜେନା, ସ୍ୱରୂପ ମିଶ୍ର, ତୋଫାନ କୁମାର ଜେନାଙ୍କ ସମେତ ବିଦ୍ୟାଳୟ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ଏହି ଉତ୍ସବରେ ସାମିଲ ହୋଇ ସଫଳ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/governor.jpg)