ରାଜ୍ୟପାଳଙ୍କ ଅଭିଭାଷଣ : ଫୋକସ୍‌ରେ ‘ମୋ ସରକାର’, ‘୫-ଟି’

କୃଷି, ଶିକ୍ଷା, ସ୍ବାସ୍ଥ୍ୟ ସମେତ ୧୦ଟି କ୍ଷେତ୍ରକୁ ଗୁରୁତ୍ବ
ପରବର୍ତୀ ପର୍ଯ୍ୟାୟକୁ ନେବାକୁ କାର୍ଯ୍ୟଖସଡ଼ା ପ୍ରସ୍ତୁତ
ପର୍ଯ୍ୟଟନ ଓ କ୍ରୀଡ଼ା କ୍ଷେତ୍ରକୁ ବିଶ୍ବସ୍ତରକୁ ନେବେ
ଆର୍ଥିକ ସ୍ଥିତି ସୁଧୁରିଛି, ଆଇନଶୃଙ୍ଖଳା ନାହିଁ

ଭୁବନେଶ୍ବର : କୃଷି ସମବାୟ ସମିତିଗୁଡ଼ିକୁ ଏକକ ସମାଧାନ କେନ୍ଦ୍ର ରୂପେ ପରିବର୍ତନ କରାଯିବ। ୨୦୨୦-୨୧ ବର୍ଷରେ ୧ଲକ୍ଷ ୮୪ ହଜାର ହେକ୍ଟର ଚାଷ ଜମିକୁ ରାଜ୍ୟ ସରକାର ଜଳସେଚନ ସୁବିଧା ଯୋଗାଇଦେବେ। ଦେଓ, ଆନନ୍ଦପୁର ବ୍ୟାରେଜ, ସୁବର୍ଣ୍ଣରେଖା, ରେଙ୍ଗାଲି ବାମ ଓ ଦକ୍ଷିଣ ପାର୍ଶ୍ବ କେନାଲ ନିର୍ମାଣ କାମ ଆସନ୍ତା ୫ ବର୍ଷ ମଧ୍ୟରେ ଶେଷ ହେବ। କେବଳ ସେତିକି ନୁହେଁ, ରାଜ୍ୟରେ ଜଳସେଚନ ପାଇଁ ଆଉ କେନାଲ ବ୍ୟବସ୍ଥା କରାଯିବ ନାହିଁ। ବରଂ ଭୂତଳ ଜଳ ପାଇପ୍ ଲାଇନ୍ ବ୍ୟବସ୍ଥା ଥିବା ବୃହତ୍ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ କାର୍ଯ୍ୟ କରାଯିବ।

ବିଧାନସଭାର ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରେ ଆଗାମୀ ଦିନ ପାଇଁ ରାଜ୍ୟ ସରକାରଙ୍କ ଏଭଳି ସଂକଳ୍ପ ସଂପର୍କରେ ଆଭାସ ମିଳିଛି। ଦୀର୍ଘ ୧ ଘଣ୍ଟା ଧରି ରାଜ୍ୟପାଳ ୧୬୫ଟି ବିନ୍ଦୁ ଉପରେ ନିଜର ବକ୍ତବ୍ୟ ରଖିଥିେଲ, ଯେଉଁଥିରେ ସେ ସ୍ପଷ୍ଟ କରିଛନ୍ତି ଯେ ପରିବର୍ତନ (୫-ଟି ମଧ୍ୟରୁ ଅନ୍ୟତମ) ଉପରେ ରାଜ୍ୟ ସରକାର ତାଙ୍କ ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। ପ୍ରଶାସନିକ ପ୍ରକ୍ରିୟାରେ ଜନସାଧାରଣଙ୍କ ଅଧିକତର ଅଂଶଗ୍ରହଣ ବିନା ପ୍ରକୃତ ପରିବର୍ତନ ଅସମ୍ଭବ। ଏହାକୁ ଆଧାର କରି ‘୫-ଟି’ ଓ ‘ମୋ ସରକାର’ ପରି ଅଭିନବ କାର୍ଯ୍ୟକ୍ରମକୁ ସରକାର ଗୁରୁତ୍ବ ଦେଉଛନ୍ତି ଓ ଦୃଢ଼ ଇଚ୍ଛାଶକ୍ତି ସହିତ ଏହା କାର୍ଯ୍ୟକାରୀ ହେଉଛି।

ସବୁଠାରୁ ବଡ଼ କଥା ହେଲା ପ୍ରାଥମିକ ଓ ମୌଳିକ ଭିତ୍ତିଭୂମିର ସୃଷ୍ଟି ଓ ବିକାଶକୁ ଗୁରୁତ୍ବାରୋପ କରିବା ସହିତ ଯୋଗାଯୋଗ, ବିଶୁଦ୍ଧ ପାନୀୟ ଜଳଯୋଗାଣ, ବିଦ୍ୟୁତ ଯୋଗାଣ, ଜଳସେଚନ, କୃଷି ସହାୟତା, ସ୍ବାସ୍ଥ୍ୟସେବା ପ୍ରଦାନ ଓ ଶିକ୍ଷା ଭିତ୍ତିଭୂମିକୁ ପରବର୍ତୀ ପର୍ଯ୍ୟାୟକୁ ନେବା ଦିଗରେ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ରାଜ୍ୟପାଳ ସୂଚାଇଥିଲେ।

ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଥିଲେ, ରାଜ୍ୟ ସରକାର ନିଜର ପୂର୍ବ ଦୃଷ୍ଟିଭଙ୍ଗୀକୁ ଅପରିବର୍ତିତ ରଖି ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ତାଙ୍କର ଆଦର୍ଶ ଆଧାରିତ ‘ଅନ୍ତ୍ୟୋଦୟ ନୀତି’ ପ୍ରତି ପ୍ରାଥମିକତା ଦେଉଛନ୍ତି। ଜନକୈନ୍ଦ୍ରିକ ଯୋଜନା ପ୍ରଣୟନ କରାଯିବ ଓ ରୂପାୟନ ପାଇଁ ଦୃଢ଼ ପ୍ରତିଶ୍ରୁତିବଦ୍ଧ ଅଛନ୍ତି। ଓଡ଼ିଶା ମାଟିର ପ୍ରାଣକେନ୍ଦ୍ର ପୁରୀ ଶ୍ରୀମନ୍ଦିରର ଚତୁଃପାର୍ଶ୍ବରେ ଥିବା ଭିତ୍ତିଭୂମିରେ ବ୍ୟାପକ ପରିବର୍ତନ କରାଯାଉଛି ଓ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରେ ବି। ସରକାର କୃଷି କ୍ଷେତ୍ର ଉପରେ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। କୃଷକମାନଙ୍କ ଆୟ ଦୁଇଗୁଣ କରିବା ସଂପର୍କିତ ଜାତୀୟ ଏଜେଣ୍ଡା ଆଧାରରେ ଆଗୁଆ ବିକାଶମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ପ୍ରତି ଜିଲ୍ଲାରେ ‘ମୋ ସରକାର’ ଡେସ୍କ ସ୍ଥାପନ କରାଯାଇଛି।

୨୦୨୦-୨୧ରେ ୨୦୦ଟି କ୍ଷୁଦ୍ର ଜଳସେଚନ ଭଣ୍ଡାରରେ ଉନ୍ନତୀକରଣ କାର୍ଯ୍ୟ ହାତକୁ ନିଆଯିବ। ପ୍ରାୟ ୧୨୦୦ଟି ଅଚଳ ଉଠା ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯିବ। କମାଣ୍ଡ ଏରିଆ ଅନ୍ତର୍ଗତ ବୃହତ୍ ଓ ମଧ୍ୟମ ଜଳସେଚନ ପ୍ରକଳ୍ପଗୁଡ଼ିକରେ ୭୭ଲକ୍ଷ ହେକ୍ଟର ସେଚାଞ୍ଚଳରେ କ୍ଷେତ୍ରନାଳୀ ନିର୍ମାଣ କରାଯିବ।

ରାଜ୍ୟପାଳ କହିଥିଲେ, ବିଭିନ୍ନ ଯୋଜନା ଅଧୀନରେ ମିଳୁଥିବା ପାଣ୍ଠିର ଏକକ ବିନିଯୋଗ କରି ୨୦୨୪ ସୁଦ୍ଧା ପ୍ରତ୍ୟେକ ଗ୍ରାମୀଣ ପରିବାରକୁ କାର୍ଯ୍ୟକ୍ଷମ ଘରୋଇ ଟ୍ୟାପ୍‌ ସଂଯୋଗ ଜରିଆରେ ପାନୀୟ ଜଳ ଯୋଗାଇ ଦିଆଯିବ। ସରକାର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ପୁନଃ ବିକଶିତ କରି ଏକ ବିଶ୍ବସ୍ତରୀୟ ଅନୁଷ୍ଠାନ ରୂପେ ଗଢ଼ି ତୋଳିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି। ଜିଲ୍ଲା ସଦର ମହକୁମାରେ ଥିବା ଚିକିତ୍ସାଳୟଗୁଡ଼ିକରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଉଛି। ଓପିଏସ୍‌ସି ମାଧ୍ୟମରେ େଯାଗ୍ୟତା ହାସଲ କରିଥିବା ୧୪୦୩ ଡାକ୍ତର ଖୁବ୍ ଶୀଘ୍ର କାର୍ଯ୍ୟରେ େଯାଗଦେବେ।

ଶିକ୍ଷା ସଂପର୍କରେ ସୂଚନା ଦେଇ ରାଜ୍ୟପାଳ କହିଥିଲେ ଯେ ଏଯାଏ ଓଡ଼ିଶାର ୨୯ଟି ଜିଲ୍ଲାରେ ୨୧୪ଟି ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି। ଯେଉଁଥିରେ ୫୮ ହଜାର ଛାତ୍ରଛାତ୍ରୀଙ୍କୁ ଇଂରାଜୀ ମାଧ୍ୟମ ଶିକ୍ଷାଦାନ କରାଯାଉଛି। ୨୦୨୦-୨୧ ଶିକ୍ଷା ବର୍ଷରୁ ଆଉ ୩୬ଟି ଓଡ଼ିଶା ଆଦର୍ଶ ବିଶ୍ବବିଦ୍ୟାଳୟ କାର୍ଯ୍ୟକାରୀ ହେବ। ୨୦୧୯-୨୦ରେ ୨ଲକ୍ଷ ୫୦ ହଜାର ୧୬୦ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ବୃତ୍ତି ପାଇଥିଲେ। ୨୦୨୦-୨୧ରେ ୨ଲକ୍ଷ ୨୮ ହଜାର ୯୨୨ ଜଣଙ୍କୁ ଏହି ଯୋଜନାରେ ୨୧କୋଟି ୭୫ଲକ୍ଷ ଟଙ୍କା ଯୋଗାଇ ଦିଆଯିବ।

ରାଜ୍ୟର ଅର୍ଥନୀତି ସଂପର୍କରେ ସୂଚନା ଦେଇ ରାଜ୍ୟପାଳ ଗୃହକୁ ସୂଚାଇଥିଲେ ଯେ ସରକାର ଋଣଗ୍ରସ୍ତ ଅବସ୍ଥାରୁ ଆସି ଋଣ ସ୍ଥିରତା ହାସଲ କରିଛି। ୨୦୦୨-୦୩ରେ ମୋଟ ଋଣ- ଘରୋଇ ଅନୁପାତ ୫୦.୭% ଥିବା ବେଳେ ୨୦୧୮-୧୯ରେ ଏହା ୧୬.୮%କୁ ହ୍ରାସ ପାଇଛି। ରାଜସ୍ବ ପ୍ରାପ୍ତି ଓ ଦେୟ ସୁଧ ଅନୁପାତ ୨୦୦୧-୦୨ ବର୍ଷରେ ୪୦.୨% ଥିବା ବେଳେ ୨୦୧୮-୧୯ରେ ଏହା ୫.୮%କୁ ହ୍ରାସ ପାଇଛି। ବଜେଟ୍‌ର ବିଶ୍ବସନୀୟତାରେ ସୁଧାର ଆଣିବାକୁ ଓ ବର୍ଷ ଶେଷରେ ପାଣ୍ଠି ଫେରସ୍ତ ହ୍ରାସ କରିବା ଦିଗରେ ଅନ୍ତଃରାଷ୍ଟ୍ରୀୟ ସର୍ବୋତ୍ତମ ବ୍ୟବସ୍ଥାକୁ ଭିତ୍ତିକରି ସରକାର ୨୦୨୦-୨୧ ବାର୍ଷିକ ବଜେଟ୍ ପ୍ରସ୍ତୁତି ସମୟରେ ଷ୍ଟ୍ରାଟେଜିକ୍ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା ପ୍ରଚଳନ କରୁଛନ୍ତି। ଏହାଦ୍ବାରା ଆସନ୍ତା ବର୍ଷଗୁଡିକରେ ବିଭାଗମାନଙ୍କ ଦ୍ବାରା ବହୁବର୍ଷୀୟ ଯୋଜନା ପାଇଁ ସମ୍ବଳ ଉପଲବ୍ଧତା ଓ ପୂର୍ବାନୁମାନରେ ସୁଧାର ନିମିତ୍ତ ବହୁବର୍ଷୀୟ ସିଲିଂ ବ୍ୟବସ୍ଥା ରଖାଯିବ। ସେହିପରି ସରକାରୀ-ଘରୋଇ ଭାଗୀଦାରିର ପରିସର ବୃଦ୍ଧି କରିବା ଲାଗି ଏକ ନୂଆ ପିପିପି ନୀତି ପ୍ରଚଳନ କରାଯିବ।

ସଡ଼କ ବିକାଶ ସଂପର୍କରେ ସୂଚନା ଦେଇ ରାଜ୍ୟପାଳ କହିଥିଲେ, ଆସନ୍ତାବର୍ଷ ସୁଦ୍ଧା ବିଭିନ୍ନ ଯୋଜନାରେ ଅଧିକ ୨୫୦ ସେତୁ ଓ ୨୫୪୨ କିମି ବିଶିଷ୍ଟ ଗ୍ରାମ୍ୟ ସଡ଼କ ନିର୍ମାଣ କରାଯିବ। ଆସନ୍ତାବର୍ଷ ମଧ୍ୟରେ ୨୬୮ ସଂଖ୍ୟକ ବିଭିନ୍ନ କୋଠାବାଡ଼ି ନିର୍ମାଣ କାର୍ଯ୍ୟ ସଂପାଦନ ନିମନ୍ତେ େଯାଜନା ହୋଇଛି। ସେହିଭଳି ‘ଡ୍ରିଙ୍କ୍ ଫର୍ ଟ୍ୟାପ୍ ମିସନ୍’ ଜରିଆରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା େହାଇଛି। ଭୁବନେଶ୍ବର ଓ ପୁରୀର ୮ଟି ଜୋନ୍‌ରେ ଏହା ପାଇଲଟ୍ ପ୍ରକଳ୍ପ ଭାବେ କାର୍ଯ୍ୟକାରୀ ହେଉଛି। ଆସନ୍ତାବର୍ଷ ଏହାକୁ ବ୍ୟାପକ କରାଯିବ ଓ ୧୨୫୦ େକାଟି ଟଙ୍କା ବିନିଯୋଗରେ ୧୪ଟି ସହରର ୧୦ଲକ୍ଷ ୫୦ ହଜାର ଜନସଂଖ୍ୟାକୁ ଏଥିରେ ସାମିଲ କରାଯିବ।

ରାଜ୍ୟପାଳ କହିଥିଲେ, ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ୨୦୨୦ ନଭେମ୍ବର ୩୦ରୁ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ହେବ। ଅଧିକ ପୁଞ୍ଜିନିବେଶ ହାସଲ ପାଇଁ ସରକାରଙ୍କ ଲକ୍ଷ୍ୟ ରହିଛି। ଶାମୁକା ବେଳାଭୂମି ପ୍ରକଳ୍ପ ଯାହା କି ଗଲ୍ଫ କୋର୍ସ, ସଂଖ୍ୟାଧିକ ରିସୋର୍ଟ ଓ ବିଳାସପୂର୍ଣ୍ଣ ହୋଟେଲ ସମୂହ ପ୍ରତିଷ୍ଠା ହେବ, ତାହା ୨୦୨୦ରୁ ସରକାର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ସେହିଭଳି ଇେକା ରିଟ୍ରିଟ୍ ଏଣିକି ବର୍ଷିକିଆ ମେଳା ଭାବେ ପ୍ରତିବର୍ଷ ଅନୁଷ୍ଠିତ ହେବ। ରାଜ୍ୟ ସରକାର ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍, ଗୋପାଳପୁର, ତାଳସାରୀ-ଉଦୟପୁର ସମୁଦ୍ର ତଟକୁ ବିଶ୍ବସ୍ତରୀୟ ବେଳାଭୂମି ସାକ୍ ଓ ବିଳାସପୂର୍ଣ୍ଣ କଟେଜ୍ ସହିତ ପାଇଲଟ୍ ପ୍ରକଳ୍ପ ଭାବେ ବିକଶିତ କରିବାକୁ ପ୍ରସ୍ତାବ ରଖିଛନ୍ତି। ଏଥିରେ ତାରକା ହୋଟେଲ୍, ବ୍ୟୟ ସାପେକ୍ଷ ହୋଟେଲ୍, ପ୍ରମୋଦ ଉଦ୍ୟାନ, ବେଳାଭୂମି ଵାକ୍ ଭଳି ମୌଳିକ ଭିତ୍ତିଭୂମି ବିକାଶ ଅନ୍ତର୍ଭୁକ୍ତ ହେବ। ରାଜ୍ୟରେ ହାଉସ୍ ବୋଟ୍ ସହିତ ବିଭିନ୍ନ ଜଳଉତ୍ସର ବିକାଶ ମାଧ୍ୟମରେ ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବାକୁ ଯୋଜନା କରିଛନ୍ତି।

ଫନି ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସଫଳତା ସଂପର୍କରେ ସୂଚାଇବା ସହିତ ରାଜ୍ୟପାଳ କହିଥିଲେ, ଘୂର୍ଣ୍ଣିଝଡ଼କୁ କେବଳ ମୁକାବିଲା ନ କରି ସରକାର ଆଦୌ ଧନଜୀବନ ହାନି ନ ହେବାକୁ ନିଜ ବିପର୍ଯ୍ୟୟ ନୀତିରେ ସର୍ବାଧିକ ଗୁରୁତ୍ବାରୋପ କରୁଛନ୍ତି। ସେହିଭଳି ୨୦୨୦ରେ ଓଡ଼ିଶା ଜୁ଼ଡିସିଆଲ ସର୍ଭିସରେ ଆହୁରି ୫୧ଟି ସିଭିଲ୍ ଜଜ୍ ନିଯୁକ୍ତି ପ୍ରଦାନ କରାଯିବ ବୋଲି ରାଜ୍ୟପାଳ କହିଥିଲେ।

ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ଓ ନିର୍ବାଚନକୁ ବଡ଼ ଧରଣର ଆଇନ ଶୃଙ୍ଖଳା ସମସ୍ୟା ବିନା ସରକାର ସମାହିତ କରିଛନ୍ତି ବୋଲି ରାଜ୍ୟପାଳ ପ୍ରଶଂସା କହିଥିଲେ। କହିଥିଲେ, ୨୦୨୦ରେ ଫିଫା ୧୭ବର୍ଷରୁ କମ୍ ମହିଳା ବିଶ୍ବକପ୍ ଭୁବନେଶ୍ବରରେ ହେବ। ଆସନ୍ତା ଏଫ୍ଆଇଏଚ୍‌ ବିଶ୍ବକପ୍ ହକି ୨୦୨୩ ସଂସ୍କରଣ ଭୁବନେଶ୍ବର ଓ ରାଉରକେଲାରେ ଅନୁଷ୍ଠିତ ହେବ। ରାଉରକେଲା ମଧ୍ୟ ବର୍ତମାନ ଅନ୍ତର୍ଜାତୀୟ କ୍ରୀଡ଼ାର ଏକ ପ୍ରମୁଖ ଲକ୍ଷ୍ୟସ୍ଥଳ। ଭୁବନେଶ୍ବରରେ ହେବାକୁ ଥିବା କଳିଙ୍ଗ ଅନ୍ତର୍ଜାତୀୟ କ୍ରୀଡ଼ାନଗରୀ ପ୍ରକଳ୍ପ ସୁଟିଂ, ଆର୍ଚେରି ଓ ସୁଇମିଂ ଆଦି କ୍ରୀ଼ଡା ଲାଗି ବିଶ୍ବସ୍ତରୀୟ ଭିତ୍ତିଭୂମି ସହ ଉନ୍ନତ କୋଚିଂ ସୁବିଧା ପ୍ରଦାନ କରାଯିବ। ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ବ୍ଲକରେ ସିନ୍ଥେଟିକ୍ ଟର୍ଫ ନିର୍ମାଣ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ରାଜ୍ୟପାଳ କହିଥିଲେ। କେବଳ ସେତିକି ନୁହେଁ, ଭୁବନେଶ୍ବରରେ ଆନ୍ତର୍ଜାତିକ ମାନର ଆକ୍ବାଟିକ୍ ସ୍ପୋର୍ଟସ କମ୍ପ୍ଲେକ୍ସ, ବ୍ରହ୍ମପୁର, ସମ୍ବଲପୁର, କଟକ ଓ ରାଉରକେଲାରେ ସାଟେଲାଇଟ୍ ଷ୍ଟାଡିୟମ୍, ଜିଲ୍ଲା ମୁଖ୍ୟାଳୟରେ ଇଣ୍ଟିଗ୍ରେେଟଡ୍ ଷ୍ଟାଡିୟମ୍ ଓ ରାଜ୍ୟର ପ୍ରମୁଖ ସ୍ଥାନରେ ସୁଇମିଂ ପୁଲ୍ ଓ ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମିର ନିର୍ମାଣ ହେବ।

ରାଜ୍ୟପାଳ କହିଥିଲେ, ସୂଚନା ଓ ଲୋକସଂପର୍କ ବିଭାଗରେ ଡିଜିଟାଲ ଅଭିଲେଖକରଣ ବ୍ୟବସ୍ଥାରେ ପୁରାତନ, ବିରଳ, ମୂଲ୍ୟବାନ ନଥିପତ୍ର, ଚଳଚ୍ଚିତ୍ର, ପ୍ରାମାଣିକ ଚଳଚ୍ଚିତ୍ର ଆଦି ସମେତ ବିଶିଷ୍ଟ ବ୍ୟକ୍ତି, ସ୍ବାଧୀନତା ସଂଗ୍ରାମୀମାନଙ୍କର ସ୍ବର ଆଦିକୁ ସଂରକ୍ଷଣ କରାଯିବ। ବୈଜ୍ଞାନିକ ଜ୍ଞାନକୌଶଳ ନୂଆ ଓଡ଼ିଶାକୁ ପରିଚାଳିତ କରିବ।

ସମ୍ବନ୍ଧିତ ଖବର