ମାଲକାନଗିରି/ଖଇରପୁଟ/କୁଡୁମୁଲୁଗୁମ୍ମା: ବଣ୍ଡାଘାଟି ପରିଦର୍ଶନ କରି ବିକାଶମୂଳକ କାର୍ଯ୍ୟର ତଦାରଖ କରିଛନ୍ତି ରାଜ୍ୟପାଳ ଡ. ହରିବାବୁ କମ୍ଭମ୍ପାଟି। ବଣ୍ଡା ଉନ୍ନୟନ ସଂସ୍ଥା (ବିଡିଏ) ପରିଦର୍ଶନ କରି ଆଦିମ ଜନଜାତିଙ୍କ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପଚାରି ବୁଝିଥିଲେ। ବଣ୍ଡା ଦକ୍ଷତା ବିକାଶ, ଟେଲରିଂ ୟୁନିଟ୍, ମଲ୍ଟି ପ୍ରୋସେସିଂ ୟୁନିଟ୍, ବଣ୍ଡା ଜନଜାତିଙ୍କ ପାରମ୍ପରିକ ବସ୍ତ୍ର, ଅଳଙ୍କାର ନିର୍ମାଣ କାରୁକାର୍ଯ୍ୟ ଅନୁଧ୍ୟାନ କରିଥିଲେ। ବିଡିଏ ପରିସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପିଏମ୍ ଜନମନ, ଜଙ୍ଗଲ ଜମି ପଟ୍ଟା, ୮୦ ବର୍ଷରୁ ଊର୍ଦ୍ଧ୍ବ ପେନସନ ହିତାଧିକାରୀ, ସ୍ୱୟଂସହାୟକ ଗୋଷ୍ଠୀ, ଆଶା ଓ ଅଙ୍ଗନବାଡ଼ି କର୍ମୀ, ଯୁବ ସ୍ୱେଚ୍ଛାସେବୀ ଓ ଲକ୍ଷପତି ଦିଦିଙ୍କ ସହ ଆଲୋଚନା କରିଥିଲେ ରାଜ୍ୟପାଳ। ୧୫ ବଣ୍ଡା ଓ ୧୧ ଡିଡାୟୀ ସମ୍ପ୍ରଦାୟର ହିତାଧିକାରୀଙ୍କୁ ରାଜ୍ୟପାଳ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରିଥିଲେ। ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ଜଣେ ହିତାଧିକାରୀଙ୍କୁ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୨୦ ହଜାର ଟଙ୍କା ଏବଂ ଅନ୍ୟ ଜଣେ ହିତାଧିକାରୀଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ହଜାରେ ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ। କୃଷି ବ୍ୟତୀତ ଗୋପାଳନ, ଛେଳି, କୁକୁଡ଼ା ଚାଷ ମାଧ୍ୟମରେ ବଣ୍ଡା ଅଧିକ ରୋଜଗାରକ୍ଷମ ହୋଇପାରିବେ ବୋଲି ରାଜ୍ୟପାଳ କହିଥିଲେ। ବିଡିଏରେ ଆୟୋଜିତ ସାଧାରଣ ସଭାରେ ରାଜ୍ୟପାଳ କହିଲେ, ବଣ୍ଡାଘାଟିର ବିକାଶ ସହ ବଣ୍ଡା ଜନଜାତିଙ୍କ ଉନ୍ନତି ପ୍ରତି ଧ୍ୟାନ ଦିଆଯିବା ଉଚିତ।
ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ଜନମନ ଯୋଜନାର ସୁଫଳ ଏବଂ ଜଙ୍ଗଲ ଜମି ପଟ୍ଟା କାର୍ଯ୍ୟକ୍ରମରେ ଗ୍ରାମବାସୀ ଉପକୃତ ହୋଇଛନ୍ତି କି ନାହିଁ ରାଜ୍ୟପାଳ ପଚାରି ବୁଝିଥିଲେ। ବଣ୍ଡା ଘାଟିରେ ଥିବା କନ୍ୟାଶ୍ରମ ଓ ମଙ୍ଗଳ ବିଭାଗର ହାଇସ୍କୁଲ ପରିଦର୍ଶନ କରି ଶିକ୍ଷାଦାନ ପଦ୍ଧତି, ବିଦ୍ୟାଳୟ ଭିତ୍ତିଭୂମି ଏବଂ ସୁବିଧା, ଅସୁବିଧା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପଚାରି ବୁଝିଥିଲେ। ଏହି ଅବସରରେ ରାଜ୍ୟପାଳ ଛାତ୍ରଛାତ୍ରୀଙ୍କ ସହ ମିଶି ମଧ୍ୟାହ୍ନଭୋଜନ କରିଥିଲେ। ସୀତାକୁଣ୍ଡ ପରିଦର୍ଶନ କରିବା ପରେ ଏହାର ବିକାଶକୁ ଗୁରୁତ୍ବ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସଚିବ ରୁପାରୋଶନ ସାହୁ ଉପସ୍ଥିତ ଥିଲେ। ରାଜ୍ୟପାଳ ଗୋବିନ୍ଦପାଲୀରେ ପହଞ୍ଚିବା ପରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲାପାଳ ସୋମେଶ ଉପାଧ୍ୟୟ, ଏସ୍ପି ବିନୋଦ ପାଟିଲ, ଡିଏଫ୍ଓ ସାଇକିରନ ପ୍ରମୁଖ ରାଜ୍ୟପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ପାଛୋଟି ନେଇଥିଲେ। ବଣ୍ଡା ପୁରୁଷ ଓ ମହିଳା ରାଜ୍ୟପାଳଙ୍କୁ ପାରମ୍ପରିକ ସଙ୍ଗୀତ, ନୃତ୍ୟ ମାଧ୍ୟମରେ ସ୍ୱାଗତ ଜଣାଇଥିଲେ।