ରାଜ୍ୟପାଳଙ୍କ ଦିନିକିଆ କୋରାପୁଟ ଗସ୍ତ : ‘ଆଦିବାସୀ ବିକାଶ କାର୍ଯ୍ୟ ସନ୍ତୋଷଜନକ’

କୋରାପୁଟ : ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଆଜି ଦିନିକିଆ ଗସ୍ତରେ କୋରାପୁଟ ଆସି ଫେରି ଯାଇଛନ୍ତି। ସେ ଏଠାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଉନ୍ନୟନ ନେଇ ସମୀକ୍ଷା କରିବା ସହ ସହର ଉପକଣ୍ଠ ପଦ୍ମପୁରକୁ ଯାଇ କ୍ଷେତ୍ର ପରିଦର୍ଶନ କରିଛନ୍ତି। ଅପରାହ୍ନରେ ପୁଣି ଭୁବନେଶ୍ୱର ଫେରି ଯାଇଛନ୍ତି। ଆଦିବାସୀଙ୍କ ବିକାଶ ପାଇଁ ଏଠାରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ରାଜ୍ୟପାଳ ଅନୁଧ୍ୟାନ କରିବା ପରେ ସନ୍ତୋଷ ପ୍ରକାଶ କରିଛନ୍ତି।

ଓଡ଼ିଶା ରାଜ୍ୟପାଳ ଦାୟିତ୍ୱରେ ଥିବା ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଆଜି ହେଲିକପ୍ଟର ଯୋଗେ କୋରାପୁଟସ୍ଥିତ ବିଏସଏଫ ହେଲିପ୍ୟାଡରେ ପହଞ୍ଚିଥିଲେ। ପରେ ସଦ୍‌ଭାବନା ସଭାଗୃହକୁ ଯାଇ ଅନୁସୂଚିତ ଜାତି ଓ ଜନଜାତିଙ୍କ ଉନ୍ନୟନ ନେଇ ସମୀକ୍ଷା କରିଥିଲେ। ଜିଲ୍ଲାରେ ଚାଲିଥିବା ବିଭିନ୍ନ ଯୋଜନା ଓ ଏହାର ସଫଳତା ନେଇ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ରାଜ୍ୟପାଳଙ୍କୁ ସୂଚନା ଦେଇଥିଲେ। ଏଥିରେ କୋରାପୁଟ ସାଂସଦ ଝିନ୍ନ ହିକକା, ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ ପ୍ରଫୁଲ୍ଲ ପାଙ୍ଗୀ, ଲକ୍ଷ୍ମୀପୁର ବିଧାୟକ କୈଳାସ କୁଲେସିକା, ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ଏଚ.ଏନ. ପଟ୍ଟନାୟକ, ଆଦିବାସୀ ଉନ୍ନୟନ ବିଭାଗ ସଚିବ ଆର. ରଘୁ ପ୍ରସାଦ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲାର ବିଭିନ୍ନ ଲାଇନ ବିଭାଗର ଅଧିକାରୀମାନେ ମଧ୍ୟ ବୈଠକରେ ଯୋଗ ଦେଇଥିଲେ। ସେମାନେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସଂପର୍କରେ ରାଜ୍ୟପାଳଙ୍କୁ ବୁଝାଇଥିଲେ। ଆଦିବାସୀଙ୍କ ବିକାଶ ପାଇଁ କ’ଣ କ’ଣ ପଦକ୍ଷେପ ସବୁ ନିଆଯାଇଛି ଏବଂ ଏଥିରୁ କି ସଫଳତା ମିଳିଛି ତାହା ଜଣାଇଥିଲେ। ରାଜ୍ୟପାଳ ଏ ସବୁ ବୁଝିବା ସହ ଏଥିରେ ସନ୍ତୋଷ ପ୍ରକାଶ କରିଥିଲେ।

ସମୀକ୍ଷା ବୈଠକ ସାରି ରାଜ୍ୟପାଳ ସହର ଉପକଣ୍ଠ ପଦ୍ମପୁରକୁ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ। ସେଠାରେ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରିବା ସହ ପଞ୍ଚାୟତ ପ୍ରତିନିଧିଙ୍କ ବିଭିନ୍ନ ପ୍ରସଙ୍ଗରେ କଥାବାର୍ତ୍ତା କରିଥିଲେ। ପରେ ରୁରାଲ ହାଉସିଂ କ୍ଲଷ୍ଟର ବୁଲି ଦେଖିଥିଲେ। ସ୍ୱଂୟ ସହାୟକ ଗୋଷ୍ଠୀର ମହିଳାଙ୍କ ପ୍ରଦର୍ଶନୀ ଦେଖିବା ସହ ସେମାନଙ୍କ ସହିତ ଆଲୋଚନା କରିଥିଲେ। ପରେ ସେ ବିଏସଏଫ ହେଲିପ୍ୟାଡକୁ ଯାଇ ଭୁବନେଶ୍ୱର ଫେରି ଯାଇଥିଲେ।

ରାଜ୍ୟପାଳଙ୍କ ଏହି ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଖୋଦ୍‌ ଏସପି ଡ. କନଓ୍ଵର ବିଶାଳ ସିଂହ ସମସ୍ତ ବ୍ୟବସ୍ଥାର ତଦାରଖ କରୁଥିଲେ।

ସମ୍ବନ୍ଧିତ ଖବର