ଭୁବନେଶ୍ବର: ଛତିଶଗଡ଼ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଆଜି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ୯୩ ବର୍ଷୀୟ ଶ୍ରୀ ନାୟକ ଦୀର୍ଘ ଦିନ ଧରି ଅସୁସ୍ଥ ଅଛନ୍ତି। ଶ୍ରୀ ନାୟକଙ୍କୁ ଭେଟି ରାଜ୍ୟପାଳ ଶ୍ରୀ ହରିଚନ୍ଦନ ତାଙ୍କ ପରିବାରର ସଦସ୍ୟମାନଙ୍କ ଠାରୁ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିବା ସହ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି। ଏହି ଦୁଇ ନେତା ପରସ୍ପରକୁ ଭେଟିବା ବେଳେ ଭାବ ବିହ୍ୱଳ ହୋଇ କାନ୍ଦି ପକାଇଥିଲେ। ଶ୍ରୀ ନାୟକଙ୍କ ଦୁଇ ପୁଅ ସ୍ୱାଧୀନ ଓ ଶାନ୍ତନୁ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ।
ଗୋଟିଏ ସମୟରେ ଓଡ଼ିଶା ମନ୍ତ୍ରିମଣ୍ଡଳରେ ଶ୍ରୀ ନାୟକ ଓ ଶ୍ରୀ ହରିଚନ୍ଦନ ଏକାଠି କାମ କରିଥିଲେ। ୧୯୭୭ ମସିହାରେ ଶ୍ରୀ ହରିଚନ୍ଦନ କ୍ୟାବିନେଟ୍ ମନ୍ତ୍ରୀ ଥିବାବେଳେ ଶ୍ରୀ ନାୟକ ଥିଲେ ବିଧାନସଭାର ଉପବାଚସ୍ପତି। ଉଭୟଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ପାରିବାରିକ ସଂପର୍କ ରହିଛି। ଏମିତିକି ଶ୍ରୀ ହରିଚନ୍ଦନଙ୍କ ପିତା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପର୍ଶୁରାମ ହରିଚନ୍ଦନ ପୁରୀ ଜିଲ୍ଲା ବୋର୍ଡର ଉପାଧ୍ୟକ୍ଷ ଥିବାବେଳେ ଶ୍ରୀ ନାୟକ ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିଲେ। ପୂର୍ବରୁ ଶ୍ରୀ ହରିଚନ୍ଦନ ମଧ୍ୟ ଏକାଧିକ ବାର ଅସୁସ୍ଥ ଶ୍ରୀ ନାୟକଙ୍କୁ ବିଭିନ୍ନ ସମୟରେ ଭେଟିଛନ୍ତି। ଉଲ୍ଲେଖଯୋଗ୍ୟ, ମସ୍ତିଷ୍କାଘାତରେ ଆକ୍ରାନ୍ତ ହୋଇ ୨୦୧୯ ମସିହାରୁ ଶ୍ରୀ ନାୟକ ଅସୁସ୍ଥ ଅଛନ୍ତି। କିନ୍ତୁ ନିୟମିତ ଗୀତା ଓ ଗାନ୍ଧୀ ସାହିତ୍ୟ ପଢ଼ୁଛନ୍ତି। ଗଣମାଧ୍ୟମରୁ ରାଜ୍ୟ ତଥା ଦେଶର ଖବର ରଖୁଛନ୍ତି। ଅସୁସ୍ଥତା ସତ୍ତ୍ୱେ ନିଜର ପୂର୍ବ ନିର୍ବାଚନମଣ୍ଡଳୀ କାକଟପୁର, ଅସ୍ତରଙ୍ଗ ସମେତ ଅନ୍ୟ ଅଞ୍ଚଳର ବନ୍ଧୁମାନଙ୍କ ସହିତ ସେ ସଂପର୍କରେ ରହିଛନ୍ତି।