ବଲାଙ୍ଗୀରରେ ଏଲପିଜି ବଟଲିଂ ପ୍ଲାଣ୍ଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍

ଭିଡିଓ କନ୍‌ଫରେନସିଂ ଜରିଆରେ ଉଦ୍‌ବୋଧନ ଦେଲେ ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ

ବଲାଙ୍ଗୀର : ବଲାଙ୍ଗୀର ଉପକଣ୍ଠ ବରକାନୀ ଗାଁରେ ନିର୍ମାଣ ହୋଇଥିବା ଏଲପିଜି ବଟଲିଂ ପ୍ଲାଣ୍ଟକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁଙ୍କ ବଲାଙ୍ଗୀର ଗସ୍ତ କାର୍ଯ୍ୟକ୍ରମ ବାତିଲ ହେବାପରେ ତାଙ୍କ ଅନୁପସ୍ଥିତିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏଲପିଜି ବଟଲିଂ ପ୍ଲାଣ୍ଟକୁ ଲୋକାର୍ପିତ କରିଛନ୍ତି।

ଏହି ଅବସରରେ ଭିଡିଓ କନ୍‌ଫରେନସିଂ ଜରିଆରେ ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ ଉଦ୍‌ବୋଧନ ଦେଇ କହିଥିଲେ, ‘ବଟଲିଂ ପ୍ଲାଣ୍ଟ ଲୋକାର୍ପଣ କରି ମୁଁ ବହୁତ ଖୁସି।’ ଦେଶର ବିକାଶରେ ନାରୀଙ୍କ ଅବଦାନକୁ ପ୍ରଶଂସା କରିବା ସହ ଭାରତୀୟ ସଂସ୍କୃତିରେ ନାରୀକୁ ପୂଜା କରିବାର ପରମ୍ପରା ରହିଛି ବୋଲି  ସେ କହିଥିଲେ | ଉଜ୍ବଳା ଯୋଜନା ମହିଳାଙ୍କୁ ଶକ୍ତି ଓ ସ୍ବାଭିମାନ ଦେଇଛି ବୋଲି ବି କହିଥିଲେ ଉପରାଷ୍ଟ୍ରପତି ଏମ୍.ଭେଙ୍କୟା ନାଇଡୁ।

ଏଥିଲାଗି ଆୟୋଜିତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ, ରାଜ୍ୟ ଉଚ୍ଚ ଶିକ୍ଷା, କୃଷି, ମତ୍ସ୍ୟସଂପଦ ଓ ପଶୁପାଳନ ମନ୍ତ୍ରୀ ଡକ୍ଟର ଅରୁଣ ସାହୁ, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ପ୍ରମୁଖ ଯୋଗ ଦେଇଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶାର ୧୪ଟି ଜିଲ୍ଲାରେ ଏଲପିଜିର ବଢୁଥିବା ଚାହିଦା ପୂରଣ କରିବାକୁ ପ୍ଲାଣ୍ଟ ପାଇଁ ୧୦୩ କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୧୮ ମସିହା ମଇ ମାସରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶିଳାନ୍ୟାସ କରିଥିଲେ। ପ୍ରକଳ୍ପ ଅବଧି ୨୪ ମାସ ଥିଲେ ହେଁ ରେକର୍ଡ ସମୟରେ ୧୯ ମାସ ଭିତରେ କାମ ସରି ଏହାର ଉଦଘାଟନ ହୋଇଛି।

ସମ୍ବନ୍ଧିତ ଖବର