ବାରଙ୍ଗ : ଭାରତୀୟ ଜାତୀୟତାବୋଧ ପରମ୍ପରାକୁ ବଜାୟ ରଖି ବାରଙ୍ଗର ରାମଦାସପୁର ସ୍ଥିତ ଜୟ ଭାରତ ଫାଉଣ୍ଡେସନର ମସଲା ଉଦ୍ୟୋଗ ପରିସରରେ ପାଳନ ହେବାକୁ ଯାଉଛି ଜାତୀୟ ପତାକା ପ୍ରତିଷ୍ଠା ଦିବସ। ଆସନ୍ତା ୭ ତାରିଖ, ଶୁକ୍ରବାର ଦିନ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଦିନରାତି ସବୁ ସମୟରେ ଉଡିବାକୁ ଥିବା ଏହି ଜାତୀୟ ପତାକାକୁ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉତ୍ତୋଳନ କରିବେ। ଏହି ଅବସରରେ ରାଜ୍ୟପାଳ ରେଭେନ୍ସା ବିଶ୍ବ ବିଦ୍ୟାଳୟର କୁଳପତି ପ୍ରଫେସର ଇସାନ କୁମାର ପାତ୍ର, ବିଶିଷ୍ଟ ଐତିହାସିକ ତଥା ଲେଖକ ଡକ୍ଟର ସୋମା ଚାନ୍ଦ, ଇଂଜିନିୟର ଗୋବିନ୍ଦ ଜି ପ୍ରକାଶ ଜୀ ଆଲାମ ଜୀ, ଏସ୍‌ସିବି ମେଡିକାଲର ଇଏନଟି ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ସୁବ୍ରତ କୁମାର ବେହେରା, ଓଡ଼ିଶା ଶିଲ୍ପ ସଂଘର ସଭାପତି ଅବନୀ କାନୁନଗୋ, ବରିଷ୍ଠ ସାମ୍ବାଦିକ ଡକ୍ଟର ସତ୍ୟ ରାୟ, ଭାରତ ମସଲାର କର୍ମଚାରୀ ସ୍ନେହଲତା ରାଉତ ଓ କଟକ ନୂଆବଜାର ପୋତାପୋଖରୀ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିବେ। ଜୟ ଭାରତ ଫାଉଣ୍ଡେସନର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ତାଙ୍କ ଅଧକ୍ଷ୍ୟତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ଜିଏସଟି ଓ କଷ୍ଟମସ୍‌ ବିଭାଗର ସଦସ୍ୟ ସୁଶାନ୍ତ କୁମାର ପଣ୍ତା ଯୋଗ ଦେବେ। ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ତା କାର୍ଯ୍ୟକ୍ରମ ପରିଚାଳନା କରିବେ ବୋଲି ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ତା ଓ ନିର୍ଦ୍ଦେଶକ ସୁମନ୍ତ ପଣ୍ତା ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ ପରିଚାଳନା କରିଥିଲେ ପିଆରଓ ସୁଲଗ୍ନା ବାରିକ ଓ ପ୍ରୋଜେକ୍ଟ ମ୍ୟାନେଜର ସାଜନ ଅଗ୍ରୱାଲ। ଦିଗନ୍ତ ପଣ୍ତା, ଇଂଜିନିୟର ଅଶୋକ ରାଉତ, ଇଂଜିନିୟର ସୁଶାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।