ଭାରତ ଏକ ଦେଶ ନୁହେଁ, ଜୀବନ୍ତ ଦେବୀ

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ରାଜ୍ୟପାଳ, ପ୍ରତିଟି ମାନବ ଅସୀମ ଶକ୍ତିର ଅଧିକାରୀ, ଆଧ୍ୟାତ୍ମିକ ଏବଂ ବୈଷୟିକ ଜ୍ଞାନର ସମନ୍ବୟ ରହୁ

ଗୋପାଳପୁର/ବ୍ରହ୍ମପୁର : ଭାରତ ଗୋଟିଏ ଦେଶ ନୁହେଁ, ଏହା ଏକ ‌ଜୀବନ୍ତ ଦେବୀ। ଏହାର ମାଟି ପାଣି ପବନ, ଜଙ୍ଗଲ ପାହାଡ଼ ସବୁଥିରେ ଦିବ୍ୟତା ଭରି ରହିଛି। ଏହାର ସନ୍ତାନ ହୋଇଥିବାରୁ ଆମେ ସମସ୍ତେ ଭାଗ୍ୟବାନ୍। ଆମର ସଂସ୍କୃତି, ପରମ୍ପରା, ସବୁଥିରେ ଆଧ୍ୟାତ୍ମିକାତା ଭରି ରହିଛି। ବିଶ୍ବ ତାପନ, ପ୍ରଦୂଷଣ ପାନୀୟ ସଂକଟ ଭଳି ଗମ୍ଭୀର ସମସ୍ୟାରେ ସରଳ ସମାଧାନ ପାଇଁ ଏବେ ସାରା ବିଶ୍ବ ଭାରତର ଅଧ୍ୟାତ୍ମିକ ଗୁରୁଙ୍କ ସହଯୋଗ କାମନା କରୁଛନ୍ତି। ବୈଷୟିକ ଜ୍ଞାନ ସହ ଆଧ୍ୟାତ୍ମିକତାର ସମନ୍ବୟରେ ବିଶ୍ବରେ ଦେଖାଦେଉଥିବା ପ୍ରତ୍ୟେକ ସମସ୍ୟା ଦୂର ହୋଇ ପାରିବ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସଭାକୁ ସମ୍ବୋଧିତ କରି ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏଭଳି ମତ ରଖିଛନ୍ତି।

ଆଜି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ନୂତନ ଭାବେ ନିର୍ମିତ ହୋଇଥିବା ଏକ କୋଟି ବ୍ୟୟ ଅଟ୍ଟକଳରେ ଇଲେକ୍ଟ୍ରୋନିକ୍ସ ସାଇନ୍ସର ଅତିରିକ୍ତ କୋଠା, ୭କୋଟି ଟଙ୍କାର କେନ୍ଦ୍ରୀୟ ଯାନ୍ତ୍ରିକ କେନ୍ଦ୍ର କୋଠାର ଉଦ୍‌ଘାଟନ ଏବଂ ନିର୍ମାଣ ହେବାକୁ ୨କୋଟି ୫ଲକ୍ଷ ଟଙ୍କାର ମାନବ ସମ୍ବଳ ବିକାଶର ଅତିରିକ୍ତ କୋଠା, ଏକ କୋଟି ୪୬ ଲକ୍ଷ ଟଙ୍କାର ନୂତନ ସମ୍ମିଳନୀ କକ୍ଷର ଅତିରିକ୍ତ କୋଠାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଏଥିପାଇଁ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମ‌ରେ ମୁଖ୍ୟ ଅତିଥି ଭାବେ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଯୋଗ ଦେଇ ଏସବୁ କାର୍ଯ୍ୟ ସମ୍ପାଦନ କରିଥିଲେ। ପରେ କୁଳପତି ପ୍ରଫେସର ରାଜେନ୍ଦ୍ରପ୍ରସାଦ ଦାଶଙ୍କ ଆବାହକତ୍ବରେ ଅନୁଷ୍ଠିତ ସଭାରେ ଉପସ୍ଥିତ ଶିକ୍ଷକ ଅଣ ଶିକ୍ଷକ, ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ କରିଥିଲେ। ଗତ ତିନି ବର୍ଷରେ ବିଶ୍ବବିଦ୍ୟାଳୟରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ କୁଳପତି ଆଲୋକପାତ କରିଥିଲେ। ପ୍ରଫେସର ମାନସ ରଂଜନ ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ କୁଳସଚିବ ରଂଜନ କୁମାର ବିଶ୍ବାଳ ପରିଚାଳନାରେ ସହଯୋଗ କରିଥିଲେ। ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ବୁଦ୍ଧିଜୀବୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସୁରକ୍ଷା ବ୍ୟବସ୍ଥା ପାଇଁ ଏସପି ପିନାକ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବ୍ୟାପକ ପୁଲିସ୍‌ ମୁତୟନ ହୋଇଥିଲେ। ଶେଷ‌‌େର ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରଖି ଆସନ୍ତା ବର୍ଷେ ମଧ୍ୟରେ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଉଥିବା ରାଜ୍ୟପାଳ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର