କଟକ: ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଦୁଗ୍ଧ ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍‌ଏମ୍‌ୱାଇ) ସହ ଅଧିକ ସଂଖ୍ୟାରେ ଯୋଡ଼ିବାକୁ ରାଜ୍ୟପାଳ ଡ. ହରିବାବୁ କମ୍ଭମ୍‌ପାଟି ପରାମର୍ଶ ଦେଇଛନ୍ତି। ଆଜି ଗୋବିନ୍ଦପୁର, ଅରିଲୋସ୍ଥିତ ଓମ୍‌ଫେଡ୍ ମେଗା ଡାଇରି ପ୍ଲାଣ୍ଟ ପରିଦର୍ଶନ ସମୟରେ ରାଜ୍ୟପାଳ ଏପରି କହିଛନ୍ତି। ଦୁଗ୍ଧ ଚାଷୀମାନଙ୍କ ଉଦ୍ୟମକୁ ବ୍ୟାପକ କରିବା ନିମନ୍ତେ ବ୍ୟାଙ୍କ ଋଣର ଆବଶ୍ୟକତା ରହିଛି। ଏଣୁ ବ୍ୟାଙ୍କମାନଙ୍କ ସହ ଉତ୍ତମ ସମନ୍ୱୟ ରକ୍ଷା କରି ଦୁଗ୍ଧ ଚାଷୀଙ୍କୁ ଋଣ ପ୍ରଦାନ ସୁନିଶ୍ଚିତ କରିବାକୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ ଚାଷୀମାନଙ୍କୁ ସହାୟତା ଯୋଗାଇବା ଉପରେ ରାଜ୍ୟପାଳ ଗୁରୁତ୍ବାରୋପ କରିଥିଲେ। ସେ କହିଥିଲେ ଯେ, କେତେକ ଚାଷୀ ଯୋଜନାର ସବ୍‌ସିଡି ପାଇଁ ଆବଶ୍ୟକୀୟ କାଗଜପତ୍ର ପ୍ରଦାନ କରିବାକୁ ହଇରାଣ ହୁଅନ୍ତି, କିନ୍ତୁ ସେମାନଙ୍କୁ ପିଏମ୍‌ଏମ୍‌ୱାଇ ସହିତ ସଂଯୋଗ କରିବା ଦ୍ୱାରା ବ୍ୟାଙ୍କ ଋଣ ପାଇ ପାରିବେ ଏବଂ ବ୍ୟବସାୟ ଆରମ୍ଭ କରି ପାରିବେ କିମ୍ବା ବଢ଼ାଇ ପାରିବେ। ବ୍ୟାଙ୍କ ଦ୍ୱାରା ଠିକ୍ ସମୟରେ ଋଣ ପ୍ରଦାନ କରାଗଲେ ଚାଷୀମାନେ ପ୍ରେରଣା ପାଇବେ ବୋଲି ରାଜ୍ୟପାଳ କହିଥିଲେ। ଏଣୁ ବ୍ୟାଙ୍କମାନଙ୍କ ସହ ନିୟମିତ ସମନ୍ୱୟ ରକ୍ଷା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କ ଏକ ବିସ୍ତୃତ ତାଲିକା ବ୍ୟାଙ୍କମାନଙ୍କୁ ପ୍ରଦାନ କରିବାକୁ ରାଜ୍ୟପାଳ ଓମ୍‌ଫେଡ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ଫଳରେ ଋଣ ପ୍ରଦାନ ପ୍ରକ୍ରିୟାକୁ ସୁଗମ କରାଯାଇପାରିବ ଏବଂ ରାଜ୍ୟରେ ଦୁଗ୍ଧ ଚାଷକୁ ପ୍ରୋତ୍ସାହିତ କରିବ।

ଏହା ଦୁଗ୍ଧ ଉତ୍ପାଦନ ଓ ଆବଶ୍ୟକତା ମଧ୍ୟରେ ଥିବା ବ୍ୟବଧାନକୁ ପୂରଣ କରିବାରେ ସହାୟକ ହେବ ବୋଲି ରାଜ୍ୟପାଳ କହିଥିଲେ। ଏ ଦିଗରେ ଯଦି କୌଣସି ସମସ୍ୟା ଉପୁଜିଲେ ଓମ୍‌ଫେଡ୍ କର୍ତ୍ତୃପକ୍ଷ ସିଧାସଳଖ ତାଙ୍କ ସହ ଯୋଗାଯୋଗ କରିପାରିବେ ବୋଲି କହିଥିଲେ। ଏହି ଗସ୍ତ ସମୟରେ ରାଜ୍ୟପାଳ ମେଗା ଡାଇରି ପ୍ଲାଣ୍ଟର ବିଭିନ୍ନ ବିଭାଗ, ଲାବୋରେଟୋରି, ଘିଅ ବିଭାଗ, ଉତ୍ପାଦ ଗ୍ୟାଲେରି ବୁଲି ଦେଖିଥିଲେ। ମତ୍ସ୍ୟ ଓ ପଶୁ ସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଟ, ଓମ୍‌ଫେଡର ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ, ଓମ୍‌ଫେଡର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗେ, କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ପ୍ରମୁଖ ରାଜ୍ୟପାଳଙ୍କ ଗସ୍ତ ସମୟରେ ଉପସ୍ଥିତ ଥିଲେ।