ଭୁବନେଶ୍ବର : ଓଡ଼ିଶାର କୋଭିଡ୍ ପରିଚାଳନା ନେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଜ୍ୟ ସରକାରଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି। ଆଜି ବଜେଟ୍ ଅଧିବେଶନର ପ୍ରଥମ ଦିନରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ରାଜ୍ୟପାଳ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ, ‘‘ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ସମସ୍ତଙ୍କର ନିଃସ୍ବାର୍ଥପର ସହଯୋଗ ଯୋଗୁଁ ଓଡ଼ିଶା ଆଜି ମହାମାରୀ ପରିସ୍ଥିତିକୁ ସଫଳତାର ସହିତ ନିୟନ୍ତ୍ରଣ କରିପାରିଛି। କୋଭିଡ୍ ପରିଚାଳନାର ପ୍ରତ୍ୟେକ କ୍ଷେତ୍ରରେ ରାଜ୍ୟ ଉଚ୍ଚକୋଟୀର ପ୍ରଦର୍ଶନ କରିଛି ଓ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ସଂଗଠନ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଛି।’’
ବିଧାନସଭାର ଷଷ୍ଠ ଅଧିବେଶନକୁ ସ୍ବାଗତ ଜଣାଇବା ସହିତ ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ପ୍ରଣବ କୁମାର ମୁଖାର୍ଜୀଙ୍କ ଠାରୁ ଆରମ୍ଭ କରି ରାଜ୍ୟର ପୂର୍ବତନ ପ୍ରଥମ ମହିଳା ସ୍ବର୍ଗତ ସୁଶୀଳା ଦେବୀ, ପୂର୍ବତନ ବାଚସ୍ପତି ଶରତ କୁମାର କର, ପ୍ରାଣ ଦେଇଥିବା କରୋନା ଯୋଦ୍ଧା ପ୍ରମୁଖଙ୍କ ପାଇଁ ଶୋକ ବ୍ୟକ୍ତ କରିଥିଲେ ରାଜ୍ୟପାଳ। ପ୍ରଫେସର ଗଣେଶୀ ଲାଲ କହିଥିଲେ, କୋଭିଡ୍-୧୯ ମହାମାରୀ ପୃଥିବାରେ ହଇଚଇ ସୃଷ୍ଟି କରିଛି। ଜନସ୍ବାସ୍ଥ୍ୟ ବ୍ୟବସ୍ଥା, ଦେଶର ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିଛି ଓ ଜନସାଧାରଣଙ୍କ ସାମାଜିକ ଏବଂ ମାନସିକ ସ୍ଥିତିକୁ ବ୍ୟାହତ କରିଛି।
ଏପରିସ୍ଥଳେ ଓଡ଼ିଶା ସରକାର ମହାମାରୀ ଭୟାବହତା ସଂପର୍କରେ ସଠିକ୍ ପ୍ରାକ୍ ଆକଳନ କରିପାରିଥିଲେ। ରାଜ୍ୟରେ ଗୋଟିଏ ବି ସଂକ୍ରମଣ ଘଟିବା ପୂର୍ବରୁ ୨୦୨୦ ମାର୍ଚ୍ଚ ୧୩ ତାରିଖରେ ଏହି ମହାମାରୀକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରି ଆଗତୁରା ଶିକ୍ଷାନୁଷ୍ଠାନ ବନ୍ଦ କରିଥିଲେ। ସାମାଜିକ ତଥା ଧର୍ମୀୟ ଏକତ୍ରୀକରଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଦେଶରେ ତାଲାବନ୍ଦ ହେବା ପୂର୍ବରୁ ମାର୍ଚ୍ଚ ୨୧ ତାରିଖରେ ରାଜ୍ୟରେ ଆଗ ତାଲା ବନ୍ଦ ହୋଇଥିଲା।
ତାଲାବନ୍ଦ ସଂପର୍କରେ ସ୍ମରଣ କରାଇ ରାଜ୍ୟପାଳ ଆହୁରି କହିଥିଲେ ଯେ ଏହି କଠୋର ବ୍ୟବସ୍ଥା କାରଣରୁ ଜୀବନ ଜୀବିକା ପ୍ରଭାବିତ ହେବ, ଏକଥା ସରକାର ଜାଣିପାରିଥିଲେ। ଏଥିପାଇଁ ଆଗୁଆ ଭତ୍ତା ବଣ୍ଟନ, ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟ ସାମଗ୍ରୀ ଯୋଗାଣ, ମାଗଣା ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଥିଲା। ସରପଞ୍ଚଙ୍କୁ ସ୍ବତନ୍ତ୍ର କ୍ଷମତା ଦିଆଯାଇଥିଲା। ସେମାନେ କୋଭିଡ୍ ପରିଚାଳନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ପ୍ରବାସୀ ଓଡ଼ିଆ କିଭଳି ବିନା ଅସୁବିଧାରେ ଫେରି ଆସିବେ, ତାହାକୁ ସରକାର ସୁନିଶ୍ଚିତ କରିଥିଲେ।
କୋଭିଡ୍ ପରୀକ୍ଷା ଠାରୁ ଆରମ୍ଭ କରି ଗୁରୁତର ସଂକ୍ରମିତଙ୍କ ଚିକିତ୍ସା, ଡାକ୍ତରଖାନାରୁ ସୁସ୍ଥ ହୋଇ ଘରକୁ ଫେରିବା ପର୍ଯ୍ୟନ୍ତ ସବୁ କିଛି ସରକାର ବିନା ଖର୍ଚ୍ଚରେ କରିଥିଲେ ବୋଲି ରାଜ୍ୟପାଳ ସୂଚନା ଦେଇଥିଲେ। ଏକଥା ବି ଜୋର ଦେଇ କହିଥିଲେ ଯେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ କୋଭିଡ୍ ସଂକ୍ରମଣରେ ମୃତ୍ୟୁହାର ସହିତ ରାଜ୍ୟରେ ତୁଳନାତ୍ମକ ଭାବେ ମୃତ୍ୟୁ ହାର କମ୍ ରହିବା ପଛରେ ଏହା ହିଁ ଅସଲ କାରଣ।
କୋଭିଡ୍ ଯୋଦ୍ଧାମାନଙ୍କୁ ଉତ୍ସାହିତ ଲାଗି ସରକାର କିଭଳି ଏକତ୍ର ବନ୍ଦେ ଉତ୍କଳ ଜନନୀ ସଂଗୀତ ସମୂହ ଗାନ ଆୟୋଜନ କରିଥିଲେ ସେ କଥା ବି ସ୍ମରଣ କରାଇ ଦେଇଥିଲେ ପ୍ରଫେସର ଲାଲ।
କୋଭିଡ୍ ପରିଚାଳନା ଅଂଶବିଶେଷ ସ୍ବରୂପ ସରକାର ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀ ଏବଂ ମେ’-ଜୁନ ମାସରେ ଆସିଥିବା ପ୍ରାୟ ୧ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ୮ ମାସ ନିମନ୍ତେ କିଭଳି ଅତିରିକ୍ତ ପରିମାଣର ଚାଉଳ ଏବଂ ଡାଲି ମାଗଣାରେ ଦିଆଯାଇଥିଲା ଏକଥା େସ କଥା ବି ଗୃହରେ ରେକର୍ଡ କରାଇଥିଲେ ରାଜ୍ୟପାଳ।
କୋଭିଡ୍-୧୯ ସତ୍ତ୍ବେ ସରକାର ପାଠପଢା ବ୍ୟାହତ ନ ହେବା ଲାଗି ଯେଉଁସବୁ ପଦକ୍ଷେପ ନେଇଥିଲେ, ତାର ଏକ ଲମ୍ବା ତାଲିକା ରଖିଥିଲେ ରାଜ୍ୟପାଳ।