ଓଡ଼ିଆଙ୍କୁ ଅଣଦେଖା, ନାଗାଲାଣ୍ଡବାସୀଙ୍କ ପାଇଁ ହାତ ଖୋଲା

ରାଜ୍ୟପାଳ ପାଣ୍ଠି ଅନୁଦାନକୁ ନେଇ ପ୍ରଶ୍ନ ଉଠାଇଲା କଳିଙ୍ଗ ସେନା

ଭୁବନେଶ୍ୱର : ରାଜ୍ୟପାଳ ଏସ୍‌.ସି. ଜମିର ନିଜ ପଦ ଓ ଗରିମାର ଅପବ୍ୟବହାର କରୁଛନ୍ତି ବୋଲି ଅଭିଯୋଗ କରିଛି କଳିଙ୍ଗ ସେନା। ଓଡ଼ିଶାର ପ୍ରଥମ ନାଗରିକ ପଦରେ ଅଧିଷ୍ଠିତ ରହି ରାଜ୍ୟପାଳ ତାଙ୍କ ପାଣ୍ଠିରୁ ନାଗାଲାଣ୍ଡ ରାଜ୍ୟର ବିିଭିନ୍ନ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ଅର୍ଥ ଦେଉଛନ୍ତି। ରକ୍ତ କର୍କଟ ରୋଗରେ ପୀଡ଼ିତ ଓଡ଼ିଶାର ଗରିବ ଲୋକ ରାଜ୍ୟପାଳଙ୍କ ସହାୟତା ଲୋଡ଼ି ନିରାଶ ହେଉଥିବା ବେଳେ ରାଜ୍ୟପାଳ ନାଗାଲାଣ୍ଡବାସୀଙ୍କ ପାଇଁ ବଦାନ୍ୟତା ଦେଖାଉଛନ୍ତି ବୋଲି ଅଭିଯୋଗ ଆଣିଛି ଦଳ।

ରାଜଭବନ ନିକଟରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଳିଙ୍ଗ ସେନାର ମୁଖ୍ୟ ହେମନ୍ତ ରଥ କହିଛନ୍ତି ଯେ ଅସହାୟ ଓ ଗରିବ ରୋଗୀମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି ଭଳି ରାଜ୍ୟପାଳଙ୍କ ପାଣ୍ଠିରୁ ସହାୟତା ପାଇବାର ବ୍ୟବସ୍ଥା ରହିଛି। ୨୦୧୪ ଜୁଲାଇରୁ ଡିସେମ୍ବର ମାସ ମଧ୍ୟରେ ରାଜ୍ୟର ୩ ଜଣ ଗରିବ ରକ୍ତ କର୍କଟ ରୋଗୀ ଓ ଜଣେ ହୃଦରୋଗୀ ଚିକିତ୍ସା ପାଇଁ ରାଜ୍ୟପାଳଙ୍କ ପାଣ୍ଠିରୁ ଆର୍ଥିକ ସହାୟତା ଲୋଡ଼ିଥିଲେ। କିନ୍ତୁ ସେମାନଙ୍କୁ ଟଙ୍କାଟିଏ ମିଳି ନ ଥିଲା। କିନ୍ତୁ ସେହିବର୍ଷ ରାଜ୍ୟପାଳ ନିଜ ପ୍ରଦେଶ ନାଗାଲାଣ୍ଡର କେତେକ କ୍ଲବ, ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ବିଭିନ୍ନ କାର୍ଯ୍ୟ ଲାଗି ଏହି ପାଣ୍ଠିରୁ ଉପକୃତ ହୋଇଛନ୍ତି।

ନାଗାଲାଣ୍ଡର ସଂସ୍ଥା ମୋକୋ କୁଚଙ୍ଗ ଭିଲେଜ କାଉନସିଲ୍‌ ୨୦ ହଜାର ଟଙ୍କା ନେଇଥିବା ବେଳେ ଆଉ ଏକ କ୍ଲବ୍‌ ୧୦ ହଜାର ଟଙ୍କା ନେଇଛି। ମିଆଙ୍ଗ ନାମଧାରୀ ଜଣେ ବ୍ୟକ୍ତି ଚିକିତ୍ସା ଲାଗି ୨୫ ହଜାର, ୨୦୧୫ରେ ପୁସରମ୍‌ ନଗଡେ ନାମକ ଜଣେ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଦିଆଯାଇଛି। ତେବେ ସେ କେଉଁ କାରଣ ଲାଗି ଅର୍ଥ ନେଇଛନ୍ତି ତାହା ସୂଚନା ଅଧିକାର ଆଇନରେ ମିଳିଥିବା କାଗଜପତ୍ରରେ ଉଲ୍ଲେଖ କରାଯାଇ ନାହିଁ। ସେହିପରି ଟଲି ନାମଧାରୀ ଜଣେ ବ୍ୟକ୍ତି ୩୦ ହଜାର ଟଙ୍କା ନେଇଛନ୍ତି। ତାଙ୍କର ରୋଗ କିମ୍ବା ଦରଖାସ୍ତ ଆବେଦନର ତାରିଖ କିମ୍ବା ଠିକଣା ଉଲ୍ଲେଖ କରାଯାଇ ନାହିଁ। ରାଜ୍ୟର ସର୍ବୋଚ୍ଚ ସାମ୍ବାଧାନିକ ପଦବିରେ ଥିବା ରାଜ୍ୟପାଳଙ୍କର ରାଜ୍ୟବାସୀଙ୍କ ପ୍ରତି ଏଭଳି ମନୋଭାବ ଅନ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀ ରଥ କହିଛନ୍ତି।

ଶ୍ରୀ ରଥ ଆହୁରି କହିଛନ୍ତି ଯେ ରାଜ୍ୟର ଟିକସ ପଇସାରୁ ରାଜ୍ୟପାଳ ଦରମା ନେଉଛନ୍ତି। ରାଜଭବନ ବି ଚାଲୁଛି। ସେହି ରାଜ୍ୟର ଲୋକଙ୍କୁ ରାଜ୍ୟପାଳ ହୀନଦୃଷ୍ଟିରେ ଦେଖିବା ଦ୍ୱାରା ରାଜ୍ୟପାଳଙ୍କ ଗାରିବା କ୍ଷୁଣ୍ଣ ହେଉଛି। ତେଣୁ ନୈତିକତା ଦୃଷ୍ଟିରୁ ରାଜ୍ୟପାଳ ତୁରନ୍ତ ଇସ୍ତଫା ଦିଅନ୍ତୁ। ନ ହେଲେ ରାଷ୍ଟ୍ରପତି ତାଙ୍କୁ ବହିଷ୍କାର କରନ୍ତୁ ବୋଲି କଳିଙ୍ଗ ସେନା ପକ୍ଷରୁ ଶ୍ରୀ ରଥଙ୍କ ସମେତ ସାଧାରଣ ସମ୍ପାଦକ ସବ୍ୟସାଚୀ ମହାପାତ୍ର, ଗୌରାଙ୍ଗ ପ୍ରଧାନ, ଜଗବନ୍ଧୁ ମହାନ୍ତ, ସମ୍ପାଦକ ହୃଷୀକେଷ ସେନାପତି, ସୁଭଦ୍ରା ମିଶ୍ର ପ୍ର୍ରମୁଖ ଦାବି କରିଛନ୍ତି। ନ ହେଲେ କଳିଙ୍ଗ ସେନା ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର