ସୃଜନର ପ୍ରକାଶ ଓ ବିକାଶ ପାଇଁ ଓଡ଼ିଶା ଅନୁକୂଳ

ରାଜ୍ୟପାଳ ଟ୍ରଫି, ୨୦୧୭-୧୮ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବ

ଭୁବନେଶ୍ବର : ମୃଗ ଭିତରେ କସ୍ତୁରୀ ଥାଏ। କେବଳ ଏହାର ବାସ୍ନା ବାହାରକୁ ଆସିବା‌ର ଡେରି ଥାଏ। ସେହିପରି ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଦେହରେ ଯଦି ୬୪ କଳା ରହିଛି, ତାଙ୍କ ସନ୍ତାନସନ୍ତତିଙ୍କ ଦେହରେ କିପରି ରହିବ ନାହିଁ। ଆମ ସମସ୍ତଙ୍କ ଦେହରେ ୬୪ କଳା ରହିଛି। କେବଳ ତାହାକୁ ଲୋକଲୋଚନକୁ ଆଣିବାର ଆବଶ୍ୟକତା ରହିଛି। ଓଡ଼ିଶାରେ ସୃଜନର ପରମ୍ପରା ଖୁବ୍‌ ସମୃଦ୍ଧ। ଏଠାରେ ସୃଜନର ଅବାରିତ ଧାରା ପ୍ରବାହିତ। ସୃଜନର ସଫଳ ପ୍ରକାଶ ଓ ବିକାଶ ନିମନ୍ତେ ଅନୁକୂଳ ପରିବେଶ ଏହି ଓଡ଼ିଆ ମାଟି‌ରେ ରହିଛି ବୋଲି କହିଛନ୍ତି ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃ୍ତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଓ ଓଡ଼ିଶା ଲଳିତ କଳା ଏକାଡେମି ପକ୍ଷରୁ ଆୟୋଜିତ ‘ରାଜ୍ୟସ୍ତରୀୟ ପ୍ରତିଭା ଅନ୍ବେଷଣ-ରାଜ୍ୟପାଳ ଟ୍ରଫି, ୨୦୧୭-୧୮ ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର୍‌ ଶ୍ରୀ ଲାଲ ଏହା କହିଛନ୍ତି।

ଆଜି ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା କଳା ଓ ସଂସ୍କୃତିର ବିକାଶରେ ଶିଶୁ କିଶୋରମାନଙ୍କୁ ଭାଗୀଦାର ହେବାକୁ ପରାମର୍ଶ ଦେଇଥିଲେ। ବିଭାଗୀୟ ଶାସନ ସଚିବ ବିଷ୍ଣୁପଦ ସେଠୀ, ନିର୍ଦ୍ଦେଶକ ବିଜୟ ନାୟକ, ଓଡ଼ିଶା ଲଳିତ କଳା ଏକାଡେମି ସଭାପତି ତଥା ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ସଭାପତି ରାମକୃଷ୍ଣ ସାହୁ ପ୍ରମୁଖ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ସଚିବ ବିଜୟ ଜେନା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।

ଏହି ଅବସରରେ ପୁରସ୍କୃତ ପ୍ରତିଭାମାନଙ୍କ ଦ୍ବାରା ପ୍ରସ୍ତୁତ ଚିତ୍ରଗୁଡ଼ିକୁ ନେଇ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ଲଳିତ କଳା ଏକାଡେମି ସଚିବ ଗ‌ଜେନ୍ଦ୍ର ସାହୁ ପ୍ରଦର୍ଶନୀ ସମ୍ପର୍କିତ ସୂଚନା ଦେଇଥିଲେ। ପ୍ରତିଭା ଅନ୍ବେଷଣ ୨୦୧୭-୧୮ରେ ଓଡ଼ିଶୀ, କଣ୍ଠସଙ୍ଗୀତ, ଲୋକନୃତ୍ୟ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟର ସମସ୍ତ ବ୍ଲକ୍‌ରୁ ୫ହଜାର ଛାତ୍ରଛାତ୍ରୀ ଭାଗ ଦେଇଥିବା ବେଳେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାକୁ ୧ ହଜାର ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ୨୪୦ଜଣ ମନୋନୀତ ହୋଇଥିଲେ। ସେଥିମଧ୍ୟରୁ ଆଜି ୨୪ଜଣ କୃତୀ ପ୍ରତିଯୋଗୀ ପୁରସ୍କୃତ ହୋଇଥିଲେ।

ସମ୍ବନ୍ଧିତ ଖବର