ମମିତା ହତ୍ୟାକାଣ୍ଡ: ନକଲି ସିମ୍‌କାର୍ଡ ବ୍ୟବହାର କରୁଥିଲା ଗୋବିନ୍ଦ

ଖୋଜିଖୋଜି ବୟାନ ରେକର୍ଡ କରୁଛି ପୁଲିସ୍‌

ବଲାଙ୍ଗୀର : ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାକୁ ମାସେରୁ ଅଧିକ ସମୟ ବିତିଲାଣି। ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତା’ର ସହଯୋଗୀ ରାଧେଶ୍ୟାମ ଚଣ୍ଡିକୁ ପୁଲିସ ଗିରଫ କରି ଜେଲ୍‌ ହାଜତକୁ ପଠାଇଛି। ତଥାପି ଘଟଣାକୁ ନେଇ ସାରାରାଜ୍ୟରେ ତାତି ବଳବତ୍ତର ରହିଛି। ଏହିଭଳି ଏକ ପରିସ୍ଥିତିରେ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍‌ନାକୁ ଆସିଛି। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ବିଭିନ୍ନ ଲୋକଙ୍କ ନଁାରେ ନକଲି ସିମ୍‌କାର୍ଡ ବ୍ୟବହାର କରୁଥିଲା। ଯେଉଁମାନଙ୍କ ନଁାରେ ସିମ୍‌କାର୍ଡ ବ୍ୟବହାର କରୁଥିଲା, ସେମାନଙ୍କ ମଧ୍ୟରୁ ପୁଲିସ୍‌ କେତେଜଣଙ୍କ ବୟାନ୍‌ ରେକର୍ଡ କରିସାରିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ୨ ଜଣ ବାଂଲାଭାଷୀ। ଏହି ବାଂଲାଭାଷୀଙ୍କର ଘଟଣା ସହିତ ‌ସେମାନଙ୍କ ସମ୍ପର୍କ କ’ଣ; ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି‌ହୋଇଛି। ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିବା ବି ଦେଖିବାକୁ ମିଳିଛି।

ଗତ ଅକ୍ଟୋବର ମାସରେ କଳାହାଣ୍ଡିର ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲ୍‌ର ଅଧ୍ୟକ୍ଷା ମମତା ମେହରଙ୍କ ହତ୍ୟା ଘଟଣା ସାମ୍‌ନାକୁ ଆସିଥିଲା। କେବଳ କଳାହାଣ୍ଡି କିମ୍ବା ମମିତାଙ୍କ ଘର ବଲାଙ୍ଗୀର ଜିଲ୍ଲା କାହିଁକି, ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ମାମଲାରେ ପୁଲିସ ୧୦ଜଣଙ୍କ ବୟାନ ୧୬୪ରେ ରେକର୍ଡ କରିଥିଲା। ଏହି ୧୦ଜଣଙ୍କ ମଧ୍ୟରେ ରହିଥିଲେ ଦୁଇଜଣ ବାଂଲାଭାଷୀ। ଏଥିସହ ଜଣେ ଛାତ୍ରୀ ଏବଂ ଗୋବିନ୍ଦ ପାଖରେ କାମ କରୁଥିବା କର୍ମଚାରୀ ମାନଙ୍କର ବୟାନ ମଧ୍ୟ ରେକର୍ଡ କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ପାଞ୍ଚରୁ ଛଅଟି ମୋବାଇଲ ଫୋନ୍‌ ବ୍ୟବହାର କରୁଥିଲା। କିନ୍ତୁ ମୋବାଇଲ୍‌ ଫୋନ୍‌ରେ ଲାଗୁଥିବା ସିମ୍‌କାର୍ଡ ଅନ୍ୟମାନଙ୍କ ନାଁରେ ଆଣିଥିଲା। ତେଣୁ ସେମାନଙ୍କର ବି ୧୬୪ ବୟାନ ପୁଲିସ ରେକର୍ଡ କରିଥିବା ଜଣାପଡ଼ିଛି। ଅନ୍ୟପଟେ ୧୦୦ ଜଣଙ୍କ ପୁଲିସ ୧୬୧ ବୟାନ ରେକର୍ଡ କରିଛି।

ସେମାନଙ୍କ ଭିତରେ ଭିତରେ ଅନେକ ସ୍କୁଲ ଓ କଲେଜର କର୍ମଚାରୀଙ୍କ ସହ ମହାଲିଙ୍ଗ ଅଂଚଳର ଲୋକ ରହିଥିବା ଜଣାପଡ଼ିଛି। ପୁଲିସ ଏହି ସବୁ ସାକ୍ଷ୍ୟ ଏବଂ ପାରିପାର୍ଶ୍ବିକ ଦିଗକୁ ଭିତ୍ତିକରି ଅଭିଯୁକ୍ତ ବିରୋଧରେ ମଜଭୁତ୍‌ ପ୍ରମାଣ ଯୋଗାଡ଼ କରିବାର ଲକ୍ଷ୍ୟରେ ରହିଛି। ତେବେ, ଯେଉଁମାନଙ୍କର ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଛି, ତାକୁ ନେଇ ଆଇନଜ୍ଞ ପ୍ରଶ୍ନ ଉଠାଇଛନ୍ତି। କେଉଁମାନଙ୍କ ୧୬୪ ବୟାନ ରେକର୍ଡ କରାଯାଇଛି? ସେକ୍ସ ରାକେଟକୁ ନେଇ ୧୬୪ ବୟାନ ରେକର୍ଡ କରାଯାଇଛି ନା ନାହିଁ? ୧୦ ଜଣଙ୍କ ୧୬୪ ବୟାନ ରେକର୍ଡ ହୋଇଥିବାବେଳେ ଏମାନଙ୍କ ଭିତରେ ଥିବା ଦୁଇଜଣ ବଙ୍ଗାଳୀ ବ୍ୟକ୍ତିଙ୍କ ଭୂମିକା କ’ଣ? ଏପରିକି ଜଣେ ଛାତ୍ରୀଙ୍କ ବୟାନ ରେକର୍ଡ ବି କରଯାଇଛି। ଘଟଣା ସହ କ’ଣ ଥିଲା ଛାତ୍ରୀଙ୍କ ସଂପର୍କ କ’ଣ ? ଏହିଭଳି ପ୍ରଶ୍ନ ଉଠାଇଛନ୍ତି।

ତେବେ, ମିଳିଥିବା ସୂଚନା ଅନୁସାରେ ଗତ ୧୨ ତାରିଖ ରାତିରେ କଣ୍ଟାବାଞ୍ଜି କୋର୍ଟ ଭିତରୁ ପୁଲିସ ଗାଡ଼ି ବାହାରିଥିଲା। ଚାରିଜଣଙ୍କ ୧୬୪ ବୟାନ ରେକର୍ଡ କରିବା ପାଇଁ ସନ୍ଧ୍ୟା ୬ଟା ପରେ ପୁଲିସ କୋର୍ଟକୁ ନେଇଥିଲା। କିନ୍ତୁ କ’ଣ ହେଲା କେଜାଣି ସେମାନଙ୍କୁ ଫେରାଇ ଦେଇଥିଲେ ମାଜିଷ୍ଟ୍ରେଟ୍। ଗତକାଲି ସେମାନଙ୍କର ୧୬୪ ବୟାନ ରେକର୍ଡ କରାଯାଇଥିବା କୁହାଯାଉଛି। ଅନ୍ୟପଟେ ଗତ ୯ ତାରିଖ ତିନିଜଣଙ୍କ ବୟାନ ରେକର୍ଡ କରାଯାଇଥିଲା। ଆଗରୁ ଆଉ ତିନି ଜଣଙ୍କର ୧୬୪ ବୟାନ ରେକର୍ଡ କରାଯାଇଥିଲା। ଅନ୍ୟପଟେ ଜଣେ ଛାତ୍ରୀଙ୍କ ୧୬୪ ବୟାନ ରେକର୍ଡ କରିବା ପୂର୍ବରୁ ବାର ବାର ପୁଲିସ ଘରୁ ଡକାଇ ତଦନ୍ତ କରିଥିଲା। ଏଣୁ ରୁମ୍‌ ନମ୍ବର ୨୦ରୁ କିଛି ସୁରାକ ପୁଲିସ ପାଇଥିବା ଚର୍ଚ୍ଚା ହେଉଛି। ନହେଲେ କାହିଁକି ଜଣେ ଛାତ୍ରୀଙ୍କୁ ବାରବାର ପଚରାଉଚୁରା କରୁଥିଲା ପୁଲିସ? ମୋଟାମୋଟି ଦେଖିବାକୁ ଗଲେ ମମିତା ମେହେର ହତ୍ୟା ମାମଲାରେ ନୂଆ ନୂଆ ତଥ୍ୟ ଦିନକୁ ଦିନ ସାମ୍ନାକୁ ଆସିବାରେ ଲାଗିଛି।

ସମ୍ବନ୍ଧିତ ଖବର