ଛାତ୍ରୀଙ୍କୁ ଟ୍ରାକ୍ଟର ମଡ଼ାଇ ହତ୍ୟା ପଛରେ ଗୋବିନ୍ଦ: ଥାନା ଗାଡ଼ିକୁ ଜଳାଇ ଗାଁ ଲୋକଙ୍କ ନାଁରେ ଦେଇଥିଲା ଏତଲା

ପୂର୍ବତନ ବିଧାୟକ ବୀର ସିପ୍‌କାଙ୍କ ଛତ୍ରଛାୟା ତଳେ ଥିଲେ!

ଭବାନୀପାଟଣା: ମମିତା ମେହେର ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଆଉ ଏକ ଅପରାଧ ସାମ୍‌ନାକୁ ଆସିଛି। ତା’ରି ପ୍ରରୋଚନାରେ ୨୦୦୦ ମସିହାରେ ଜଣେ ସ୍କୁଲ୍‌ ଛାତ୍ରୀଙ୍କୁ ଟ୍ରାକ୍ଟର ମଡ଼ାଇ ହତ୍ୟା କରାଯାଇଥିଲା। ଏ ସମ୍ପର୍କରେ ଏବେ ମୁହଁ ଖୋଲିଛନ୍ତି ସମ୍ପୃକ୍ତ ଛାତ୍ରୀଙ୍କ ବାପା। ଘଟଣାର ପୁନଃତଦନ୍ତ କରିବା ପାଇଁ ଦାବି କରିଛନ୍ତି। ୨୦୦୦ ମସିହା ଅଗଷ୍ଟ ୮ତାରିଖରେ ମହାଲିଙ୍ଗର ସ୍କୁଲ୍‌ ଶିକ୍ଷକ ମୋତିଲାଲ ନାଏକଙ୍କ ଝିଅ ରାଜେଶ୍ବରୀ ନାଏକଙ୍କୁ ଟ୍ରାକ୍ଟର ଚପାଇ ହତ୍ୟା କରି ଦୁର୍ଘଟଣାର ରୂପ ଦିଆଯାଇଥିଲା। ସେତେବେଳେ ରାଜେଶ୍ବରୀ ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। ଲେତେର ଓ ମକରାଗୁଡ଼ା ରାସ୍ତାରେ ପୋଲ କାମ ଠିକା ନେଇଥିଲା ଗୋବିନ୍ଦ। ନିମ୍ନମାନର କାର୍ଯ୍ୟ ନେଇ ଅଭିଯୋଗ ହୋଇଥିଲା। ମୋତିଲାଲ ନାଏକ ଏହି ଘଟଣାକୁ ଉସୁକାଉଥିବା ନେଇ ଗୋବିନ୍ଦ ରାଗ ରଖିଥିଲା। ଗୋବିନ୍ଦର ସମ୍ପର୍କୀୟ ମୀନକେତନ ସାହୁ ଟ୍ରାକ୍ଟର ଚଳାଇ ଆଣୁଥିବାବେଳେ ବାଟରେ ଥିବା ରାଜେଶ୍ବରୀକୁ ଜାଣିଶୁଣି ଚାପି ଦେଇଥିଲା। ଏନେଇ ମହାଲିଙ୍ଗ ମକରାଗୁଡ଼ା ଓ ଲେତେର ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଗୋବିନ୍ଦ ସାହୁର ଜିପ୍‌ ପୋଡ଼ିଦେଇ ଭଙ୍ଗାରୁଜା କରିଥିଲେ। ଏହି ଘଟଣା ପରେ କୌଶଳ କରି ଗୋବିନ୍ଦ କେଗାଁ ଥାନା ଗାଡ଼ିକୁ ଲୋକ ଲଗେଇ ନିଆଁ ଲଗାଇ ଦେଇଥିଲା। କିନ୍ତୁ ସେ ନିଜେ ଖସିଯାଇ ଥିଲା। ୩ଟି ଗ୍ରାମର ପ୍ରାୟ ୩୦ରୁ ଊର୍ଦ୍ଧ୍ବ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଏହାକୁ ବିରୋଧ କରି ଉତ୍ତ୍ୟକ୍ତ ଲୋକେ ତତ୍କାଳୀନ ଥାନାବାବୁ ଭିକ୍ଷାକାରୀ ପାଲ ଓ ଭବାନୀପାଟଣା ସଦର ଏସ୍‌ଆଇ ପଦ୍ମଲୋଚନ ବାଗଙ୍କୁ ଶାଢ଼ି, ଚୁଡ଼ି ଓ ସିନ୍ଦୂର ଦେଇ ପ୍ରତିବାଦ କରିଥିଲେ। ଫଳରେ ହତ୍ୟା ମାମଲା ଓ ପୁଲିସ ଗାଡ଼ି ପୋଡ଼ି ଅଭିଯୋଗରୁ ବର୍ତ୍ତି ଯାଇଥିଲା।

ଧର୍ମଗଡ଼ର ପୂର୍ବତନ ବିଧାୟକ ବୀର ସିପ୍‌କାଙ୍କ ଛତ୍ରଛାୟା ଯୋଗୁଁ ବେଧଡ଼କ ପୁଲିସକୁ ବ୍ୟବହାର କରି ଲୋକଙ୍କ ଉପରେ ଦାଉ ସାଧୁଥିଲା ଗୋବିନ୍ଦ। ୨୦ବର୍ଷ ତଳେ ରାଜନେତାମାନଙ୍କ ପ୍ରଭାବକୁ ବ୍ୟବହାର କରି ପ୍ରଶାସନକୁ ନିଜ ପକେଟ୍‌ରେ ରଖିଥିଲା। ବର୍ତ୍ତମାନ ମମିତା ମେହେରଙ୍କୁ ହତ୍ୟାକରି ସମସ୍ତ ପ୍ରମାଣ ନଷ୍ଟ କରିବା ଭଳି ଅପରାଧ କାର୍ଯ୍ୟରେ ନିଜର ଆଇନ ପାଠକୁ ଢାଲ କରୁଥିବା ସଙ୍ଗିନ ଅଭିଯୋଗ ହେଉଛି। ଏଭଳି ଜଣେ କୁଖ୍ୟାତ ଅପରାଧୀର ବିଗତ ୨୫ବର୍ଷର ବିଭିନ୍ନ ଘଟଣାକୁ ପୁନର୍ବାର ତଦନ୍ତ ପରିସରକୁ ଆଣିଲେ ବହୁ ରହସ୍ୟ ଉନ୍ମୋଚିତ ହେବ ବୋଲି ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର