ଗୋବିନ୍ଦପାଲ୍ଲୀ ପୀଡ଼ିତାଙ୍କ ଆତ୍ମହତ୍ୟା ଚେତାବନୀ
ମାଲକାନଗିରି : ନ୍ୟାୟ ପାଇଁ ଗୁହାରି କଲି। ତଥାପି ନ୍ୟାୟ ମିଳିଲାନି। ବର୍ତମାନ ଅସହାୟ ଅବସ୍ଥାରେ ଅଛି। ପୁଲିସ, ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ସହଯୋଗ ମିଳୁନାହିଁ। ମୋ ମୃତ୍ୟୁ ପରେ ଯଦି ନ୍ୟାୟ ମିଳିବ; ତାହାହେଲେ କୁନ୍ଦୁଲି ପୀଡିତାଙ୍କ ଭଳି ମୁଁ ମଧ୍ୟ ଆତ୍ମହତ୍ୟା କରିବି। ଏମିତି ଚାଞ୍ଚଲ୍ୟକର ବୟାନ ଆଜି ଗଣମାଧ୍ୟମକୁ ଦେଇଛନ୍ତି ଗୋବିନ୍ଦପାଲ୍ଲୀର ଦୁଷ୍କର୍ମ ପୀଡିତା ଯୁକ୍ତ ୨ଛାତ୍ରୀ।
Sambad is now on WhatsApp
Join and get latest news updates delivered to you via WhatsApp
କୁନ୍ଦୁଲି ନିଆଁ ସାରା ରାଜ୍ୟରେ ଏବେ ଜଳୁଥିବା ବେଳେ ପୁଣି ଜଣେ ପୀଡିତାଙ୍କ କ୍ଷୋଭ ବର୍ତମାନ ମାଲକାନଗିରି ଜିଲ୍ଲା ପୁଲିସ ଓ ପ୍ରଶାସନକୁ ଅଡୁଆରେ ପକାଇ ଦେଇଛନ୍ତି। ଆଜି ପୀଡିତା ଜଣକ ଗଣମାଧ୍ୟମକୁ କହିଛନ୍ତି ଯେ ଗତବର୍ଷ ଡିସେମ୍ବର ମାସରେ ତାଙ୍କ ସହ ହୋଇଥିବା ଅତ୍ୟାଚାର ନେଇ ମାମଲା ରୁଜୁ କରାଗଲା। କିନ୍ତୁ ଏପର୍ଯ୍ୟନ୍ତ ମାମଲାର ବିଶେଷ ଅଗ୍ରଗତି ହୋଇ ନାହିଁ। ପୁଲିସ ପକ୍ଷରୁ ଆବଶ୍ୟକ ସହଯୋଗ ମିଳୁନାହିଁ। ମାମୁଙ୍କୁ ନିୟମିତ ଭାବେ ଧମକପୂର୍ଣ୍ଣ ଫୋନ କଲ ଆସୁଛି। ତେଣୁ ସେ ନିଜ ବ୍ୟବସାୟ ଛାଡି ଗୋବିନ୍ଦପାଲ୍ଲୀରୁ ମାଲକାନଗିରି ଚାଲି ଆସିଛନ୍ତି। ଘଟଣା ପରେ ଗୋବିନ୍ଦପାଲ୍ଲୀରୁ ମାଲକାନଗିରି କଲେଜକୁ ସ୍ଥାନାନ୍ତର ପାଇଁ ଚାହୁଁଥିଲି। ଏଥିନିମନ୍ତେ ଆବେଦନ କରିବା ସତ୍ୱେ ଏପର୍ଯ୍ୟନ୍ତ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଆସନ୍ତକାଲି ଠାରୁ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ପରୀକ୍ଷା ମଧ୍ୟ ଦେଇପାରିବି ନାହିଁ। ମାସନିକ ସ୍ତରରେ ସଂପୂର୍ଣ୍ଣ ଭାଙ୍ଗି ଯାଇଛି। ଯଦି ନ୍ୟାୟ ମିଳିବ ନାହିଁ ଆତ୍ମହତ୍ୟା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିବା ପୀଡିତା ପ୍ରକାଶ କରିଛନ୍ତି।
ସେହିପରି ପୀଡିତାଙ୍କ ମାମୁ ମଧ୍ୟ କହିଛନ୍ତି ଯେ ଗୋବିନ୍ଦପାଲ୍ଲୀରେ ତାଙ୍କ ପରିବାରକୁ ହଇରାଣ କରାଗଲା। ତେଣୁ ପରିବାର ସହ ସେ ମାଲକାନଗିରି ଚାଲି ଆସିଲେ। ଏହାପରେ ତାଙ୍କ ସମସ୍ୟା କମିବା ପରିବର୍ତେ ବଢି ଯାଇଛି। ବାରମ୍ବାର ଫୋନରେ ଧମକ ମିଳୁଛି। ଜୀବନ ପ୍ରତି ବର୍ତମାନ ବିପଦ ରହିଛି। ଭାଣିଜୀକୁ ନ୍ୟାୟ ଦେବା ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ପୁଲିସ ଡିଜି, ହାଇକୋର୍ଟ ବିଚାରପତି, ମାନବଧିକାର କମିଶନ, ମହିଳା କମିଶନ,ସମସ୍ତ ନେତାଙ୍କୁ ଦେଖାକରି ନ୍ୟାୟ ଭିକ୍ଷା କରିଥିଲେ। ଏପର୍ଯ୍ୟନ୍ତ ନ୍ୟାୟ ମିଳିଲା ନାହିଁ। ପୀଡିତା ଅଭିଯୁକ୍ତଙ୍କ ସଂପର୍କରେ ସବୁ ତଥ୍ୟ ପୁଲିସକୁ ଦେଖିଥିଲେ। କିନ୍ତୁ ପୁଲିସ ଜଣଙ୍କୁ ଗିରଫ କରି ଅନ୍ୟ ୩ଜଣଙ୍କୁ ଛାଡିଦେଲା। ତେଣୁ ସରକାର ନ୍ୟାୟ ନଦେଲେ ବାଧ୍ୟ ହୋଇ ଭାଣିଜୀ ଆତ୍ମହତ୍ୟା କରିବ ବୋଲି କହୁଛି। ଏବେ ସେ କ’ଣ କରିବେ ସେହି ଚିନ୍ତାରେ ରହିଥିବା ପୀଡିତାଙ୍କ ମାମୁ ଗଣମାଧ୍ୟମ ନିକଟରେପ୍ରକାଶ କରିଛନ୍ତି।
କୁନ୍ଦୁଲି ପୀଡିତା ଆତ୍ମହତ୍ୟା କରିବା ପରେ ପୁଣି ଜଣେ ପୀଡିତାଙ୍କ ଏମିତି ବୟାନ ଆଲୋଡନ ସୃଷ୍ଟି କରିଛନ୍ତି। ଏମିତି ପରିସ୍ଥିତିରେ ଯଦି ପୀଡିତାଙ୍କର କିଛି ହୋଇଯାଏ ତାହାହେଲେ ଏଥିପାଇଁ କିଏ ଦାୟୀ ରହିବେ ବୋଲି ପ୍ରଶ୍ନ ଉଠିଛି। ବିଳମ୍ବିତ ବିଧିବ୍ୟବସ୍ଥା ଯୋଗୁଁ ଜଣେ ପୀଡିତା ନ୍ୟାୟ ପାଇଁ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେବା ସରକାରଙ୍କ ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।