ବାଲଟ୍‌ ବକ୍ସ ପୋଡ଼ି ଘଟଣାରେ ଗୋବିନ୍ଦର ସମ୍ପୃକ୍ତି

ପ୍ରକୃତ ଘଟଣା ସାମ୍‌ନାକୁ ଆଣିବା ପାଇଁ ଦାବି

ଭବାନୀପାଟଣା: ମମିତା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଅପରାଧ ସାମ୍ରାଜ୍ୟର ଗୁମର ଗୋଟିଏ ପରେ ଗୋଟିଏ ଖୋଲିବାରେ ଲାଗିଛି। ଗୋବିନ୍ଦ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ରେ ନେତାମାନଙ୍କ ପାଇଁ ଭୋଟ୍‌ ‌ବ୍ୟାଙ୍କ ସୃଷ୍ଟି କରୁଥିଲା। କଳେବଳେ କୌଶଳେ ନେତାମାନଙ୍କୁ ଜିତାଇ ନିଜର ଦବଦବା ସୃଷ୍ଟି କରୁଥିଲା। ଏପରିକି ୧୯୯୭ ମସିହାରେ ଗୋଲାମୁଣ୍ଡା ଷ୍ଟ୍ରଙ୍ଗ୍‌ ରୁମ୍‌ରେ ନିଆଁ ଲଗାଇ ବାଲଟ୍‌ ବକ୍ସ ପୋଡ଼ି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ପୁଲିସକୁ ପ୍ରଭାବିତ କରି ମାମଲାକୁ ରଫାଦଫା କରିଥିଲା। ଏହି ଘଟଣା ପରେ ପୁନର୍ବାର ଭୋଟ ହେବାରୁ ବହୁ ବିଜୟୀ ପ୍ରାର୍ଥୀ ପରାଜିତ ହୋଇଥିଲେ। ସେତେବେଳେ ଏହି ଘଟଣା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ଘଟଣାର ତଦନ୍ତ କରାଗଲେ ପ୍ରକୃତ ଘଟଣା ଲୋକଲୋଚନକୁ ଆସନ୍ତା ବୋଲି ସାଧାରଣରେ ଏବେ ଦାବି ହୋଇଛି।

ସୂଚନାରୁ ପ୍ରକାଶ ଯେ ୧୯୯୭ ମସିହାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ଦାନ ପରେ ବାଲଟ୍‌ ବକ୍ସକୁ ଆଣି ବର୍ତ୍ତମାନର ପୁରୁଣା ଗୋଲାମୁଣ୍ଡା ବ୍ଲକ୍‌ ପରିସରରେ ଥିବା ଷ୍ଟ୍ରଙ୍ଗ ରୁମ୍‌ରେ ରଖା ଯାଇଥିଲା। ଏହି ନିର୍ବାଚନରେ ଗୋବିନ୍ଦ ତାର ନିଜ ପାଖ ଲୋକ ବୃହସ୍ପତି ସାହୁକୁ ବ୍ଲକ୍‌ ଅଧ୍ୟକ୍ଷ କରିବା ପାଇଁ ଲାଗି ପଡ଼ିଥିଲା। କିନ୍ତୁ ଗୋବିନ୍ଦ ବହୁ ସମିତିସଭ୍ୟ ଓ ସରପଞ୍ଚମାନେ ପରାଜୟବରଣ କରୁଥିବା ଦେଖିବାକୁ ପାଇଥିଲା। ନିର୍ବାଚନ ଦିନ ଭୋଟ୍‌ ଗଣତି ସରିଥିଲା। ସରକାରୀ ଭାବେ ଘୋଷଣା ହେବା ପୂର୍ବରୁ ଗୋବିନ୍ଦର ପ୍ରରୋଚନାରେ ବାଲଟ୍‌ ବକ୍ସ ରଖା ଯାଇଥିବା ଷ୍ଟ୍ରଙ୍ଗ୍‌ ରୁମ୍‌କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଯାଇଥିବା ଅଭିଯୋଗ ହୋଇଥିଲା। ବ୍ଲକ୍‌ ପ୍ରଶାସନ ଗୋଲାମୁଣ୍ଡା ପୁଲିସକୁ ଖବର ଦେବା ପରେ ଏକ ମାମଲା ରୁଜୁ କରାଯାଇ ବ୍ଲକ୍‌ ପିଅନ ଦେବରାଜ ଚଣ୍ଡୀଙ୍କୁ ଗିରଫ କରାଯାଇଥିଲା। ଅନ୍ୟପଟେ ମାଷ୍ଟରମାଇଣ୍ଡ୍‌ ସାଜିଥିବା ଗୋବିନ୍ଦ ତାର ରାଜନୈତିକ ପ୍ରଭାବରେ ଏହି ମାମଲାରୁ ଖସି ଯାଇଥିଲା।

ଷ୍ଟ୍ରଙ୍ଗ୍‌ ରୁମ୍‌ ପୋଡ଼ିବା ଯୋଗୁଁ ଚପ୍ରିଆ, ମାନଝେର, ଗୋଲାମୁଣ୍ଡା, ଖଲିଆକାନି ଓ ବୃନ୍ଦାବାହାଲ ପଞ୍ଚାୟତର ବାଲାଟ ବକ୍ସ ପୋଡ଼ି ଯାଇଥିଲା। ପୁନର୍ବାର ନିର୍ବାଚନ ହେବାରୁ ବହୁ ଜିତିଥିବା ପ୍ରାର୍ଥୀ ପରାଜିତ ହୋଇଥିଲେ। ସେହିପରି ଏସ୍‌ଜେପି ଜିଲ୍ଲାପରିଷଦ ପ୍ରାର୍ଥୀ ବୃଷଭ ନାଏକ ୧୧୫ ଭୋଟ୍‌ରେ କଂଗ୍ରେସ ପ୍ରାର୍ଥୀ ହର ବାଗଙ୍କୁ ହରାଇଥିଲେ। ଷ୍ଟ୍ରଙ୍ଗ୍‌ ରୁମ୍‌ ପୋଡ଼ିବା ଯୋଗୁଁ ପୁନର୍ବାର ଭୋଟ ହେବାରୁ କଂଗ୍ରେସ ପ୍ରାର୍ଥୀ ହର ବାଗ ଜିଲ୍ଲା ପରିଷଦ ଭାବେ ବିଜୟଲାଭ କରିଥିଲେ। ସେତେବେଳେ ମାଷ୍ଟରମାଇଣ୍ଡ୍‌ ଗୋବିନ୍ଦ ସାହୁ କଂଗ୍ରେସ ଦଳ ପାଇଁ କାମ କରୁଥିଲା। ଯେଉଁ ଦଳର ସାଂସଦ ଓ ବିଧାୟକ ଗୋଲାମୁଣ୍ଡା ବ୍ଲକ୍‌ରେ ଜିତିଥିବେ ସବୁବେଳେ ସେମାନଙ୍କ ଶିବିରରେ ଗେହ୍ଲାପୁଅ ସାଜିଥିଲା। ବର୍ତ୍ତମାନ ଗୋବିନ୍ଦ ସାହୁ ଦିବ୍ୟଶଙ୍କର ମିଶ୍ରଙ୍କ ଘନିଷ୍ଠତା ସାଜି ବିଜେଡି ପାଇଁ କାମ କରୁଥିଲା। ଚତୁର ଗୋଟି ଚାଳନା କରି ପ୍ରାର୍ଥୀମାନଙ୍କୁ ଜିତାଉଥିଲା। ତେଣୁ ନେତାମନ୍ତ୍ରୀଙ୍କ ଅତ୍ୟନ୍ତ ପ୍ରିୟଭାଜନ ହୋଇପାରୁଥିଲା। ଯାହାଫଳରେ ଗୋଲାମୁଣ୍ଡା ବ୍ଲକ୍‌ରେ ରାଜନୀତି ପତିଆରା ସୃଷ୍ଟି କରି ସିଂହଭାଗ ଠିକା କାମ ନିଜେ କରୁଥିଲା ଓ ନିଜର ଅନୁଗତଙ୍କୁ କାମ ଦେଇ ପିସି ନେଉଥିଲ। ଷ୍ଟ୍ରଙ୍ଗ୍‌ ରୁମ୍‌ ପୋଡ଼ି ଘଟଣାର ତଦନ୍ତ କରାଗଲେ ଗୋବିନ୍ଦ ସାହୁର ଆଉଏକ ଅପରାଧ ଫର୍ଦ୍ଦର ରହସ୍ୟ ଉନ୍ମୋଚନ ହୋଇପାରନ୍ତା ବୋଲି ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର