ସରକାରଙ୍କ ପରାମର୍ଶ : ଅସୁସ୍ଥ ଥିଲେ ଅଫିସ ଆସନି

ଭୁବନେଶ୍ବର : କରୋନ୍‌-୨ରୁ ଷ୍ଟେଜ୍‌-୩ରେ ନ ପହଞ୍ଚିବା ପାଇଁ ଭାରତ ସଂଗ୍ରାମ ଜାରି ରଖିଛି। ଏଭଳି ସ୍ଥିତିରେ ଆଜି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇ ଅସୁସ୍ଥ ସରକାରୀ ଚାକିରିଆ ଓ କର୍ମଚାରୀଙ୍କୁ ଅଫିସ ଆସିବାକୁ ବାରଣ କରାଯାଇଛି। ଅସୁସ୍ଥ କର୍ମଚାରୀ ଛୁଟିରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଜଣେ ସରକାରୀ କର୍ମଚାରୀ କିମ୍ବା ଅଧିକାରୀ କରୋନା ରୋଗଜନିତ ଲକ୍ଷଣ କିମ୍ବା ଥଣ୍ଡା, କାଶ କିମ୍ବା ଜ୍ବର ପୀଡ଼ିତ ହୁଅନ୍ତି ତେବେ ସେ ତତ୍‌କ୍ଷଣାତ୍‌ ବରିଷ୍ଠ ଅଧିକାରୀଙ୍କୁ ଜଣାଇ ୧୪ ଦିନ ଛୁଟିରେ ରହିପାରିବେ। ଏପରିକି ଅଫିସରେ ଥଣ୍ଡା ଜନିତ ରୋଗରେ ପୀଡ଼ିତ ହେଲେ ସମ୍ପୃକ୍ତ କର୍ମଚାରୀ ତୁରନ୍ତ ଅଫିସ ଛାଡ଼ିବେ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ସବୁ ବିଭାଗୀୟ ମୁଖ୍ୟ, ରାଜସ୍ବ କମିସନର ଓ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଜଣାଇଛି। ଗୁରୁବାର ଖୋଦ୍‌ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା ଲୋକସେବା ଭବନ ପରିସର ବୁଲି ଦେଖିବା ସହ ପରିଷ୍କାର ପରିଚ୍ଛନ୍ନତା ଯାଞ୍ଚ କରିଛନ୍ତି।

ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଯଦି ଜଣେ କର୍ମଚାରୀ ୧୪ ଦିନ ସଙ୍ଗରୋଧ ପରେ ଆରୋଗ୍ୟ ନ ହୁଅନ୍ତି, କିମ୍ବା ତାଙ୍କୁ ଆହୁରି ଅଧିକ ଦିନ ସଙ୍ଗରୋଧରେ ରହିବା ଆବଶ୍ୟକ ପଡ଼େ, ତାହେଲେ ସମ୍ପୃକ୍ତ କର୍ମଚାରୀଙ୍କୁ ତତ୍କାଳ ଛୁଟି ପ୍ରଦାନ କରାଯିବ। ଏହି ଛୁଟିକୁ ସାଧାରଣ ଛୁଟି ହିସାବରେ ବିବେଚନା କରାଯିବ। ସରକାରୀ କର୍ମଚାରୀଙ୍କ ପରିବାରର କେହି ସଦସ୍ୟ ଯଦି ଗତ ୪ ତାରିଖ ସୁଦ୍ଧା ବିଦେଶ ଗସ୍ତରୁ ଫେରିଥାନ୍ତି ତା ହେଲେ ବି ସମ୍ପୃକ୍ତ କର୍ମଚାରୀ ଅଫିସ୍‌ ନ ଆସି ୧୪ ଦିନ ସଙ୍ଗରୋଧରେ ରହିବେ। ଏଥିପାଇଁ ତାଙ୍କ ବିଭାଗୀୟ ମୁଖ୍ୟ ତାଙ୍କୁ ଛୁଟି ପ୍ରଦାନ କରିବେ। ଛୁଟି ଅବଧି ସରିବା ପରେ ସୁସ୍ଥ ଥିବା ନେଇ ଡାକ୍ତରଙ୍କଠାରୁ ମେଡିକାଲ ପ୍ରମାଣ ପତ୍ର ଦେଖାଇବା ପରେ ପୁଣି କାର୍ଯ୍ୟକ୍ଷେତ୍ରରେ ଯୋଗଦେଇପାରିବେ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର