ହାଇସ୍କୁଲର ନବମ, ଦଶମ ବହି ବିକ୍ରି ପାଇଁ ଅନୁମତି

କଟକ : ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ପାଠ୍ୟପୁସ୍ତକ ବିକ୍ରି ସଂକ୍ରାନ୍ତରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ମାସ ୪ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି କରାଯାଇଥିଲା। ଏ ସଂକ୍ରାନ୍ତରେ ଗତକାଲି ଗଣଶିକ୍ଷା ବିଭାଗ ପକ୍ଷରୁ ବୋର୍ଡ ପାଖକୁ ପାଠ୍ୟପୁସ୍ତକ ବିକ୍ରି ପାଇଁ ନିର୍ଦ୍ଦେଶନାମା ଆସିଛି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ କରୋନା ଗାଇଡଲାଇନ୍ ଅନୁସାରେ ପାଠ୍ୟପୁସ୍ତକ ବିକ୍ରି କାର୍ଯ୍ୟ ସମାପ୍ତ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ କୁ‌ହାଯାଇଛି।

ମାର୍ଚ ଶେଷ ସପ୍ତାହରେ ନବମ ଓ ଦଶମ ପାଠ୍ୟପୁସ୍ତକ ବିକ୍ରି ହେବାକୁ ସମୟ ଧାର୍ଯ୍ୟ ହୋଇଥିଲା। ଏହା ମଧ୍ୟରେ ଶିକ୍ଷାବ‌ର୍ଷ ଆରମ୍ଭ ହେବା ସହିତ ଅନ୍‌ଲାଇନରେ ପିଲାଙ୍କ ପଢ଼ା ଆରମ୍ଭ ହୋଇଗଲାଣି। ଏଭଳି ସ୍ଥିତି ଛାତ୍ରଛାତ୍ରୀମାନେ ପାଠ୍ୟପୁସ୍ତକ ନ ପାଇ ଡହଳବିକଳ ହେଉଥିବା ବିଭିନ୍ନ ମହଲରେ ‌ଅଭିଯୋଗ ହୋଇଆସୁଛି। ଏହାକୁ ଦୃଷ୍ଟିରେ ରଖି ସରକାର ବହି ବିକ୍ରି ପାଇଁ ଅନୁମତି ଦେଇଛନ୍ତି। କିନ୍ତୁ ଆସନ୍ତା ୨୦ତାରିଖରୁ ଖାତା ମୂଲ୍ୟାୟନ ଆରମ୍ଭ ହେଲେ ବୋର୍ଡର ୯୦ ପ୍ରତିଶତ କର୍ମଚାରୀ ପାଖାପାଖି ୩ସପ୍ତାହ ପର୍ଯ୍ୟନ୍ତ ମୂଲ୍ୟାୟନ କାର୍ଯ୍ୟରେ ନିୟୋଜିତ ରହିବେ। ତେଣୁ ପାଠ୍ୟପୁସ୍ତକ ବୋର୍ଡର ସ୍ବୀକୃତିପ୍ରାପ୍ତ ଡିଲରମାନଙ୍କୁ ଦେବାରେ ବିଳମ୍ବ‌ ହେବା ଆଶଙ୍କାକୁ ଏଡ଼ାଯାଇପାରିବ ନାହିଁ ବୋଲି ବୋର୍ଡର ଜଣେ ବରି‌ଷ୍ଠ କର୍ମଚାରୀ ସୂଚନା ଦେଇଛନ୍ତି।

ଏ ସଂକ୍ରାନ୍ତରେ ‌ବୋର୍ଡ ସଭାପତି ରାମାଶିଷ ହାଜରା କହିଛନ୍ତି, ଆମ ପାଖରେ ପାଠ୍ୟପୁସ୍ତକ ଗଚ୍ଛିତ ରହିଛି, ସରକାରଙ୍କ ପକ୍ଷରୁ ବୋର୍ଡକୁ ଚିଠି ମଧ୍ୟ ଆସିସାରିଛି। ତେଣୁ ଖୁବ୍‌ଶୀଘ୍ର ପାଠ୍ୟପୁସ୍ତକ ବିକ୍ରି କରାଯିବ ବୋଲି ସଭାପତି ଶ୍ରୀ ହାଜରା ସୂଚନା କହିଛନ୍ତି।

ସମ୍ବନ୍ଧିତ ଖବର