୪ ବର୍ଷରେ ୬ଟି ରେଳବିହୀନ ଜିଲ୍ଲାକୁ ରେଳ ସଂଯୋଗ

ଭୁବନେଶ୍ୱର : ରାଜ୍ୟର ୬ଟି ଜିଲ୍ଲାକୁ ରେଳ ସଂଯୋଗ ଉପଲବ୍ଧ ହୋଇନାହିଁ। ଗତବର୍ଷ ନୟାଗଡ଼ ଜିଲ୍ଲାକୁ ରେଳ ସଂଯୋଗ କରାଯାଇଛି। ୨୦୧୯ରେ କେନ୍ଦ୍ରାପଡ଼ା ଜିଲ୍ଲା, ୨୦୨୦ ସୁଦ୍ଧା ଦେବଗଡ଼ ଜିଲ୍ଲା, ୨୦୨୦-୨୧ ସୁଦ୍ଧା ବୌଦ୍ଧ ଓ କନ୍ଧମାଳ, ୨୦୨୧-୨୨ରେ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ରେଳ ସଂଯୋଗ କରାଯିବ। ଏ ଦିଗରେ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁ ସୂଚନା ଦେଇଛନ୍ତି।

ବାଣିଜ୍ୟ ଓ ପରିବହନ ବିଭାଗର ପ୍ରଦର୍ଶନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିବା ପରେ ବିଭାଗୀୟ ମନ୍ତ୍ରୀ ଡା. ସାହୁ କହିଲେ, ରେଳବିହୀନ ୬ଟି ଜିଲ୍ଲାକୁ ରେଳ ସଂଯୋଗ କରାଯାଉଛି। କେନ୍ଦ୍ରପଡ଼ା ଜିଲ୍ଲାକୁ ଛାଡ଼ିଦେଲେ, ଅନ୍ୟ ୫ଟି ଜିଲ୍ଲାକୁ ରେଳ ସଂଯୋଗ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ତଥା ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। କଳାହାଣ୍ଡିରେ ବିଦ୍ୟୁତ୍‌ ରେଳ ଇଞ୍ଜିନ ମରାମତି କାରଖାନା ପ୍ରତିଷ୍ଠା ପାଇଁ ସରକାର ମାଗଣାରେ ଜମି ଯୋଗାଇ ଦେଉଛନ୍ତି। ବନ୍ଦର ସଂପର୍କରେ ମନ୍ତ୍ରୀ କହିଲେ, ରାଜ୍ୟରେ ୧୩ଟି ବନ୍ଦର ସ୍ଥାପନ କରିବାକୁ ଯୋଜନା କରାଯାଇଥିଲା। ଏଥିମଧ୍ୟରୁ ଧାମରା ବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ସଂପ୍ରସାରଣ ଆଗେଇ ଚାଲିଛି। ୨୦୧୩ରେ ଗୋପାଳପୁର ବନ୍ଦର କାର୍ଯ୍ୟକ୍ଷମ ହୋଇଥିଲା। କିନ୍ତୁ ଭୟାବହ ବାତ୍ୟା ଫାଇଲିନ୍‌ ମାଡ଼ରେ କ୍ଷତିଗ୍ରସ୍ତ ହୋଇ ଏହା ବନ୍ଦ ହୋଇଯାଇଥିଲା। ପ୍ରାୟ ୧୪୦୦ କୋଟି ଟଙ୍କା ବିନିଯୋଗରେ ଏହାର ସଂପ୍ରସାରଣ କାର୍ଯ୍ୟ ଚାଲିଛି। ୨୦୧୯ ଜୁନ୍‌ ସୁଦ୍ଧା ଏହା ସଂପୂର୍ଣ୍ଣ ହେବ। ଏହାବ୍ୟତୀତ, ସୁବର୍ଣ୍ଣରେଖା ବନ୍ଦର ପାଇଁ ପ୍ରତିରକ୍ଷା ବିଭାଗରୁ ଅନୁମୋଦନ ମିଳିଛି। ଜଟାଧାରୀ ମୁହାଣରେ ବନ୍ଦର ନିର୍ମାଣ କରିବାକୁ ଜେଏସ୍‌ଡବ୍ଲ୍ୟକୁ କୁହାଯାଇଛି। କେନ୍ଦ୍ରାପଡ଼ାରେ ନଦୀଭିତ୍ତିକ ମହାନଦୀ ବନ୍ଦର କାର୍ଯ୍ୟ ତ୍ୱରାନ୍ଵିତ କରାଯାଉଛି। କିନ୍ତୁ ହାଇକୋର୍ଟଙ୍କ ସ୍ଥଗିତାଦେଶ ଯୋଗୁଁ ଅସ୍ତରଙ୍ଗ ବନ୍ଦର ନିର୍ମାଣ ହୋଇପାରିନଥିବା ସେ କହିଥିଲେ।

ବିଜୁ ଗାଁ ଗାଡ଼ି ଯୋଜନାରେ ୬୮୦୨ଟି ଗ୍ରାମପଞ୍ଚାୟତ ମଧ୍ୟରୁ ୬୬୮୯ଟି ପଞ୍ଚାୟତକୁ ୫୬୧ଟି ଗାଡ଼ି ଚାଲିଥିବା ମନ୍ତ୍ରୀ କହିଥିଲେ। ଏଥିମଧ୍ୟରେ ରହିଛି ମାଓ ଅଧ୍ୟୁଷିତ ୧୦ଟି ଜିଲ୍ଲା। ଓଡ଼ିଶା ସଡ଼କ ପରିବହନ ନିଗମ ଅଧୀନରେ ଥିବା ୪୪୪ଟି ବସ୍‌ ମଧ୍ୟରୁ ୪୧୯ଟି ଚାଲିଛି। ଚଳିତ ବର୍ଷ ଆଉ ୧୦୦ଟି ବସ୍‌ କିଣାଯିବ। ବର୍ତମାନ ନିଗମ ଲାଭ ବା କ୍ଷତି କରୁନାହିଁ। ବସ ପିଛା କର୍ମଚାରୀ ସଂଖ୍ୟା ୧୮ରୁ ୩.୪କୁ ହ୍ରାସ କରାଯାଇଥିବାରୁ ନିଗମର ଆର୍ଥିକ ସ୍ଥିତି ସୁଧୁରିଛି। କୋରାପୁଟ, ବଲାଙ୍ଗୀର, ଅନୁଗୁଳ, କଟକ ଭଳି ୫ଟି ଜିଲ୍ଲାରେ ବସ୍‌ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଚାଲିଛି। ରାଜ୍ୟରେ ୭୦୪୯୮ଟି ବସ୍‌ ପାଇଁ ରୁଟ୍‌ ପର୍ମିଟ୍‌ ଦିଆଯାଇଛି। ଏହାଛଡ଼ା ୧୫୨ଟି ପାଇଛି ଆନ୍ତଃରାଜ୍ୟ ପର୍ମିଟ୍‌। ତେବେ ପର୍ମିଟ ପ୍ରଦାନରେ ଫିକ୍ସିଂ ସଂପର୍କରେ ତାଙ୍କ ପାଖରେ କୌଣସି ଖବର ନାହିଁ। ସେହିପରି ବିଧାୟକମାନଙ୍କର କେତୋଟି ବସ୍‌ ରହିଛି ସେ ପ୍ରଶ୍ନର ଉତ୍ତରକୁ ମଧ୍ୟ ସେ ଏଡ଼ାଇ ଯାଇଥିଲେ।

ସାଗରମାଳା ପ୍ରକଳ୍ପ ପାଇଁ ରାଜ୍ୟ ସରକାର ପ୍ରାୟ ୫୬୦ କୋଟି ଟଙ୍କାର ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ଦେଇଛନ୍ତିି। କିନ୍ତୁ କୌଣସି ଉତ୍ତର ମିଳିନାହିଁ। ଓଡ଼ିଶା ମୋଟର ଯାନ ଟିକସ ଆଇନରେ ପରିବର୍ତନ ଅଣାଯାଇଛି। ଫଳରେ ୨୦୧୬-୧୭ରେ ଏ ବାବଦରେ ୧୩୫୦ କୋଟି ମିଳିଥିବା ବେଳେ ଗତ ଆର୍ଥିକ ବର୍ଷରେ ଏହା ୧୫୪୪.୫୯ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ରାସ୍ତା ସୁରକ୍ଷା ଯୋଜନାରେ ଓଡ଼ିଶା ରାସ୍ତା ସୁରକ୍ଷା ପାଣ୍ଠିକୁ ଗତ ୩ ବର୍ଷରେ ୭୯ କୋଟି ଦିଆଯାଇଛି। ଦକ୍ଷ ଭାରିଯାନ ଡ୍ରାଇଭର ସୃଷ୍ଟି ଲକ୍ଷ୍ୟରେ ଯାଜପୁର ଜିଲ୍ଲାର ଛତିଆରେ ପ୍ରଶିକ୍ଷଣ ପ୍ରତିଷ୍ଠାନ ଖୋଲାଯାଇଛି। ୨୦୧୯ ସୁଦ୍ଧା କେନ୍ଦୁଝର ଓ ବ୍ରହ୍ମପୁରରେ ଆଉ ୨ଟି ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରାଯିବ ବୋଲି ମନ୍ତ୍ରୀ ଡା. ସାହୁ କହିଥିଲେ।

ସମ୍ବନ୍ଧିତ ଖବର