ସରକାରଙ୍କ ବଜେଟ୍ ପ୍ରସ୍ତୁତି : ୧୪% ଆକାର ବଢ଼ିପାରେ

୪ ମାସ ପାଇଁ ଲେଖାନୁଦାନ ଆସିବ, କୃଷି,ସ୍ବାସ୍ଥ୍ୟ ଉପରେ ରହିବ ଗୁରୁତ୍ବ

ଭୁବନେଶ୍ବର : ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୪ ମାସିଆ କାମଚଳା ବଜେଟ୍ ଆଗତ କରିବେ। ଏଥିପାଇଁ ସରକାରୀସ୍ତରରେ ବଡ଼ ପ୍ରସ୍ତୁତି ଚାଲିଛି। ଆସନ୍ତା ୨୭ ତାରିଖ ସୁଦ୍ଧା ବିଭାଗୀୟ ବ୍ୟୟ ବରାଦ ପାଇଁ ପ୍ରସ୍ତାବ ପଠାଇବାକୁ ଯୋଜନା ଓ ସଂଯୋଜନ ବିଭାଗ ସବୁ ବିଭାଗକୁ ଚିଠି ଲେଖିଛନ୍ତି। କେବଳ ସେତିକି ନୁହେଁ, ବିଧାନସଭାର ବଜେଟ ଅଧିବେଶନ ପରିପ୍ରେକ୍ଷୀରେ ରାଜ୍ୟପାଳଙ୍କ ଅଭିଭାଷଣ ପ୍ରସ୍ତୁତି ପାଇଁ ବି ସବୁ ବିଭାଗର ସଫଳତା ନେଇ ତଥ୍ୟ ପଠାଇବାକୁ ମଧ୍ୟ ବିଭାଗୀୟ ସଚିବଙ୍କୁ ଚିଠି ଲେଖିଛନ୍ତି ସଂସଦୀୟ ବ୍ୟାପାର ସଚିବ। ତେବେ ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ସରକାର ପୂର୍ଣ୍ଣାଙ୍ଗ ବଜେଟ ନ ଆଣି ୪ ମାସ ପାଇଁ ଲେଖାନୁଦାନ ଆଗତ କରିବେ।

ନିର୍ବାଚନ ବର୍ଷ କାରଣରୁ ୨୦୧୮-୧୯ ବର୍ଷରେ ରାଜ୍ୟ ସରକାର କୃଷି,ଜଳସେଚନ,ସାମାଜିକ ସୁରକ୍ଷା,ଶିକ୍ଷା ଓ ଦକ୍ଷତା ବୃଦ୍ଧି, ସ୍ବାସ୍ଥ୍ୟ,ଖାଦ୍ୟ ନିରାପତ୍ତା,ପାନୀୟ ଜଳ ଯୋଗାଣ ଓ ସମସ୍ତଙ୍କ ପାଇଁ ପକ୍କାଘର ଉପରେ ଗୁରୁତ୍ବ ଦେଇଥିଲେ। ଏଥରକ ଋଣ ଛାଡ଼ ନେଇ ସବୁ ମହଲରୁ ଷଣ୍ଢୁଆସି ଆକ୍ରମଣ ସତ୍ତ୍ବେ ସରକାର େସଥିରେ ପ୍ରଭାବିତ ନ େହାଇ ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଗରିବ ଓ ଭୂମିହୀନ ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନା େଘାଷଣା େହାଇଛି।

ସ୍ବଳ୍ପ ଅବଧି ପାଇଁ ପ୍ରସ୍ତୁତ ବଜେଟ ପ୍ରସ୍ତାବରେ ଚାଷୀଙ୍କ କଲ୍ୟାଣ ପାଇଁ ବ୍ୟୟବରାଦ କରାଯିବାର ସମ୍ଭାବନା ରହିଛି। ଚଳିତ ଆର୍ଥିକ ବର୍ଷରେ ମୂଳ କୃଷି ବଜେଟରେ ୧୬ ହଜାର ୭୬୫ କୋଟି ଟଙ୍କା ସରକାର ବ୍ୟୟ ବରାଦ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ କାଳିଆ ଯୋଜନାରେ ଆସନ୍ତା ୩ବର୍ଷ ଭିତରେ ଖର୍ଚ୍ଚ ହେବାକୁ ଥିବା ୧୦ ହଜାର ୧୮୦ କୋଟି ଟଙ୍କା ମଧ୍ୟରୁ ଏକ ବଡ଼ ପରିମାଣ ଅର୍ଥ ଏହି କାମଚଳା ବଜେଟରେ ବ୍ୟୟ ବରାଦ େହବ। ସେହିଭଳି ଗରିବଙ୍କ ସ୍ବାସ୍ଥ୍ୟସେବା ପାଇଁ ଉଦ୍ଦିଷ୍ଟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ଅଧିକ ବ୍ୟୟବରାଦ କରାଯିବ। ନିର୍ବାଚନକୁ ଦୃଷ୍ଟି ରଖିରେ ସରକାର ଆଉ କିଛି ନୂଆ େଘାଷଣା କରିପାରନ୍ତି, ଯାହା ଉପରେ ପୂର୍ଣ୍ଣାଙ୍ଗ ବଜେଟରେ ଅର୍ଥ ବ୍ୟବସ୍ଥା େହବ।

୨୦୧୪ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ଇସ୍ତାହାରରେ ସବୁ କଚ୍ଚାଘରକୁ ପକ୍କାଘରରେ ପରିଣତ କରିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଏହି ଯୋଜନାରେ ଅସମ୍ପୂର୍ଣ୍ଣ ଥିବା ବାସଗୃହକୁ ସମ୍ପୂର୍ଣ୍ଣ କରିବା ପାଇଁ ଆସନ୍ତା ବଜେଟରେ ବ୍ୟୟବରାଦ କରାଯିବା ସମ୍ଭାବନା ରହିଛି। ଏହାସହିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ,ମହିଳା ଓ ଯୁବ ସଶକ୍ତି କରଣ ପାଇଁ ବଜେଟରେ ଗୁରୁତ୍ବ ଦିଆଯିବ େବାଲି ଜଣେ ଅଧିକାରୀ କହିଛନ୍ତି। ସେହିପରି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏଥର ବଜେଟର କଳେବର ୧୪% ବୃଦ୍ଧି ପାଇବ। ଏହାକୁ ଦୃଷ୍ଟିରେ ରଖି ଅର୍ଥବିଭାଗ ଏହାର ରୂପରେଖ ପ୍ରସ୍ତୁତ କରୁଛନ୍ତି। ନିହାତି ଖର୍ଚ୍ଚ େନଇ ଅର୍ଥ ବରାଦ େହବ େବାଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି।

ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ କହିବା କଥା, ଏଥରକ ସ୍ବଳ୍ପ ଅବଧି ପାଇଁ ଆସିବାକୁ ଥିବା ବଜେଟରେ କୃଷି,ସ୍ବାସ୍ଥ୍ୟ ଓ ଶିକ୍ଷା ଉପରେ ଅଧିକ ଗୁରୁତ୍ବ ଦିଆଯିବ। ନିର୍ବାଚନ ବର୍ଷ ଥିବାରୁ କେନ୍ଦ୍ର ସରକାର ମଧ୍ୟ ୪ ମାସିଆ ବଜେଟ ଆଣିବେ। ସେହି ଅନୁଯାୟୀ ସାଧାରଣ ନିର୍ବାଚନ ସହ ଓଡ଼ିଶାରେ ବିଧାନସଭା ନିର୍ବାଚନ ଥିବାରୁ ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ପରିବର୍ତ୍ତେ ଲେଖାନୁଦାନ ବିଧାନସଭାରେ ଉପସ୍ଥାପନ କରିବେ।

ସମ୍ବନ୍ଧିତ ଖବର