ବ୍ରହ୍ମପୁର: ଦିଗପହଣ୍ଡି ଖେମୁଣ୍ଡି ମହାବିଦ୍ୟାଳୟ ନିକଟରେ ଘଟିଥିବା ମର୍ମନ୍ତୁଦ ବସ ଦୁର୍ଘଟଣା ମାମଲାରେ ସରକାରୀ ବସ ଡ୍ରାଇଭର ମାନସ ପ୍ରଧାନଙ୍କୁ ଗିରଫ କରାଯାଇଥିବାର ଖବର ମିଳିଛି। ଦିଗପହଣ୍ଡି ଥାନା ପୁଲିସ ତାଙ୍କୁ ଅଟକ ରଖି ଘଟଣା ସମ୍ପର୍କରେ ପଚରାଉଚରା କରିବା ପରେ ଗିରଫ କରିଛି। ମାନସ ପ୍ରଧାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। କୃଷ୍ଣଚନ୍ଦ୍ର ଭତ୍ର। ଏବଂ ଦିଗପହଣ୍ଡି ଥାନା ଅଧିକାରୀ ଦୀପ୍ତିରଞ୍ଜନ ବେହେରା ଘଟଣାର ତଦନ୍ତ କରୁଥିଲେ।
ଉଲ୍ଲେଖଯୋଗ୍ୟ, ଗତକାଲି ଦୁର୍ଘଟଣା ଘଟିବା ପରେ ମାନସ ଭୁବନେଶ୍ବର ଭରତପୁର ଥାନାରେ ଆତ୍ମସମର୍ପଣ କରିଥିଲେ। ଏହି ସୂଚନା ମିଳିବା ପରେ ଦିଗପହଣ୍ଡି ଥାନା ପୁଲିସ ପକ୍ଷରୁ ଏକ ଟିମ୍ ଭୁବନେଶ୍ବର ଭରତପୁର ଥାନାକୁ ଯାଇ ସେଠାରୁ ମଧ୍ୟରାତ୍ରିରେ ମାନସଙ୍କୁ ଦିଗପହଣ୍ଡି ଆଣିଥିବା ପୁଲିସ ପକ୍ଷରୁ କୁହାଯାଇଥିଲା। ମାନସଙ୍କଠାରୁ ପୁଲିସ ବସ ଦୁର୍ଘଟଣା ସଂପର୍କରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୧୧ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ଓ ୭ ଜଣ ଗୁରୁତର ହୋଇଥିଲେ। ଗୁରୁତରଙ୍କୁ ଉଦ୍ଧାର କରାଯାଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ଅନ୍ୟପକ୍ଷରେ ଜଣେ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ରାୟଗଡ଼ାରୁ ଭୁବନେଶ୍ୱର ଯାଉଥିବା ଓଏସ୍ଆର୍ଟିସି ବସଟି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅନ୍ତର୍ଗତ ଖେମୁଣ୍ଡି କଲେଜ ଛକ ନିକଟରେ ବିବାହ ପରେ କନ୍ୟାକୁ ଛାଡ଼ି ବ୍ରହ୍ମପୁରରୁ ଫେରୁଥିବା ଏକ ଘରୋଇ ମିନିବସ୍ ସହ ମୁହାଁମୁହିଁ ଧକ୍କା ହେବାରୁ ଏହି ଅଘଟଣ ଘଟିଥିଲା।