କନ୍ଧମାଳରେ ସରକାରୀ ବସ୍‌ ଚଳାଚଳ ବନ୍ଦ

ଫୁଲବାଣୀ/ତୁମୁଡିବନ୍ଧ/ବାଲିଗୁଡ଼ା‌ : ଆଜିଠୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀ ସହିଦ ସପ୍ତାହ ପାଳନ ପାଇଁ ଡାକରା ଦେଇଥିବା ବେଳେ ଯାତ୍ରୀ ସୁରକ୍ଷାକୁ ନଜରରେ ରଖି କନ୍ଧମାଳ ଜିଲ୍ଲାରୁ ବିଭିନ୍ନ ରୁଟକୁ ଯାଉଥିବା ସରକାରୀ ବସ୍ ଚଳାଚଳକୁ ବନ୍ଦ କରିଦିଆଯାଇଛି। ଏନେଇ ଓଡ଼ିଶା ରାଜ୍ୟ ପରିବହନ ନିଗମ କନ୍ଧମାଳ ଶାଖା ପକ୍ଷରୁ ସୂଚନା ମିଳିଛି। ସମସ୍ତ ବସ ଗୁଡିକୁ ଫୁଲବାଣୀ କାର୍ଯ୍ୟାଳୟ ମଧ୍ୟରେ ରଖାଯାଇଛି। ମିଳିଥିବା ସୂଚନାନୁସାରେ ଫୁଲବାଣୀରୁ ବିଲାମାଳ, ବେଲଘର, ଝିରିପାଣି, ଲଣ୍ଡାଗାଁ, ଶ୍ରୀରାମପୁର, କାଟିଙ୍ଗା, ହାତୀମୁଣ୍ଡା, ପାଇରାଜୁ ଓ ବନ୍ଦାଦଣୀକୁ ଗାଡି ଚଳାଚଳ ବନ୍ଦ ରହିଛି। ସେହିପରି ପଡୋଶୀ ଜିଲ୍ଲାର ମଧ୍ୟ ସରକାରୀ ବସ କନ୍ଧମାଳ ଜିଲ୍ଲାକୁ ଆସୁନାହିଁ। ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧ‌ାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପକ୍ଷରେ ଜିଲ୍ଲା ପୁଲିସ ପକ୍ଷରୁ ଜିଲ୍ଲାରେ ଥିବା ସମସ୍ତ ଥାନା ଇଲାକାକୁ ସତର୍କ ରହିବା ପାଇଁ କୁହାଯାଇଛି। ଏହାସହ ମାଓବାଦୀଙ୍କ ଗତିବିଧିର ସୂଚନା ମଧ୍ୟ ସଂଗ୍ରହ କରାଯାଉଛି। ମୁକାବିଲା ପାଇଁ ଜିଲ୍ଲାରେ ଥିବା ସିଆରପିଏଫ ପକ୍ଷରୁ ରାସ୍ତାରେ ପାଟ୍ରୋଲିଂ କରାଯାଉଥିବା ଦେଖିବାକୁ ମିଳିଛି। ସେହିପରି ବାଲିଗୁଡା ଦେଇ ଯାଉଥିବା ଫୁଲବାଣୀ ଠାରୁ ବେଲଘର, ଲଣ୍ଡାଗାଁ, ଲଙ୍କାଗଡ଼, ଜୟପୁର ଓ  ଭୁବନେଶ୍ୱର ଠାରୁ ଭବାନୀପାଟଣା, କୋରାପୁଟ  ସୁନାବେଡାକୁ ବସ୍ ଚଳାଚଳ ବନ୍ଦ ରହିଛି। ତେବେ ଘରୋଇ ବସ୍‌ଗୁଡିକ ଯାତାୟତ କରୁଥିବା ଜଣାପଡିଛି।

ସମ୍ବନ୍ଧିତ ଖବର